ହରିଣ ଶିକାର ନେଇ ଭିଡିଓ ଭାଇରାଲ: ୨ ଅଭିଯୁକ୍ତ ଅଟକ, ଏକାଧିକ ଫେରାର

ଦିନ ଦ୍ବିପହରେ ହରିଣ ଶିକାର, ଟେର ପାଉନି ବନବିଭାଗ

ବେତନଟୀସଦର: ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ କଳମା ପଞ୍ଚାୟତର ପୁରୁଷୋତ୍ତମପୁର ଗାଁ ଉପକଣ୍ଠ ହେମପୁର ସଂରକ୍ଷିତ ଜଙ୍ଗଲରେ ହରିଣ ଶିକାର ହୋଇଛି। ମଙ୍ଗଳବାର ଅପରାହ୍ନରେ ପାଣି ପିଇବାକୁ ଗାଁ ପାଖକୁ ଆସିଥିବା ହରିଣକୁ ଶିକାରୀମାନେ ତୀର ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ଖବର ପାଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି। ବନ ବିଭାଗର କର୍ମଚାରୀମାନେ ଦୁଇ ଜଣଙ୍କୁ ଅଟକ ରଖିବା ସହିତ ପଚରାଉଚରା କରୁଛନ୍ତି।

ସୂଚନା ଅନୁସାରେ କଳମା ଅଞ୍ଚଳରେ ଏମିତି କୌଣସି ବି ସମୟରେ ପ୍ରାୟତଃ ହରିଣ ଦେଖିବାକୁ ମିଳନ୍ତି ନାହିଁ। ହେଲେ ବନବିଭାଗ ଅନୁମାନ ମୁତାବକ ଉକ୍ତ ହରିଣଟି ବାଲେଶ୍ୱର ଜିଲ୍ଲା କୁଲଡିହା ଅଞ୍ଚଳରୁ ଖସି ଆସି ହେମପୁର ସଂରକ୍ଷିତ ଜଙ୍ଗଲରେ ପହଞ୍ଚି ଯାଇଥିଲା। ଆଜି ପ୍ରବଳ ଖରା ଓ ଗୁଳୁଗୁଳି ପାଇଁ ସୁନ୍ଦରିଆ ହରିଣଟି ଗାଁ ପାଖକୁ ପାଣି ପିଇବାକୁ ଆସିଥିବାବେଳେ କିଛି ସ୍ଥାନୀୟ ଶିକାରୀମାନଙ୍କ କୋପ ଦୃଷ୍ଟି ତା ଉପରେ ପଡ଼ିଯାଇଥିଲା। ଶିକାରୀମାନେ ଏକତ୍ରିତ ହୋଇ ଧନୁତୀର ଧରି ଉକ୍ତ ହରିଣକୁ ଶିକାର ପାଇଁ ବଣରେ ଗୋଡ଼ାଇଥିଲେ। ଶେଷରେ ତାଙ୍କ ତୀରର ଶିକାର ହୋଇଥିଲା ନିରୀହ ହରିଣ। ପରେ ସେମାନେ ଏକତ୍ରିତ ସୁସ୍ୱାଦୁ ହରିଣ ମାଂସ ଓ ଚମଡା ଲୋଭରେ ଉକ୍ତ ମୃତ ରକ୍ତାକ୍ତ ହରିଣକୁ ଏକ ବାଇକ୍‌ (ଓଡି ୧୧ ଏଫ୍‌ ୦୦୪୯)ରେ ନେଇଯାଇଥିଲେ। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

ତେବେ ଭାଇରାଲ ଭିଡିଓ ଦେଖିଵା ପରେ ବନବିଭାଗ ମଧ୍ୟ ତତ୍ପର ହୋଇ ଉଠିଥିଲା ଓ ବେତନଟୀ ରେଞ୍ଜର ମନୁୱାର ଖାନ ଓ ଫୋରେଷ୍ଟର ପ୍ରଶାନ୍ତ ସିଂସାମନ୍ତ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବନ ବିଭାଗ ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିବା ସହିତ ବ୍ୟବହୃତ ବାଇକକୁ ଜବତ କରିଛି। ଏବେବି ମୁଖ୍ୟ ଅଭିଯୁକ୍ତ ସହିତ ଭିଡିଓରେ ଦେଖାଯାଉଥିବା ଏକାଧିକ ଅଭିଯୁକ୍ତ ବନବିଭାଗ ହାତରେ ଧରା ପଡ଼ିନାହାନ୍ତି।

ସମ୍ବନ୍ଧିତ ଖବର