ଦୁଇ ଘରୋଇ କଲେଜରେ ତାଲା

ଉଚ୍ଚଶିକ୍ଷା ବିଭାଗର ହାଇପାଓ୍ଵାର କମିଟି ବୈଠକ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଚାଲିଥିବା ଭୁବନେଶ୍ୱର ଓ ବ୍ରହ୍ମପୁରର ଗୋଟିଏ ଲେଖାଏ ଘରୋଇ କଲେଜରେ ପଡ଼ିଛି ତାଲା। ଏନେଇ ଥିବା ପ୍ରସ୍ତାବକୁ ଗତକାଲି ସଚିବାଳୟରେ ବସିଥିବା ଉଚ୍ଚଶିକ୍ଷା ବିଭାଗର ହାଇ ପାଓ୍ଵାର କମିଟି (ଏଚ୍‌ପିସି) ବୈଠକରେ ପାରିତ କରାଯାଇଛି। ଏଥିସହ ଏକାଧିକ ପ୍ରସ୍ତାବରେ ମୋହର ଲଗିଛି। ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ଭି.ଭି. ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ଶିକ୍ଷା ଆଇନ ୧୯୬୯ରେ ସଂଶୋଧନ ଆଣିବା ବଦଳରେ ତାହା କିଭଳି କଡ଼ାକଡ଼ି ଭାବେ ଲାଗୁ ହେବ ସେନେଇ ଆଉ ଏକ ସବ୍‌ କମିଟି ଗଠନ କରାଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ରାଜେନ୍ଦ୍ର ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି କମିଟିରେ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ, ଭୁବନେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁର ଆଞ୍ଚଳିକ ନିର୍ଦେଶକ, ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ, ସମ୍ବଲପୁର ସିଡିସି ନିର୍ଦେଶକ ସଦସ୍ୟ ରହିଛନ୍ତି। ପୂର୍ବରୁ ଥିବା ସବ୍‌ କମିଟିର ପ୍ରସ୍ତାବକୁ ଏହି ସବ୍‌ କମିଟି ତର୍ଜମା କରି ୩ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ। ତାହାକୁ ଆଗାମୀ ଏଚ୍‌ପିସି ବୈଠକରେ ଉପସ୍ଥାପିତ କରାଯିବ।

ନୂତନ ଶିକ୍ଷାନୁଷ୍ଠାନ ଖୋଲିବା ଲାଗି ଉଚ୍ଚଶିକ୍ଷା ବିଭାଗକୁ ଆସୁଥିବା ପ୍ରସ୍ତାବଗୁଡ଼ିକୁ ଏଣିକି ଅନ୍‌ଲାଇନ୍‌ରେ ଗ୍ରହଣ କରାଯିବ। ଯେଉଁମାନେ ପୂର୍ବରୁ ଅଫ୍‌ଲାଇନ୍‌ରେ ପ୍ରସ୍ତାବ ପଠାଇଥିବେ ସେମାନେ ଅନ୍‌ଲାଇନ୍‌ରେ ସମ୍ପୃକ୍ତ ପ୍ରସ୍ତାବକୁ ପୁଣିଥରେ ପଠାଇବା ଲାଗି କୁହାଯାଇଛି। ଆଞ୍ଚଳିକ ଶିକ୍ଷା ନିର୍ଦେଶକମାନେ ଏନେଇ ଅବଗତ କରାଇବେ। ନୂଆ ଶିକ୍ଷାନୁଷ୍ଠାନ ଖୋଲିବା ଲାଗି ଅନୁମତି ପ୍ରଦାନ, ସିଟ୍‌ ସଂଖ୍ୟା ବୃଦ୍ଧି, ନୂଆ ପ୍ର୍ରଫେସନାଲ କଲେଜ ଖୋଲିବା ଲାଗି ସ୍ଥାୟୀ ଅନୁମତି, ବର୍ତମାନ ଥିବା କଲେଜରେ ସେଲ୍ଫ ଫାଇନାନ୍ସି ମୋଡରେ ପାଠ୍ୟକ୍ରମ ଖୋଲିବା ପରି ବିଷୟ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଉଚ୍ଚଶିକ୍ଷା ବିଭାଗର ଅଧିକାରୀଙ୍କ ସହ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଅଧିକାରୀମାନେ ବୈଠକରେ ଯୋଗଦେଇ ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।

ସମ୍ବନ୍ଧିତ ଖବର