ସେନା ପରୀକ୍ଷାର୍ଥୀଙ୍କ ଉତ୍ପାତ ପରେ କଡ଼ା ପଦକ୍ଷେପ, ଷ୍ଟେସନ୍‌ ଜଗିବେ ଫୋର୍ସ

ଭୁବନେଶ୍ୱର: ଗତକାଲି ରାଜଧାନୀ ରେଳଷ୍ଟେସନ୍‌ରେ ସେନା ପରୀକ୍ଷାର୍ଥୀଙ୍କ ଉତ୍ପାତ ପରେ ଆଜି କଡ଼ା ପଦକ୍ଷେପ ନିଆଯାଇଛି। ବୁଧବାର ଠାରୁ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ୨ ପ୍ଲାଟୁନ୍‌ ଫୋର୍ସଙ୍କୁ ମୁତୟନ କରାଯାଇଛି। ଏହି ଫୋର୍ସଙ୍କୁ  ଆରପିଏଫ୍‌ ଓ ଜିଆରପି ପକ୍ଷରୁ ଦିଲ୍ଲୀ ତଥା ଦ୍ରୁତଗାମୀ ଟ୍ରେନ୍‌ ପାଇଁ ମୁତୟନ କରାଯାଇଛି। କେବଳ ଏତିକି ନୁହେଁ, ଏହି ଫୋର୍ସ ପ୍ରଥମେ ଯାତ୍ରୀଙ୍କ ଟିକେଟ ଯାଞ୍ଚ କରିବେ। ଯେଉଁ ଯାତ୍ରୀଙ୍କ ଟିକେଟ ଅଛି, ସେହି ଯାତ୍ରୀଙ୍କୁ ହିଁ ବଗି ଭିତରକୁ ଛାଡିବେ।

ସୂଚନାଯୋଗ୍ୟ, ଗତକାଲି ସେନା ନିଯୁକ୍ତି ପରୀକ୍ଷା ସରିବା ପରେ ଉତ୍ତରପ୍ରଦେଶ ଓ ବିହାରର ପରୀକ୍ଷାର୍ଥୀମାନେ ଫେରିବା ପାଇଁ ପୁରୁଷୋତ୍ତମ ଏକ୍ସପ୍ରେସ୍‌କୁ ଟାର୍ଗେଟ୍‌ କରିଥିଲେ। ଟ୍ରେନ୍‌ରେ ଜୋରଜବରଦସ୍ତ ଚିଢ଼ି ଯାଇଥିବା ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ତୁମୁଳକାଣ୍ଡ ଯୋଗୁଁ ରାତି ଅଧରେ ଭୁବନେଶ୍ୱର ଷ୍ଟେସନ୍‌ରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା।

ସେମାନଙ୍କୁ ଘଉଡ଼ାଇବାକୁ ଯାଇ ରେଳବାଇ ପୁଲିସ, ଆରପିଏଫ୍‌ ଓ ସ୍ଥାନୀୟ ପୁଲିସକୁ ନାକେଦମ୍‌ ହୋଇଥିଲେ। ଶେଷରେ ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଲାଠିଚାର୍ଜ କରି ବିଦା କରିବା ପରେ ଘଣ୍ଟାଏରୁ ଅଧିକ ସମୟ ବିଳମ୍ବରେ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଭୁବନେଶ୍ୱର ଷ୍ଟେସନରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା।

ଏହାଛଡ଼ା ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଲଗେଜ୍‌ ବଗିର ତାଲା ଭାଙ୍ଗି ଭିତରେ ପଶିଥିବା ଅଭିଯୋଗରେ ରେଳବାଇ ପୁଲିସ ଉତ୍ତରପ୍ରଦେଶ ମିରଟର ଜଣେ ଯୁବକକୁ ଅଟକ ରଖିଛି।

ସମ୍ବନ୍ଧିତ ଖବର