ଦୁଇ ଦୁର୍ଗମ ଅଞ୍ଚଳର ବାସ୍ତବ ଚିତ୍ର: ୫ ଟଙ୍କାର ରାସନ ପାଇଁ ୫୦୦ ଟଙ୍କା ଖର୍ଚ୍ଚ

ଯାଇପାରିଲାନି ଆମ୍ବୁଲାନ୍ସ, ୮ କିମି ବୁହାହେଲେ ଖଟିଆରେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ଅର୍ନ୍ତଗତ ଦୁନ୍ଦେଲମାଲ ପଞ୍ଚାୟତର ଉପର ଦୁଣ୍ଡା ଗାଁ ପାହାଡ଼ ଉପରେ ଅବସ୍ଥିତ। ଏହି ଗ୍ରାମବାସୀଙ୍କ ପାଇଁ ରାସ୍ତା ଅଭିଶାପ ପାଲଟିଛି। ୫ ଟଙ୍କାର ପିଡିଏସ୍‌ ଚାଉଳ ନେବା ପାଇଁ ୫ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଯାହା ଗରିବଙ୍କ ପେଟରେ ସରକାର ଲାତ ମାରିଲା ଭଳି ଅବସ୍ଥା ସୃଷ୍ଟି ହୋଇଛି।

ଏହି ଗ୍ରାମବାସୀ ଦୁନ୍ଦେଲମାଲ ପଞ୍ଚାୟତକୁ ଆସିବାକୁ ହେଲେ ୩ କିମି ପାହାଡ ଚଢିଲା ପରେ ଆଉ ୧୭ କମି ରାସ୍ତାରେ ଚାଲି ଚାଲିଯିବାକୁ ପଡ଼ିଥାଏ। ଯଦି ଜୁନାଗଡ଼ ବ୍ଲକ ମହକୁମାକୁ ଯିବାକୁ ହେଲେ ୫୦ କି.ମି. ଯିବାକୁ ପଡିଥାଏ। ଗ୍ରାମବାସୀମାନେ ପ୍ରତିମାସରେ ଚାଉଳ ନେବା ପାଇଁ ଦୁନ୍ଦେଲମାଲ ପଞ୍ଚାୟତକୁ ଆସିଥାନ୍ତି। ଚାଉଳ ନେବା ପାଇଁ ୩ କିମି ପାହାଡ଼ ଚଢିଥାନ୍ତି। ୫ କେଜି ପିଡିଏସ୍‌ ଚାଉଳ ନେବା ପାଇଁ ଗ୍ରାମବାସୀମାନେ କାମଧନ୍ଦା ଛାଡ଼ି ଆସିଥାନ୍ତି। ଯେଉଁମାନଙ୍କ ପାଖରେ ଟଙ୍କା ନାହିଁ ସେମାନେ ପାହାଡ ଚଢି ଚାଉଳ ନେବାକୁ ଆସି ନଥାନ୍ତି। କିଛି ଲୋକ ୫ କେଜି ପିଡିଏସ ଚାଉଳକୁ ୫ ଶହ ଟଙ୍କା ଖର୍ଚ୍ଚ କରି ଗାଡ଼ି ଭଡ଼ା କରି ନେଇଥାନ୍ତି। ବର୍ଷ ବର୍ଷ ଧରି ଦୁଣ୍ଡାବାସୀ ଜିଲ୍ଲା ପ୍ରଶାସନଠାରୁ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ କେତେ ‌ନେହୁରା ହୋଇଛନ୍ତି ତଥାପି ସେମାନଙ୍କ ପାଇଁ ରାସ୍ତା ମରୀଚିକା ପାଲଟିଛି।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀ ଅତ୍ୟନ୍ତ ଉଦ୍‌ବେଗ ପ୍ରକାଶ କରି ଭୋଟ୍‌ ବର୍ଜନ କରିଥିଲେ। ତଥାପି ରାଜ୍ୟ ସରକାର ରାସ୍ତା ନିର୍ମାଣ ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାଁନ୍ତି।

ଯାଇପାରିଲାନି ଆମ୍ବୁଲାନ୍ସ, ୮ କିମି ବୁହାହେଲେ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲାର ଉପାନ୍ତ ବ୍ଲକ ଲାଞ୍ଜିଗଡ଼ରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତା ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ଯାଇ ନପାରିବାରୁ ଜଣେ ଗୁରୁତର ଯୁବତୀ ୮ କିଲୋମିଟର ଖଟିଆରେ ବୁହାହେବା ଘଟଣା ଜିଲ୍ଲା‌‌‌ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଲାଞ୍ଜିଗଡ଼ ବ୍ଲକ ବେଡ଼ା ପଞ୍ଚାୟତରେ ରହିଛି ମନସ୍ତରା ଗାଁ। ବ୍ଲକ୍‌ ମୁଖ୍ୟାଳୟରୁ ୨୪ କିମି ଦୂରରେ ଏହି ଗାଁ ରହିଥିବା ବେଳେ ଏଠାରେ ୨୫ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ଆଜି ଗାଁର ଚୈତନ୍ୟ ମାଝୀଙ୍କ ଝିଅ ସସ୍ମିତା ପୋଡ଼ୁ ଚାଷ ପାଇଁ ବାପା-ମା’ ସାଙ୍ଗରେ ଡଙ୍ଗରକୁ ଯାଇଥିଲେ। ଟାଙ୍ଗିଆରେ ବୁଦା ସଫା କରୁଥିବା ବେଳେ ଟାଙ୍ଗିଆଟି ଗଛରେ ପିଟି ହୋଇ ତାଙ୍କ ପେଟରେ ବାଜିଥିଲା। ଫଳରେ ‌ସେ ଗୁରୁତର ହୋଇ ସଂଜ୍ଞାହୀନ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଘରକୁ ଅଣାଯାଇଥିଲା। ଚୈତନ୍ୟ ପ୍ରାୟ ୪ କିମି ଦୂର ଯାଇ ଏକ ପାହାଡ଼ ଚଢ଼ି ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଖବର ପାଇ ଆମ୍ବୁଲାନ୍ସ ପହଞ୍ଚିଥିଲେ ହେଁ ରାସ୍ତା ସମସ୍ୟା ଯୋଗୁଁ ଗାଁକୁ ଆସିପାରି ନଥିଲା। ୮ କିମି ପୂର୍ବରୁ ଦେହେଡ଼ା ଗାଁ ଛକ ନିକଟରେ ରହିଯାଇଥିଲା। ଶେଷରେ ବାଧ୍ୟହୋଇ ସସ୍ମିତାଙ୍କୁ ଗାଁ ଲୋକେ ଖଟିଆରେ ବୋହି ଜଙ୍ଗଲ ରାସ୍ତାରେ ଦେହେଡ଼ା ଛକକୁ ଆଣି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ। ବିଶ୍ୱନାଥପୁର ଡାକ୍ତରଖାନାରେ ସସ୍ମିତାଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର