ମାସିକିଆ ଚାନ୍ଦା ପାଇଁ ଥାନାରେ ଦୁଇ ପୁଲିସ୍‌ ପିଟାପିଟି

ପୁରୀ : ଥାନାରେ ମାସିକିଆ ଚାନ୍ଦା ହାତେଇବାକୁ କେନ୍ଦ୍ର କରି ଚନ୍ଦନପୁର ଥାନାର ଜଣେ କନେଷ୍ଟବଳ ଓ ହାବିଲଦାର ମୁହାଁମୁହିଁ ହୋଇଛନ୍ତି। କଥା ମାଡ଼ ମରାମରି ପର୍ଯ୍ୟନ୍ତ ଯାଇଛି। ଏହି ଖବର ରାଜ୍ୟ ପୁଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ନୂଆ କରି ଯୋଗ ଦେଇଥିବା ଏସ୍‌ପି ଉମାଶଙ୍କର ଦାସ ଏଚ୍‌ଆରପିସି ଡିଏସ୍‌ପି ଦେବେନ୍ଦ୍ରନାଥ ଦାସଙ୍କୁ ଏହାର ତଦନ୍ତ ଦାୟିତ୍ବ ଦେଇଛନ୍ତି। ଶ୍ରୀ ଦାସ ଆଜି ଚନ୍ଦନପୁର ଥାନାରେ ପହଞ୍ଚି ଘଟଣାର ତଦନ୍ତ କରିବା ବେଳେ ଥାନାକୁ ବିଭିନ୍ନ ସୂତ୍ରରୁ ଆସୁଥିବା ମାସିକିଆ ଚାନ୍ଦାର ଲମ୍ବା ତାଲିକା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ଡିଏସ୍‌ପିଙ୍କ ରିପୋର୍ଟ ଆଧାରରେ ଆଜି ଏସ୍‌ପି କନେଷ୍ଟବଳ ଦୁର୍ଗା ମହାନ୍ତିଙ୍କୁ ଥାନାରୁ ଅପସାରଣ କରି ପୁଲିସ ହେଡ଼କ୍ବାର୍ଟରରେ ବସାଇଛନ୍ତି।

ସୂଚନା ମୁତାବକ, ଚନ୍ଦନପୁର ଥାନା ଇଲାକାରେ ମଦ ଦୋକାନ, ଜୁଆ ଆଡ୍ଡା, ହୋଟେଲ, ସ’ମିଲ୍, ଇଟା ଫ୍ୟାକ୍ଟ୍ରି ଏବଂ ବେଆଇନ ପଥର ଚୋରା କାରବାର କରୁଥିବା ବ୍ୟକ୍ତିଙ୍କଠାରୁ ମାସିକିଆ ଚାନ୍ଦା ଆଦାୟ କରାଯାଉଥିଲା। ଆଦାୟ ଚାନ୍ଦାକୁ ଥାନା କର୍ମଚାରୀମାନେ ମିଳିମିଶି ବାଣ୍ଟି ନେଉଥିଲେ। ଥାନା କର୍ମଚାରୀମାନେ ଗତ ଦୁଇଦିନ ତଳେ ଦୁର୍ଗାଙ୍କୁ ଏହାର ହିସାବ ମାଗିଥିଲେ। ଏହାକୁ ନେଇ ଗତକାଲି ଥାନାରେ ପ୍ରବଳ ବାକବିତଣ୍ଡା ହୋଇଥିବା ବେଳେ କନେଷ୍ଟବଳ ଦୁର୍ଗାଙ୍କ ସହିତ ଜଣେ ହାବିଲଦାରଙ୍କର ମୁହାଁମୁହିଁ ହୋଇଥିଲା। ଥାନାର ଅଫିସରମାନଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ତେବେ ଏହି ଖବର ଏସ୍‌ପିଙ୍କ ପାଖରେ ପହଞ୍ଚିବା ପରେ ସେ ତୁରନ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଡିଏସ୍‌ପିଙ୍କ ରିପୋର୍ଟ ଆଧାରରେ କନେଷ୍ଟବଳ ଦୁର୍ଗାଙ୍କୁ ଆଜି ଚନ୍ଦନପୁର ଥାନାରୁ ହଟାଇ ଦିଆଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ମାସିକିଆ ଚାନ୍ଦାକୁ କେନ୍ଦ୍ର କରି ଗଡ଼ିଶାଗୋଦା ଥାନାରେ ଆଇଆଇସି ଓ ଜଣେ ଏଏସ୍ଆଇଙ୍କ ମଧ୍ୟରେ ହାତାହାତି ହୋଇଥିଲା।

ସମ୍ବନ୍ଧିତ ଖବର