ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳ ଷ୍ଟେସନରେ ଆଜି ଦୁଇ ଗୋଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ ପହଞ୍ଚିଥିଲା। ଉଭୟ ଟ୍ରେନ୍‌ରେ ମୋଟ ୯୭ ଜଣ ପ୍ରବାସୀ ଶ୍ରମିକ ଆସିଥିଲେ। ଦିନ ସାଢ଼େ ୧୨ ଟାରେ ଗୋଆର ମାଡ଼ଗାଓଁ ଠାରୁ ରାଉରକେଲା ଆସୁଥିବା ଟ୍ରେନ୍‌ ପହଞ୍ଚିଥିବା ବେଳେ ଏଥିରେ ମୋଟ ୭୯ ଜଣ ଯାତ୍ରୀ ପହଞ୍ଚିଥିଲେ। ସେହିପରି ସୁରଟ ଠାରୁ ରାଉରକେଲା ଯାଉଥିବା ଦ୍ବିତୀୟ ଟ୍ରେନ୍‌ ଅପରାହ୍ନ ୪ ଟାରେ ପହଞ୍ଚିଥିଲା। ଏଥିରୁ ମୋଟ ୧୮ ଜଣ ଯାତ୍ରୀ ଓହ୍ଳାଇଥିଲେ।

Advertisment

ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମିକଙ୍କ ସ୍ବାଗତ ଓ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀଙ୍କ ଠାରୁ ପ୍ରକାଶ ଯେ, ମାଡ଼ଗାଓଁ ଗୋଆରୁ ଆସିଥିବା ଟ୍ରେନ୍‌ର ୭୯ ଯାତ୍ରୀ ଆସିଥିଲେ। ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ର ୨୧ ଜଣ, ନୁଆପଡ଼ାର ୨୫ ଜଣ, ବଲାଙ୍ଗୀରର ୪ ଜଣ, ସମ୍ବଲପୁରର ୭ ଜଣ, ଦେବଗଡ଼ର ୬ ଜଣ, ଛତିଶଗଡ଼ ୨୧ ଜଣ ଓ ମଧ୍ୟପ୍ରଦେଶର ଜଣେ ଶ୍ରମିକ ଥିଲେ। ଏହି ଶ୍ରମିକ ମାନଙ୍କୁ ବସ୍‌ ଯୋଗ ପଠାଯାଇଥିଲ।

ସେହିପରି ସୁରଟ- ରାଉରକେଲା ଦ୍ବିତୀୟ ଟ୍ରେନ୍‌ରେ ଆସିଥିବା ସମସ୍ତ ୧୮ ଜଣ ଶ୍ରମିକ ଛତିଶଗଡ଼ ହୋଇଥିବାରୁ ତାଙ୍କୁ ବସ୍‌ ଯୋଗେ ପଠାଯାଇଥିଲା। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରବାସୀ ଶ୍ରମିକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପରେ ଷ୍ଟାମ୍ପିଂ କରାଯାଇ ଖାଇବାକୁ ଦିଆଯାଇଥିଲା। ଜିଲ୍ଲାପାଳ ସରୋଜ ସାମଲ,ଏସ୍‌ପି ରାହୁଲ ପିଆର୍‌, ଉପଜିଲ୍ଲାପାଳ ଶିବ ଟପ୍ପୋ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ, ତହସିଲଦାର ଗୋଲକ ବିହାରୀ ମଙ୍ଗରାଜ, ଏସ୍‌ଡିପିଓ କୈଳାଶ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ଥାନାର ଆଇଆଇସି ଉପସ୍ଥିତ ଥିଲେ। ଶ୍ରମିକ ମାନଙ୍କ ଆଗମନ ପାଇଁ ସମଗ୍ର ରେଳ ଷ୍ଟେସନକୁ ବ୍ୟାରକେଡ଼ିଂ କରାଯାଇଥିଲା।

publive-image

ହଠାତ୍‌ ୧୪୪ ଧାରା ଜାରି ଯୋଗୁଁ ଲୋକ‌େ ହଇରାଣ

ଶ୍ରମିକ ସ୍ପେସାଲ ଟ୍ରେନ୍‌ ଆଗମନକୁ ନେଇ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବଡ଼ି ଭୋରରୁ ବରିଷ୍ଠ ପୁଲିସ ଅଧିକାରୀ ମାନଙ୍କୁ ରେଳ ଷ୍ଟେସନ ଅଞ୍ଚଳରେ ମୁତୟନ କରାଯାଇଥିଲା। ଟ୍ରେନ୍‌ରୁ ଶ୍ରମିକ ମାନେ ଓହ୍ଳାଇବା ପରେ ତାଙ୍କୁ ବସ୍‌ ଯୋଗ‌େ ପଠାଇବା ପାଇଁ ୧୫ ଗୋଟି ବସର ବ୍ୟବସ୍ଥା କରାଯାଇଥିଲା। ବସ ଯିବା ରାସ୍ତାକୁ ଖାଲି କରିବା ପାଇଁ ପୂର୍ବରୁ କୌଣସି ବ୍ୟବସ୍ଥା କରାଯାଇନଥିଲା। ମାତ୍ର ହଠାତ୍‌ ଦିନ ୧୧ ଟାରେ ପୁଲସ ମାଇକ୍‌ ଯୋଗ‌େ ଦୋକାନ ବଜାର ବନ୍ଦ କରିବାକୁ ଘୋଷଣା କରିବାରୁ ବ୍ୟବସାୟୀ ତଥା ସାଧାରଣ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଟ୍ରେନ୍‌ ଆସିବା ସମୟ ସଠିକ୍‌ ନଥିବାରୁ ପୁଲିସ ପଦକ୍ଷେପ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲା। ଦୋକାନ ବଜାର ସବୁ ଖୋଲି ସାରିଥିବା ବେଳେ ପ୍ରଶାସନ ପକ୍ଷରୁ ଉପଖଣ୍ଡ ମାଜିଷ୍ଟ୍ରେଟ୍‌ଙ୍କ ଦ୍ବାରା ୧୪୪(୧) ଧାରା ଜାରି କରାଯାଇଥିଲା। ରେଳଷ୍ଟସନ ଠାରୁ ବେହେରାମାଲ କିସାନ ଛକ ପର୍ଯ୍ୟନ୍ତ ଏଥିପାଇଁ ସମସ୍ତ ଦୋକାନ ବଜାର ବନ୍ଦ କରିବା ପାଇଁ ପୁଲିସ ମାଇକ ଯୋଗେ ପ୍ରଚାର କରିଥିଲା। ଫଳରେ ଲୋକେ ଛାନିଆ ହୋଇ ଯାଇଥିଲେ।