ଅଧା ରହିଲା ଘରବାହୁଡ଼ା : ୨ ପ୍ରବାସୀ ଶ୍ରମିକଙ୍କୁ ଦଳିଦେଲା ଟ୍ରକ୍, ଅନ୍ୟ ତିନିଜଣ ଆହତ

ମୁମ୍ବାଇରୁ ଫେରୁଥିଲେ, ମହାସମୁନ୍ଦରେ ଦୁର୍ଘଟଣା

ନୂଆପଡ଼ା/ଗୋଲାମୁଣ୍ଡା : ଆଉ କିଛିବାଟ ଆସିଥିଲେ ପହଞ୍ଚିଥାନ୍ତେ ନିଜ ରାଜ୍ୟରେ। ହେଲେ ବିଧିର ବିଧାନ ଥିଲା ଅଲଗା। ମୁମ୍ବାଇରୁ ଚାଲି ଚାଲି ଓଡ଼ିଶା ଫେରୁଥିବା ୫ ଜଣ ପ୍ରବାସୀ ଶ୍ରମିକଙ୍କୁ ଛତିଶଗଡ଼ ରାଜ୍ୟର ମହାସମୁନ୍ଦଠାରେ ଏକ ଟ୍ରକ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ବୟ ହେଲେ କଳାହାଣ୍ଡି ଜିଲ୍ଲା କେଗାଁ ଥାନା କୁମୁରା ଗାଁର ବୈଷ୍ଣବ ପଟେଲ (୨୫) ଓ ଉପେନ୍ଦ୍ର ପଟେଲ (୩୫)। ଆହତ ତିନିଜଣ କ୍ଷମାସାଗର ପୁଟେଲ, ଦେବରାଜ ପୁଟେଲ ଓ ଭରତ ଜାନି ବର୍ତ୍ତମାନ ମହାସମୁନ୍ଦ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି।ଏହି ଘଟଣା କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି।

ମୁମ୍ବାଇରେ କାମ କରୁଥିବା ଏହି ୫ ଜଣ ଲକ୍‌ଡାଉନ୍‌ ଯୋଗୁଁ ଫସି ରହିଥିଲେ। ଗାଁକୁ ଫେରିବାର କୌଣସି ଉପାୟ ନଥିବାରୁ ଗତ ୫ ଦିନ ହେଲା ସେଠାରୁ ସେମାନେ ଚାଲି ଚାଲି ବାହାରିଥିଲେ। ବାଟରେ ଏକ ଟ୍ରକ୍‌ରେ ସେମାନେ ଚଢ଼ିଥିଲେ। ଶନିବାର ରାତିରେ ଟ୍ରକ୍‌ଟି ଓଡ଼ିଶା- ଛତିଶଗଡ଼ ସୀମାନ୍ତ ମହାସମୁନ୍ଦ ନିକଟରେ ପହଞ୍ଚିଥିଲା। ପାଞ୍ଚ ବନ୍ଧୁ ସେଠାରେ ଓହ୍ଲାଇ ପଡ଼ଥିଲେ। ସେଠାରୁ ସେମାନେ ପୁଣି ଚାଲି ଚାଲି ଗାଁ ଅଭିମୁ‌ଖେ ଆସୁଥିବା ବେଳେ ରାତି ପ୍ରାୟ ୯ଟା ସମୟରେ ଅନ୍ୟ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ସେମାନଙ୍କୁ ମହାସମୁନ୍ଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ବୈଷ୍ଣବ ଓ ଉପେନ୍ଦ୍ରଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟମାନଙ୍କୁ ସେଠାରେ ଚିକିତ୍ସା କରାଯାଉଛି।

ଦୁଇ ଜଣଙ୍କର ଶବ ବ୍ୟବଚ୍ଛେଦ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ନୂଆପଡ଼ା ଡାକ୍ତରଖାନା ପର୍ଯ୍ୟନ୍ତ ଶବ ପହଞ୍ଚାଇ ଦିଆଯାଇଥିଲା। ନୂଆପଡ଼ାରେ ସିଡିଏମ୍‌ଓ କାଳୀପ୍ରସାଦ ବେହେରା ଉକ୍ତ ଆମ୍ବୁଲାନ୍ସରେ ମୃତକଙ୍କ ଘରକୁ ଶବ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ। ରବିବାର କୁମୁରା ଗାଁରେ ଦୁଇବନ୍ଧୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୈଷ୍ଣବ ଅବିବାହିତ ଥିଲେ। ଉପେନ୍ଦ୍ର ବିବାହିତ ଏବଂ ତାଙ୍କର ସ୍ତ୍ରୀ ଓ ଦୁଇପୁ୍ଅ ଅଛନ୍ତି। ମୃତ ଶ୍ରମିକଙ୍କ ପରିବାରକୁ ରାଜ୍ୟ ସରକାର ତୁରନ୍ତ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର