ପଡିଆ : ବୁଡ଼ିଗଲେ ଦୁଇ ଭଉଣୀ

ପଡିଆ : ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ମୁକାନପାଲ୍ଲୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଅକାଳେ ପ୍ରାଣ ହରାଇଛନ୍ତି ଦୁଇ ନାବାଳକ ଭଉଣୀ। ଏହି ଘଟଣା ପରିବାର ଲୋକଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଉପରୋକ୍ତ ଗାଁର ଉପେଲ ଗଙ୍ଗାଙ୍କ ପତ୍ନୀ ଆଜି ସକାଳେ ଧାନ କାଟିବାକୁ ଘରୁ ବାହାରିଥିଲେ। ପ୍ରାୟ ୫ଶହ ମିଟର ଦୂରରେ ଚାଷ ଜମି ରହିଥିବାରୁ ଦୁଇ ଝିଅ ୩ବର୍ଷ ଏବଂ ୬ବର୍ଷକୁ ମଧ୍ୟ ସାଥୀରେ ଧରି ଯାଇଥିଲେ। ଉଭୟଙ୍କୁ ଜମି ହିଡ଼ରେ ବସାଇ ସେ ଧାନ କାଟିବା ଆରମ୍ଭ କରିଥିଲେ। ମା ବ୍ୟସ୍ତ ଥିବା ଦେଖି ଦୁଇ ଝିଅ ଖେଳାଖେଳି କରି ନିକଟରେ ଥିବା ପୋଖରୀ କୂଳକୁ ଚାଲି ଯାଇଥିଲେ। ଦୁର୍ଭାଗ୍ୟବଶତଃ ନିୟନ୍ତ୍ରଣ ହରାଇ ପ୍ରଥମେ ୩ବର୍ଷର ସାନ ଝିଅ ପୋଖରୀ ଭିତରକୁ ଖସି ପଡ଼ିଥିଲା। ଛଟପଟ ହୋଇ କୂଳକୁ ଆସିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇ ନଥିଲା। ସାନ ଭଉଣୀ ଉବୁଟୁବୁ ହେଉଥିବା ଦେଖି ତାକୁ ଉଦ୍ଧାର କରିବାକୁ ୬ବର୍ଷର ବଡ଼ ଭଉଣୀ ମଧ୍ୟ ପୋଖରୀରେ ପଶି ଯାଇଥିଲା। ସେ ମଧ୍ୟ ପାଣିରୁ ଆଉ ବାହାରି ପାରି ନଥିଲା। ଧାନ କଟା ସରିବା ପରେ ମା ଆସି ଖୋଜିବା ବେଳକୁ ଦୁଇ ଝିଅ ନଥିଲେ। ଆଖପାଖରେ ଖୋଜାଖୋଜି କରିବାରୁ ଉଭୟ ପୋଖରୀରେ ବୁଡ଼ି ଯାଇଥିବା ଜଣାପଡ଼ିଥିଲା। ଗାଁ ଲୋକ ପୋଖରୀରେ ପଶି ଉଭୟଙ୍କ ଶବ ଉଦ୍ଧାର କରିଥିଲେ। ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଗାଁରେ ପହଞ୍ଚିଥିଲେ। ଦୁଇ ଶିଶୁଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଏ ନେଇ ମୋଟୁ ଥାନାରେ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର