କଟକ: ତୀର୍ଥଯାତ୍ରା ପାଇଁ ତିରୁପତି ଯାଇ ସେଠାରୁ ନିଖୋଜ ଥିବା ୩ ବରିଷ୍ଠ ମହିଳାଙ୍କ ମଧ୍ୟରୁ ୨ଜଣଙ୍କ ସନ୍ଧାନ ପାଇବାରେ ପ୍ରଶାସନ ସଫଳ ହୋଇଛି। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଳିଅନ୍ତା ବ୍ଲକ୍‌ର ଗୀତାଞ୍ଜଳି ରାଉତ୍‌ (୭୧) ଓ କେନ୍ଦ୍ରାପଡା ଜିଲ୍ଲା ଭରତପୁରର ବାସନ୍ତି ମଲ୍ଲ(୭୦)। ଗୀତାଞ୍ଜଳି ଆଜି ସନ୍ଧ୍ୟାରେ ତିରୁପତିରୁ ବାହାରିଥିବା ବେଳେ କେନ୍ଦ୍ରାପଡାର ବାସନ୍ତି ଓ ଏସ୍‌କର୍ଟ ଟିମ୍‌ ଶୁକ୍ରବାର ସକାଳୁ ଟ୍ରେନରେ ଫେରିବେ। ଏପଟେ ଏବେ ବି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ରାଣୀ ଦେବୀ(୭୦)ଙ୍କର ପତ୍ତା ମିଳିପାରୁନି। ଉଦ୍ଧାର ହୋଇଥିବା ଦୁଇ ମହିଳା ମନ୍ଦିର ଦର୍ଶନ ପୂର୍ବରୁ ଲାଇନ୍‌ରେ ଥିବା ବେଳେ ଦଳରୁ ଅଲଗା ହୋଇଯାଇଥିଲେ। ଖୋର୍ଦ୍ଧାର ଗୀତାଞ୍ଜଳି ଦଳରୁ ଅଲଗା ହୋଇଯିବା ପରେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ସେଠାକାର କିଛି ସ୍ବେଚ୍ଛାସେବୀ ଶ୍ରୀ ଭେଙ୍କଟେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ‌ରେ ଭର୍ତ୍ତି କରିଥିଲେ। କିନ୍ତୁ ଗୀତାଞ୍ଜଳିଙ୍କ ଓଡିଆ ଭାଷା ସେଠାକାର ଡାକ୍ତର ବୁଝିପାରିନଥିଲେ।

Advertisment

ଯାଫଳରେ ସେଠାରେ ଥିବା ଓଡିଆ ଡାକ୍ତର ଡାକ୍ତର ଅନିଲ କୁମାର ସାମନ୍ତରାୟଙ୍କୁ ଡକାଯାଇଥିଲା। ସେ ଉକ୍ତ ମହିଳାଙ୍କ ସହ କଥା ହେବାପରେ ତାଙ୍କର ଚିକିତ୍ସା କରିବା ସହ ତାଙ୍କ ସଂପର୍କରେ ପଚାରିଥିଲେ। ଏଥିସହ ତାଙ୍କୁ ତାଙ୍କ ଘରେ ନେଇ ରଖିଥିଲେ। ତାଙ୍କର ଆଇକାର୍ଡରେ ଥିବା ମୋବାଇଲ ନମ୍ବରରେ ଯୋଗାଯୋଗ କରିଥିଲେ। ଫଳରେ ଏସ୍‌କର୍ଟ ଅଫିସର ଡାକ୍ତରଙ୍କ ଘରେ ପହଞ୍ଚି ଗୀତାଞ୍ଜଳିଙ୍କୁ ଆଣିଥିଲେ। ଅନ୍ୟପଟେ କେନ୍ଦ୍ରାପଡା ଜିଲ୍ଲା ଭରତପୁରର ବାସନ୍ତି ମଲ୍ଲ(୭୦) ନିଖୋଜ ହେବାପରେ ଭୟଭୀତ ହୋଇପଡିଛନ୍ତି। ତାଙ୍କୁ ତିରୁପତିର ରାମାନୁଜମ୍‌ ବସ୍‌ଷ୍ଟାଣ୍ଡରୁ ଉଦ୍ଧାର କରାଯାଇଛି। ସେ ଶୁକ୍ରବାର ଦିନ ‌ତିରୁପତିରୁ ଭୁବନେଶ୍ବର ଫେରିବେ ବୋଲି କେନ୍ଦ୍ରାପଡାର ଏସ୍‌କର୍ଟ ଅଫିସର ବିଶ୍ବପ୍ରକାଶ ସାହୁ ସୂଚନା ଦେଇଛନ୍ତି।