ସୁକିନ୍ଦା: ଅଗ୍ନିକାଣ୍ଡରେ ଦୁଇ ବଖରା ଜଳିଗଲା

ସୁକିନ୍ଦା : ସୁକିନ୍ଦା ବ୍ଲକ୍‌ ଅନ୍ତର୍ଗତ ସୁକିନ୍ଦା ଥାନା ନିକଟସ୍ଥ ଦଳିତ ସାହିରେ ବୁଧବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟି ଏହି ଗ୍ରାମର ବସନ୍ତ ନାୟକଙ୍କ ପୁଅ ଦେବାନନ୍ଦଙ୍କ ଦୁଇ ବଖରା ଘର ଓ ଗୋଟିଏ ଗୁହାଳଘର ଜଳିଯାଇଛି। ଅଗ୍ନିକାଣ୍ଡ ସମୟରେ ଦେବାନନ୍ଦଙ୍କ ପତ୍ନୀ ପାଣି ଆଣିବାକୁ ଯାଇଥିବା ବେଳେ ୪ ମାସର ଝିଅ ଘରେ ଶୋଇଥିଲା। ସାହି ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ। ଦମକଳ ବାହିନୀ ପହଞ୍ଚିବା ବେଳକୁ ଆସବାବପତ୍ର, ଗୋଟିଏ କୁକୁଡ଼ା, ଚାଉଳ ବସ୍ତା ଓ ଗହମ ଆଦି ପୋଡ଼ି ପାଉଁଶ ହୋଇଯାଇଥିଲା।

ସ୍ଥାନୀୟ ଆରଆଇ ବାଇଧର ଯତି ଓ ସହକାରୀ ବାବାଜି ଚରଣ ବାରିକ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜରିପାଲ ଦିଆଯାଇଥିବା ବେଳେ ଅନ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ସୁକିନ୍ଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବ୍ୟରଂଜନ ବରାଳ, ସରପଞ୍ଚ ସ୍ବାଧୀନ ଦାସ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ କେଶରୀ ପଟ୍ଟନାୟକ, ବିଜେଡି ନେତା ବିଶ୍ବଜିତ ବେହୁରା, ବିଜେପି ନେତା ଯାତ୍ରାକର ଜେନା, ରମଣୀ ରଂଜନ ବଳସାମନ୍ତ ପ୍ରମୁଖ ବିପନ୍ନ ପରିବାର ନିକଟରେ ପହଞ୍ଚି ସହାୟତା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର