କେସିଙ୍ଗା : ସରକାର ଶନିବାର ଓ ରବିବାର ସଟ୍ଡାଉନ୍ ଘୋଷଣା କରାଯାଇଛି। ତଥାପି କେସିଙ୍ଗାରେ ବହୁଲୋକ ଏହାକୁ ମାନୁ ନଥିବା ଲକ୍ଷ୍ୟ କରାଯାଇଛି। ୯୫ ପ୍ରତିଶତ ପୁଲିସ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପେଟ୍ରୋଲିଂ ନାହିଁ କହିଲେ ଚଳେ। ଜରୁରୀ ପରିସ୍ଥିତିରେ ଚାଲୁଛି ପୁଲିସ ଗାଡ଼ି। ଏଣୁ ଲୋକେ ମାନୁ ନାହାନ୍ତି।
ଶନିବାର ସଟ୍ଡାଉନ୍ ସମୟରେ ରେଳ ଷ୍ଟେସନ ପାଖ ଦୀପକ ଡେଲି ନିଡ୍ସ ଖୋଲିବା ଖବର ପାଇ ଏନ୍ଏସି ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଚଢ଼ଉ କରି ସିଲ୍ କରିଥିଲେ। ସେହିଭଳି ରବିବାର ଜୈନ ଭବନ ଗଳିରେ ଥିବା ଭିକ୍ଷୁକ ଜେନରାଲ ଷ୍ଟୋର ଖୋଲି ଲୁଚାଛପାରେ ବିକ୍ରି ଚାଲିଥିବା ଅଭିଯୋଗ ପାଇ ନିର୍ବାହୀ ଅଧିକାରୀ ସିଲ୍ କରିଛନ୍ତି। ପୁଲିସର ଅଭାବର ଫାଇଦା ନେଇ ସଟ୍ଡାଉନ୍ ହେଲେ ମଧ୍ୟ ପଡ଼ା ଓ ଛକରେ ଲୋକେ ଭିଡ଼ ଜମାଉଛନ୍ତି। ସଟ୍ଡାଉନ୍ ଦିନ ନିୟମ ଅନୁଯାୟୀ ସମସ୍ତେ ଘରେ ରହିବା କଥା। କିନ୍ତୁ ଏଠି ଅଧିକାଂଶ ରାସ୍ତା ଉପରେ ବୁଲୁଛନ୍ତି। ଦୈନିକ ବଜାରରେ ସବୁ ଆଡ଼େ ଭିଡ଼। ସାମାଜିକ ଦୂରତା ବୋଲି କିଛି ନାହିଁ। ଚା’ ଦୋକାନରେ ଲୋକଙ୍କ ଭିଡ଼।
ସରକାର ବୁଧବାର ଠାରୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ହେଲେ ଏହି ସହରରେ ଅମାନିଆଙ୍କ ଭିଡ଼ କୋରନାକୁ ବୃଦ୍ଧି କରିବାରେ ଲାଗିଛି। ପଜିଟିଭ୍ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ଏଣୁ ଜିଲ୍ଲା ପ୍ରଶାସନ ଏହାକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦୃଢ଼ ଦାବି ହୋଇଛି।