ଇବଥର୍ମାଲ : ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି) ଏବଂ ଏଇଏସ୍ର ସହଯୋଗିତାରେ ଝାରସୁଗୁଡ଼ା ଜିଲ୍ଲାର ବନହରପାଲିଠାରେ ୬୬୦ ମେଗାୱାଟ ସମ୍ପନ୍ନ ଦୁଇଟି ସମ୍ପ୍ରସାରିତ ୟୁନିଟ୍ (୧୩୦୦ ମେଗାୱାଟ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଓପିଜିସିର ଏହି ଦୁଇଟି ଅତିରିକ୍ତ ୟୁନିଟ୍ ଦ୍ବାରା ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଇତିହାସ ରଚିଛି।
ଏହାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିେଲ ଯେ, ୧୫ ହଜାର କୋଟି ଟଙ୍କା ଏଥିପାଇଁ ପୁଞ୍ଜିନିବେଶ କରାଯାଇଥିଲା। ଏହି ୟୁନିଟ୍ ଆଗାମୀ ୨୫ ବର୍ଷ ପାଇଁ ବିଦ୍ୟୁତ୍ ସଂକଟକୁ ଦୂର କରିପାରିବ। ଏହି ଦୁଇଟି ୟୁନିଟ୍ ଠିକ୍ ସମୟରେ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେବା ପଛରେ ବନହରପାଲି ଅଞ୍ଚଳବାସୀଙ୍କ ସହଯୋଗ ଏବଂ ଓପିଜିସି କର୍ତୃପକ୍ଷଙ୍କ ଉଦ୍ୟମ ରହିଛି।
ସେହିପରି, ସୁନ୍ଦରଗଡ଼ ଜିଲ୍ଲା ମନୋହରପୁରଠାରେ ଏହି ପାୱାର ପ୍ଲାଣ୍ଟ ସକାଶେ ଉଦ୍ଦିଷ୍ଟ ୮ ମିଲିୟନ ଟନ ଉତ୍ପାଦନକ୍ଷମ କୋଇଲା ଖଣିକୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବଟନ୍ ଦବାଇ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଏହି ଅବସରରେ ବିସ୍ଥାପିତ ଲୋକଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ପୁନର୍ବାସ କଲୋନି ସହ ଉଚିତ କ୍ଷତିପୂରଣ ପ୍ରଦାନ କାର୍ଯ୍ୟକୁ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିଥିଲେ। ସଭାରେ ରାଜ୍ୟ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ କହିଥିଲେ ଯେ ୨୦୦୦ରେ ସରକାର ଗଠନବେଳେ ମାତ୍ର ୧୬ ଲକ୍ଷ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇଥିଲା। ଏବେ ଓଡ଼ିଶାର ଘରେ ଘରେ ବିଜୁଳି ପହଞ୍ଚିଛି। ୨୦୧୪ ଫେବ୍ରୁଆରି ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୫ ବର୍ଷରେ ଏହା ପୂର୍ଣ୍ଣାଙ୍ଗ ରୂପ ନେଇଛି। ଶକ୍ତି ସଚିବ ହେମନ୍ତ ଶର୍ମା କହିଥିଲେ ଯେ ତୃତୀୟ ଓ ଚତୁର୍ଥ ୟୁନିଟ୍ ସହ ୪ଟି ୟୁନିଟ୍ରୁ ୧୭୪୦ ମେଗାୱାଟ୍ ଶକ୍ତି ଉତ୍ପାଦନ କରୁଥିବା ବୃହତ ପ୍ରକଳ୍ପର ମାନ୍ୟତା ଓପିଜିସି ପାଇଛି। ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ। ଓଡ଼ିଶା ବର୍ତ୍ତମାନ ବଳକା ବିଦ୍ୟୁତ ଉତ୍ପାଦନର ରାଜ୍ୟ ହୋଇପାରିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ସଭାରେ ବରଗଡ଼ ସାଂସଦ ପ୍ରଭାସ ସିଂହ, ଏଇଏସ ମୁଖ୍ୟ ମାର୍କ ଗ୍ରୀନ ମଧ୍ୟ ବକ୍ତବ୍ୟ ରଖିଥିଲେ। ଝାରସୁଗୁଡ଼ା ଜିଲ୍ଲାପାଳ ବିଭୂତି ଭୂଷଣ ଦାସ, ଓପିଜିସି ଏମଡି ଇନ୍ଦ୍ରନୀଳ ଦତ୍ତ ମଞ୍ଚାସୀନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/SBPHO1-ibthermal1.jpg)
