ସାତକୋଶିଆ ମହାବଳ ପାଇଁ ହାତୀ କସରତ ଫେଲ୍‌ : ଶିମିଳିପାଳ ଛାଡ଼ିବାକୁ ମହେନ୍ଦ୍ର, ରାଜକୁମାର ନାରାଜ

ବିରୋଧ କଲେ ସ୍ଥାନୀୟ ଲୋକ, ସ୍ଥାନାନ୍ତର ନିଷ୍ପତ୍ତି ସାମୟିକ ବାତିଲ୍‌

ଅନୁଗୁଳ/ଯଶିପୁର : ମଧ୍ୟପ୍ରଦେଶରୁ ସୁରୁଖୁରୁରେ ସାତକୋଶିଆ ଆସି ପହଞ୍ଚିଲା ମହାବଳ। କିନ୍ତୁ ମହାବଳଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଶିମିଳିପାଳରୁ ଯେଉଁ ଦୁଇ ପୋଷା ହାତୀକୁ ଆଣିବା ପାଇଁ ଯୋଜନା ହୋଇଥିଲା, ସେମାନେ ଏବେ ନାକେଦମ୍‌ କଲେଣି। ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରଙ୍କୁ ସାତକୋଶିଆ ଆଣିବା ପାଇଁ ବନ ବିଭାଗ ଶନିବାର ରାତିରୁ ଉଦ୍ୟମ ଆରମ୍ଭ କରିଛି। ଯଶିପୁରସ୍ଥିତ ଜାତୀୟ ଉଦ୍ୟାନ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଟ୍ରକ୍‌ ନେଇ ଠିଆ ହୋଇଛି। କିନ୍ତୁ ହାତୀ ଦୁହେଁ ଟ୍ରକ୍‌କୁ ଚଢ଼ୁ ନ ଥିବାରୁ ଗତ ୨୪ଘଣ୍ଟା ହେଲା ବନ ବିଭାଗ ନାକେଦମ୍‌ ହେଲାଣି। କେବଳ ହାତୀ ନୁହେଁ, ସ୍ଥାନୀୟ ଲୋକେ ମଧ୍ୟ ମହେନ୍ଦ୍ର ଓ ରାଜକୁମାରକୁ ଛାଡ଼ିବାକୁ ପୂରା ନାରାଜ। ସବୁଆଡ଼ୁ ବିଫଳ ହେବା ପରେ ଶେଷ ମୁହୂର୍ତ୍ତରେ ହାତୀ ସ୍ଥାନାନ୍ତରକୁ ସାମୟିକ ପାଇଁ ବନ ବିଭାଗ ସ୍ଥଗିତ ରଖିଥିବା ଜଣାପଡ଼ିଛି।

ଉଲ୍ଲେଖ ଯୋଗ୍ୟ, ୨୦୦୧ମସିହାରେ ସୁଦୂର କର୍ଣ୍ଣାଟକରୁ ବନ ବିଭାଗ ବଡ଼ ହାତୀ ମହେନ୍ଦ୍ରକୁ ଆଣିଥିଲା। ସମୟ କ୍ରମେ ମହେନ୍ଦ୍ର ଶିମିଳିପାଳର ଅତିଥି ହୋଇ ପରେ ପାଳିତ ପରିବାର ସଦସ୍ୟ ବନି ଯାଇଛି। ବୟସ ତା’ର ଏବେ ୫୬ବର୍ଷ ହେଲାଣି। କିନ୍ତୁ ଶିମିଳିପାଳ ଛାଡ଼ି ସାତକୋଶିଆ ଆସିବାକୁ ସେ ରାଜି ହେଉନି। କେବଳ ମହେନ୍ଦ୍ର ନୁହେଁ, ସାଙ୍ଗରେ ତା’ର ୧୬ ବର୍ଷିଆ ଯବାନ ପୁଅ ରାଜକୁମାରକୁ ମଧ୍ୟ ସାତକୋଶିଆ ଆସିବାକୁ ନାରାଜ।

ଏଭଳି ପରିସ୍ଥିତିରେ କଂଗ୍ରେସର ପୂର୍ବତନ ସାଂସଦ ସୁଶ୍ରୀ ସୁଶିଳା ତିରିଆଙ୍କ ନେତୃତ୍ୱରେ ୫୦ରୁ ଊର୍ଦ୍ଧ୍ୱ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଯଶିପୁରସ୍ଥିତ ଜାତୀୟ ଉଦ୍ୟାନ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଆଜି ପହଞ୍ଚି ହାତୀ ସ୍ଥାନାନ୍ତରକୁ କଡ଼ା ବିରୋଧ କରିଛନ୍ତି। ସବୁଆଡ଼ୁ ବିଫଳ ହେବା ପରେ ସାମୟିକ ଭାବେ ଶିମିଳିପାଳରୁ ସାତକୋଶିଆକୁ ହାତୀ ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ ସ୍ଥଗିତ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର