କେନ୍ଦୁଝର : ୨ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର : ୨୦୧୭ ମସିହାରେ କେନ୍ଦୁଝର ସଦର ଥାନା ହାତୀକୁଚା ଗ୍ରାମରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାର ଆଜି ରାୟ ପ୍ରକାଶ ପାଇଛି। କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ବିଚାରପତି ଲୋକନାଥ ସାହୁ ଦୁଇଜଣ ଅଭିଯୁକ୍ତ ସେହି ଗ୍ରାମର ଡାବୁ ଓରଫ ସନ୍ତୋଷ କୁମାର ମୁଣ୍ଡା (୨୫) ଓ ନୂଆଗାଁର ମୁକୁନା ଓରଫ ଧନରାମ କୋରେଇ (୨୪)କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ ୨୦୧୭ ମାର୍ଚ୍ଚ ୧୮ ତାରିଖରେ ଜଣେ ନାବାଳିକାଙ୍କ ମା’ ବଳଦ କିଣିବା ପାଇଁ ବେଲଦା ହାଟକୁ ଯାଇ ଘରକୁ ଫେରିପାରି ନଥିଲେ। ଘରେ ୧୪ ବର୍ଷର ନାବାଳିକା ଓ ତାଙ୍କ ଭାଇ ଥିଲେ। ରାତିରେ ପୀଡ଼ିତା ତାଙ୍କ ସଂପର୍କୀୟ ଭଉଣୀ ସହ ଗୋଟିଏ ଘରେ ଶୋଇଥିବାବେଳେ ଅନ୍ୟଘରେ ଭାଇ ଶୋଇଥିଲେ। ସେହି ଗ୍ରାମର ଡାବୁ ଓରଫ ସନ୍ତୋଷ କୁମାର ମୁଣ୍ଡା (୨୫) ଓ ନୂଆଗାଁର ମୁକୁନା ଓରଫ ଧନରାମ କୋରେଇ (୨୪) ଭାଇ ଶୋଇଥିବା କୋଠରିକୁ ବାହାର ପଟୁ ବନ୍ଦ କରିଦେଇଥିଲେ। ଏହାପରେ ଝରକା ଭାଙ୍ଗି ଘରେ ପଶି ନାବାଳିକାଙ୍କୁ ଘର ପଛପଟ ବୁଦା ଆଡ଼କୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ପରଦିନ ସନ୍ଧ୍ୟାରେ ମା’ ଘରକୁ ଫେରିବା ପରେ ନାବାଳିକା ଘଟଣା ସଂପର୍କରେ ତାଙ୍କୁ କହିଥିଲେ। ଏନେଇ କେନ୍ଦୁଝର ସଦର ଥାନାରେ ଅଭିଯୋଗ ହେବା ପରେ ଏସ୍‌ଆଇ ଶ୍ରୀକାନ୍ତ ସାହୁ କେସ୍‌ ନମ୍ବର ୯୮/୧୭ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ସେମାନଙ୍କ ବିରୋଧରେ ଦଫା ୩୭୬ଡି, ୪୫୦, ୫୦୬ ଆଇପିସି ଓ ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ବିଚାର କରି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ବିଚାରପତି ଶ୍ରୀ ସାହୁ ୧୦ ଜଣ ସରକାରୀ ସାକ୍ଷୀ ଏବଂ ୬ ଜଣ ମୁଦାଲା ପକ୍ଷଙ୍କ ବୟାନ ଶୁଣିବା ପରେ ଅଭିଯୁକ୍ତ ସନ୍ତୋଷ ଓ ଧନରାମଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ। ସ୍ପୋସାଲ ପବ୍ଲିକ ପ୍ରସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ। ଅଭିଯୁକ୍ତଙ୍କଠାରୁ ଆଦାୟ ହେବାକୁ ଥିବା ଜରିମାନା ସହ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ କୋର୍ଟ ରାୟ ଦେଇଛନ୍ତି।

ସମ୍ବନ୍ଧିତ ଖବର