ଗୁଳି ବିନିମୟ : ଦୁଇ ପିଏଲ୍‌ଏଫ୍‌ଆଇ କ୍ୟାଡ଼ର ଗିରଫ

ଦୁଇଟି ବନ୍ଧୁକ ସହ ଗୁଳି, ବାଇକ୍‌ ଜବତ

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମା ଆମ୍ବାପାନି ଜଙ୍ଗଲରେ ଆଜି ସକାଳେ ପିପୁଲ୍ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ)ର ସଶସ୍ତ୍ର ଦଳ ଓ ପୁଲିସ ମଧ୍ୟରେ ଗୁଳି ବିନିୟମ ଘଟିଛି। ଘଟଣାସ୍ଥଳରୁ ପୁଲିସ୍‌ ୨ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ କାବୁ କରିଥିବା ବେଳେ ସେମାନଙ୍କ ୪ ଜଣ ସହଯୋଗୀ ଚମ୍ପଟ ମାରିଛନ୍ତି। ଗିରଫ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କଠାରୁ ପୁଲିସ୍‌ ୨ଟି ବନ୍ଧୁକ, ବହୁ ଅଫୁଟା ଗୁଳି ସମେତ ସେମାନେ ବ୍ୟବହାର କରୁଥିବା ୨ଟି ବାଇକ୍‌କୁ ଜବତ କରିଛି। ଖବରପାଇ ସୁନ୍ଦରଗଡ଼ ଏସ୍‌ପି, ବରିଷ୍ଠ ପୁଲିସ ଅଧିକାରୀମାନେ ଝାଡ଼ଖଣ୍ଡ ଠେଟେଟାଙ୍ଗର ଥାନାରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଉଭୟ ଠେଟେଟାଙ୍ଗର ଓ ରାଏବଗା ଥାନାରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ ହୋଇଛି।

ପିଏଲ୍‌ଏଫ୍‌ଆଇର ବଲ୍‌ବୋ (ଝାଡ଼ଖଣ୍ଡ) ଏରିଆ କମାଣ୍ଡର ବିଜୟ ଡାଙ୍ଗଙ୍କ ସମେତ ୬ ଜଣ ସଶସ୍ତ୍ର ପିଏଲ୍‌ଏଫ୍‌ଆଇ ଦୁଇଟି ବାଇକ୍‌ରେ ଓଡ଼ିଶାକୁ ଚାନ୍ଦା ଆଦାୟ ପାଇଁ ଆସୁଥିବା ଖବର ପାଇ ଆଜି ଭୋର ୪ଟା ବେଳେ ଝାଡ଼ଖଣ୍ଡ ଠେଟେଟାଙ୍ଗର ଥାନା ଅଧିକାରୀ, କୋଲେବିରା ଥାନା ଅଧିକାରୀ ଓ ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅଧିକାରୀ ପୁଲିସ ଫୋର୍ସ ସହିତ ବିଭିନ୍ନ ଦିଗରୁ ସେମାନଙ୍କ ପିଛା କରିଥିଲେ। ପୁଲିସକୁ ଦେଖି ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ବାଇକ୍‌ ଛାଡ଼ି ଆମ୍ବାପାନି ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ। ପୁଲିସ୍‌ ବାହିନୀ ପିଛା କରିବାରୁ ସେମାନେ ପୁଲିସ ଫୋର୍ସଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଦୁଇ ପିଏଲ୍‌ଏଫ୍‌ଆଇ କ୍ୟାଡ଼ର୍‌ ଜୟପାଲ୍‌ ଟପ୍ପୋ ଓ ସୁଶିଲ ହାଁସଦା ଶେଷରେ ପୁଲିସ ହାତରେ ଧରାପଡ଼ିଥିଲେ। ତେବେ ସେମାନଙ୍କ ନେତା ବିଜୟ ଡାଙ୍ଗଙ୍କ ସମେତ ଅନ୍ୟମାନେ ଫେରାର୍‌ ହୋଇଯାଇଥିଲେ।

ଗିରଫ ସୁଶିଲଙ୍କ ଘର ରାଏବଗା ଥାନା ଅନ୍ତର୍ଗତ ବିରଙ୍ଗାଟୋଲି ଗ୍ରାମରେ। ଘଟଣାସ୍ଥଳରୁ ପୁଲିସ ଏକ ବନ୍ଧୁକ, ୨୦ ରାଉଣ୍ଡ ଜୀବନ୍ତ ଗୁଳି ଏବଂ ସୁଶିଲ ଘରୁ ଗୋଟିଏ ବନ୍ଧୁକ ଓ ୧୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି। ଦୁଇ ପିଏଲ୍‌ଏଫ୍‌ଆଇ ଓଡ଼ିଶା ଅଞ୍ଚଳରୁ ଧରାପଡ଼ିଥିବାରୁ ରାଏବଗା ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ସୁନ୍ଦରଗଡ଼ ଏସ୍‌ପି ପିନାକ ମିଶ୍ର, ବୀରମିତ୍ରପୁର ଏସ୍‌ଡିପିଓ ପ୍ରକାଶ ପାତ୍ର, କୁଆରମୁଣ୍ଡା ଫାଣ୍ଡି ଅଧିକାରୀ ମନୋଜ ନାଏକ, ରାଏବଗା ଥାନା ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନ ସୀମାନ୍ତବର୍ତ୍ତୀ ଠେଟେଟାଙ୍ଗର (ଝାଡ଼ଖଣ୍ଡ) ଥାନାକୁ ଯାଇ ଫେରାର୍‌ ପିଏଲ୍‌ଏଫ୍‌ଆଇଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ସେମାନେ ଆମ୍ବପାନି ଜଙ୍ଗଲରେ ଥିବା ସମ୍ଭାବନାକୁ ଦୃଷ୍ଟିରେ ରଖି ପୁଲିସ ସର୍ଚ ଅପରେସନ ଜାରି ରଖିଛି। ଝାଡ଼ଖଣ୍ଡର ବିଜେପି ନେତା ମନୋଜ ନେଗୋଟିଆଙ୍କୁ ଗୁଳି ମାରି ହତ୍ୟା କରିବା ଘଟଣାରେ ବିଜୟଙ୍କ ସମେତ ଗିରଫ ପିଏଲ୍‌ଏଫ୍‌ଆଇ କ୍ୟାଡ଼ର୍‌ ସମ୍ପୃକ୍ତ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର