ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ୨ ବରିଷ୍ଠ କଳାକାର

ତିହିଡ଼ି: ସଡ଼କ ଦୁର୍ଘଟଣାରେ ଦୁଇ ଜଣ ବରିଷ୍ଠ କଳାକାରଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ପୀରହାଟ ଥାନା ଚାରିତରଫ ଗ୍ରାମର ପରମାନନ୍ଦ ବାରିକ (୮୨) ଓ ତ୍ରିଲୋଚନ ବଳ (୮୦)। ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ଦୁହେଁ ଗଦି ବଜାରରୁ ଘରକୁ ଚାଲି ଚାଲି ଫେରୁଥିବାବେଳେ ଗାଁ ହଟକେଶ୍ୱର ମନ୍ଦିର ନିକଟରେ ଓଡି୨୨ଏନ୍‌-୯୫୧୯ ନମ୍ବର ହୋଣ୍ଡା ସାଇନ୍‌ ବାଇକ୍‌ରେ ଜଣେ ବନ୍ଧୁଙ୍କୁ ବସାଇ ଆସୁଥିବା ଖଡ଼ିଜାଣ ଗ୍ରାମର ଲିପା ଦାସ ଉଭୟଙ୍କୁ ଧକ୍କା ଦେଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ତିହିଡ଼ି ଡାକ୍ତରଖାନା ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।

ତେବେ କଟକ ନେବା ବାଟରେ ତ୍ରିଲୋଚନଙ୍କ ମୃତ୍ୟୁ ହୋଇ ଯାଇଥିବାବେଳେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରମାନନ୍ଦ ଆଖି ବୁଜିଥିଲେ। ଅନ୍ୟପଟେ ଧକ୍କା ଦେଇଥିବା ବାଇକ୍‌ ଆରୋହୀ ଲିପା ଓ ତାଙ୍କ ବନ୍ଧୁ ମଧ୍ୟ ଆହତ ହୋଇଛନ୍ତି। ସେମାନେ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁଇ କଳାକାରଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ତିହିଡ଼ି କଳିଙ୍ଗ କଳାକାର ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଗଭୀର ଶୋକପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ; ପରମାନନ୍ଦ ଓ ତ୍ରିଲୋଚନ ତିହିଡ଼ି ବ୍ଲକ୍‌ କଳିଙ୍ଗ କଳାକାର ସଂଘର ସଦସ୍ୟ ଥିଲେ। ଉଭୟ ବାଦ୍ୟ କଳାକାର ଭାବେ ସୁନାମ ଅର୍ଜନ କରିଥିଲେ।

ସୂଚନା ଥାଉକି, ଭଦ୍ରକ-ଚାନ୍ଦବାଲି ରାସ୍ତାର ଚାରିତରଫ ଜେନା ସାହିଠାରୁ ସାମନ୍ତରାୟପୁର ଜେନା ସାହି ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ଆଲୋକ ବ୍ୟବସ୍ଥା ନଥିବାରୁ ଏଠାରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ତେଣୁ ତୁରନ୍ତ ଉକ୍ତ ରାସ୍ତାର ଆଲୋକୀକରଣ କରାଯିବା ପାଇଁ ସରପଞ୍ଚ ପ୍ରଶାନ୍ତ ବିଶ୍ୱାଳ, ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ସମାଜସେବୀ ରବିନାରାୟଣ ନାୟକ, ସୁଦର୍ଶନ ସ୍ୱାଇଁ, ସନ୍ଥଚରଣ ବିଶ୍ୱାଳ, ଶ୍ରୀଧର ନାୟକ, ମୁକ୍ତିକାନ୍ତ ନାୟକ, ସନାତନ ବାରିକ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର