ରାଉରକେଲା: କୁଚ୍ ବିହାର ଟ୍ରଫି ପାଇଁ ୧୯ ବର୍ଷରୁ କମ ଓଡ଼ିଶା କ୍ରିକେଟ୍ ଦଳରେ ସାମିଲ ହୋଇଛନ୍ତି ରାଉରକେଲାର ଦୁଇ ଜଣ ଖେଳାଳି। ସେମାନେ ହେଉଛନ୍ତି ଆଶୀର୍ବାଦ ସ୍ଵାଇଁ ଓ ଆଦର୍ଶ ରାୟଗୁରୁ। ଆଶୀର୍ବାଦଙ୍କୁ ଦଳର ଅଧିନାୟକ ଦାୟିତ୍ବ ମିଳିଛି। ଉଭୟ ଖେଳାଳି ସେକ୍ଟର-୬ ଇସ୍ପାତ ଷ୍ଟାଡିୟମରେ ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି)ର କ୍ରିକେଟ୍ କୋଚଙ୍କଠାରୁ ପ୍ରଶିକ୍ଷଣ ସହିତ କ୍ରିକେଟ୍ କ୍ୟାରିଅର୍ ଆରମ୍ଭ କରିଥିଲେ।
ଉଲ୍ଲେଖଯୋଗ୍ୟ, ପ୍ରତିଭାଶାଳୀ ୱିକେଟକିପର ତଥା ଓପନର୍ ବ୍ୟାଟର୍ ଭାବେ ଆଶୀର୍ବାଦ ସୁପରିଚିତ। ସେ ନିକଟରେ ଭିନୁ ମଙ୍କଡ ଟ୍ରଫିରେ ଓଡ଼ିଶା ୧୯ ବର୍ଷରୁ କମ୍ କ୍ରିକେଟ ଦଳର ନେତୃତ୍ୱ ନେଇଥିଲେ। ଆଶୀର୍ବାଦ ୨୦୧୯ ମସିହାରେ ୧୬ ବର୍ଷରୁ କମ୍ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ଜାତୀୟ ପଦାର୍ପଣ କରିଥିଲେ। ସେ ହେଉଛନ୍ତି ରାଉରକେଲା ଇସ୍ପାତ କାରଖାନାର ସପ୍ସ ଫେବ୍ରିକେସନ ସପ୍ର ମାଷ୍ଟର ଟେକ୍ନିସିଆନ ବିକ୍ରମ ସ୍ଵାଇଁ ଓ ଲିଲି ସ୍ଵାଇଁଙ୍କ ପୁଅ। ସେହିଭଳି ୱିକେଟ୍ କିପର-ବ୍ୟାଟର୍ଭାବେ ଦଳରେ ସାମିଲ ହୋଇଛନ୍ତି ଆଦର୍ଶ। ପ୍ରଭାବଶାଳୀ ବ୍ୟାଟିଂ ପ୍ରଦର୍ଶନ ବଳରେ ସେ ଦଳରେ ସ୍ଥାନ ଦଖଲ କରିଛନ୍ତି। ଏହି ପ୍ରତିଯୋଗିତାରେ ମାଧ୍ୟମ ସେ ଜାତୀୟ ପଦାର୍ପଣ କରିବେ। ଆର୍ଏସ୍ପି ସହର ଇଞ୍ଜିନିୟରିଂ (ଜଳ ଯୋଗାଣ) ବିଭାଗର ବରିଷ୍ଠ ଟିସିଓ ବାଲାଜି ପ୍ରସାଦ ରାୟଗୁରୁ ଓ ସ୍ମିତାଶ୍ରୀ ରାୟଗୁରୁଙ୍କ ପୁଅ ଆଦର୍ଶ ସମ୍ପ୍ରତି ସ୍ଥାନୀୟ ଦିଲ୍ଲୀ ପବ୍ଲିକ୍ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ର।