ବାରିପଦା: ଡୁକୁରା ରେଞ୍ଜ ଅଧୀନ ଶିମିଳିପାଳ ଜଙ୍ଗଲରେ ଗତକାଲି ରାତିରେ ବନ କର୍ମଚାରୀଙ୍କୁ ଗୁଳିମାଡ଼ କରିଥିଲେ ଶିକାରୀ। ଗୁଳିମାଡ଼ର ଶିକାର ବନ କର୍ମଚାରୀ ସୁନାରାମ ସିଂହଙ୍କୁ ଗତକାଲି ରାତିରେ ପ୍ରଥମେ ଉଦଳା ଉପଖଣ୍ଡ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ଅବସ୍ଥା ଅଧିକ ଗୁରୁତର ଥିବାରୁ ଆଜି ସକାଳେ ତାଙ୍କୁ ବାରିପଦା ପିଆରଏମ୍ ମେଡିକାଲକୁ ଅଣାଯାଇଥିଲା। ସୁନାରାମଙ୍କ ଦୁଇ ଗୋଡ଼ରେ ୨ଟି ଗୁଳି ବାଜିଥିବା ବେଳେ ଗୁଳି ଦୁଇଟିକୁ ବାହାର କରାଯାଇଛି। ସେ ଏବେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। ହେଲେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ପାରେ ବୋଲି ଡାକ୍ତର କହିଛନ୍ତି। ଏପଟେ ଗୁଳିମାଡ଼ ଘଟଣା ପରେ ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ଥିବା ତଳିଆ କର୍ମଚାରୀ ଓ ସବୁଜ ବାହିନୀ କର୍ମଚାରୀ ଭୟଭୀତ ହୋଇ ପଡ଼ିଛନ୍ତି।
ତେବେ ସେମାନଙ୍କୁ ସବୁ ପ୍ରକାର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ। ଗୁଳିମାଡ଼ କରିଥିବା ଶିକାରୀ ଦଳଙ୍କୁ ଧରିବା ନିମନ୍ତେ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଟିମ୍ରେ ପୁଲିସ କର୍ମଚାରୀ ବି ସାମିଲ ହୋଇଛନ୍ତି। ଆଜି ସକାଳଠାରୁ ଏଥି ନିମନ୍ତେ ସ୍ବତନ୍ତ୍ର ଅପରେସନ୍ ଆରମ୍ଭ ହୋଇଛି ବୋଲି ଶିମିଳିପାଳ ଅଭୟାରଣ୍ୟର ସହ ନିର୍ଦ୍ଦେଶକ ସମ୍ରାଟ ଗୌଡା କହିଛନ୍ତି। ସୂଚନାଯୋଗ୍ୟ; ଗତକାଲି ରାତି ୯ଟା ସମୟରେ ଡୁକୁରା ରେଞ୍ଜ ଜଙ୍ଗଲରେ ପଶୁ ଶିକାର ପାଇଁ ୪ରୁ ୫ ଜଣ ଶିକାରୀ ପ୍ରସ୍ତୁତି ଚଳାଇଥିବା ଖବର ପାଇ ପହଞ୍ଚିଥିଲା ବନ ବିଭାଗ ଟିମ୍। ତେବେ ବନ ବିଭାଗ କର୍ମଚାରୀଙ୍କ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ କରି ଖସି ଯାଇଥିଲେ ଶିକାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/26-20.jpg)