ଭୁବନ: ଗଂଜେଇ ବ୍ୟବସାୟରେ ପୂର୍ବରୁ ଆଠ ମାସ ଜେଲରେ ରହିଥିବା ଜଣେ ମାଫିଆକୁ ପୁଲିସ ଅଟକ ରଖିଛି। ସୋମବାର ଅପରାହ୍ନରେ ପୁଲିସ ୨ କୁଇଣ୍ଟାଲରୁ ଊର୍ଦ୍ଧ୍ବ ଗଂଜେଇ ଜବତ କରିଛି। ଏହାର ଆନୁମାନିକ ବଜାର ଦର ଦଶ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପ୍ରାଥମିକ ଅକଳନରୁ ଜଣାଯାଇଛି। ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ଉ ଫଳରେ ଏହି ସଫଳତା ମିଳିଛି।
ଖବର ନେବାରେ ଜଣାଯାଏ ଯେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନୂଆଭୁବନର ଏକପୁରସ୍ଥିତ କାଠ ଫର୍ନିଚର କାରଖାନାରୁ ଅପରାହ୍ନରେ ଏକ ବାଦାମୀ ରଙ୍ଗ କାରରେ ପାଖାପାଖି ୨ କୁଇଣ୍ଟାଲରୁ ଊର୍ଦ୍ଧ୍ବ ଗଂଜେଇ ଅନଲୋଡ ହେଉଥିବା ବିଷୟରେ ପୁଲିସ ଓ ଅବକାରୀ ବିଭାଗ ଉଚ୍ଚ ଅଧିକାରୀଙ୍କ ଠାରୁ ଖବର ପାଇ ଚଢ଼ଉ କରିଥିଲେ। ବ୍ୟବସାୟୀ ଚତୁରତାର ସହିତ କାରଟିକୁ ଖସାଇ ନେବାକୁ ସକ୍ଷମ ହୋଇଥିଲା। କାରଖାନାର ମୁଖ୍ୟ ଫାଟକ ତାଲା ପକାଇ ବ୍ୟବସାୟୀ ପଳାଇଯାଇଥିଲା। ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଫାଟକ ତାଲା ଭାଙ୍ଗି କାରଖାନାରେ ପଶିଥିଲେ।
ଗଂଜେଇ ମାଫିଆ ଭୁବନ ଏନଏସି ଗୁଜୁରୀ ହାଟ ଅଂଚଳର ସତ୍ୟାନନ୍ଦ ସାହୁଙ୍କ ସହ ଦୁଇଜଣଙ୍କୁ ଭୁବନ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛି। ଭୁବନ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଓ ଅବକାରୀ ଅଧିକାରୀ ସୌରଭ କୁମାର ମିଶ୍ର ଘଟଣାସ୍ଥଳରେ ରହି ଗଂଜେଇ କିଭଳି ଦିନ ଦ୍ୱିପ୍ରହରରେ ଭୁବନ ଭଳି ଏକ ଜନ ଗହଳିପୂର୍ଣ୍ଣ ସ୍ଥାନକୁ ଆସିପାରୁଛି। ଏହି ଗଂଜେଇ କେଉଁଠାରୁ ଆସିଲା ତାହା ତଦନ୍ତ ପରିସର ଭୁକ୍ତ। ରବିବାର ରାତି ୫୩ ନମ୍ବର ଜାତୀୟ ରାଜପଥ ବାଇପାସରେ ବୁଲୁଥିବା ଛତିଶଗଡ଼ର ଜଣେ ବ୍ୟବସାୟୀଙ୍କୁ ଭୁବନ ପୁଲିସ ପାଟ୍ରୋଲିଙ୍ଗ ସମୟରେ କାର ସହ ଅଟକ ରଖିଥିଲେ। ତାଙ୍କ ନିକଟ ତେର ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଥିବାର ଜଣାପଡିଥିଲା।