ପୁରୀ : ଶ୍ରୀମନ୍ଦିରରେ ଏବେ ପକେଟମାର୍‌ କରିବା ପାଇଁ ଅପରାଧୀମାନେ ସକ୍ରିୟ ହୋଇ ଉଠିଛନ୍ତି। ଆଜି ଶ୍ରୀମନ୍ଦିର ଭିତରେ ପକେଟମାର କରି ୨ ଜଣ ଗିରଫ ହୋଇଛନ୍ତି। ଗତ ମାସକ ମଧ୍ୟରେ ପ୍ରାୟ ୫ଟି ପକେଟମାର ଘଟଣା ଶ୍ରୀମନ୍ଦିର ଭିତରେ ଘଟିଥିବାରୁ ଏହାକୁ ନେଇ ଭକ୍ତ ଓ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ପଶ୍ଚିମବଙ୍ଗରୁ ଅନିଲ ଶ୍ରୀବାସ୍ତବ ନିଜ ପରିବାର ସହ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଉଥିବା ବେଳେ ବାଇଶପାହାଚରେ ସେ ପକେଟମାରର ଶିକାର ହୋଇଥିଲେ। ତାଙ୍କର ମନିପର୍ସଟି କେହି ଦୁର୍ବୃତ୍ତ ପକେଟମାର୍‌ କରି ନେଇଥିଲେ। ଏଥିରେ ତାଙ୍କର ୪ ହଜାର ଟଙ୍କ ଓ ଭୋଟର ପରିଚୟପତ୍ରଠାରୁ ଆରମ୍ଭ କରି ଅନେକ ଦରକାରୀ କାଗଜପତ୍ର ରହିଥିଲା। ତେବେ ପକେଟମାର କରି ପଳାଉଥିବା ବେଳେ ସେଠାରେ ଥିବା ଲୋକେ ସତ୍ୟବାଦୀ ଥାନା ଅନ୍ତର୍ଗତ ସୁକଳର ଆଳିଶ ଗାଁ’ର ନିରଞ୍ଜନ ପ୍ରଧାନ(୨୦) ଓରଫ ସଞ୍ଜୟକୁ ଧରିପକାଇଥିଲେ। ସଞ୍ଜୟଙ୍କୁ ସିଂହଦ୍ବାର ଥାନା ଜିମାରେ ଦେବା ପରେ ଅନିଲ ଏନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ସଞ୍ଜୟକୁ ଗିରଫ କରି କୋର୍ଟଚାଲାଣ କରିଛି। ସେହିପରି ମହାରାଷ୍ଟ୍ରରୁ ଦୀପକ ଶଶିକାନ୍ତ ସପରିବାରେ ପୁରୀକୁ ବୁଲିବାକୁ ଆସିଥିଲେ। ସେମାନେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଶ୍ରୀମନ୍ଦିର ଯାଇଥିବା ବେଳେ ବାହାରକାଠ ନିକଟରେ ତାଙ୍କର ମନିପର୍ସ ପକେଟମାର ହୋଇଥିଲା। ଏଥିରେ ତାଙ୍କର ୧୨ଶହ ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଥିଲା। ମାତ୍ର ସେଠାରେ ଥିବା ସାଦାପୋଷାକଧାରୀ ପୁଲିସ ନରେନ୍ଦ୍ରକୋଣର ଜଗନ୍ନାଥ ଦାସ(୨୨)ଙ୍କୁ ଧରି ଥାନାରେ ଅଟକ ରଖିଛି। ଆସନ୍ତାକାଲି ଜଗନ୍ନାଥକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି।