ନାରୀକୁ ନ୍ୟାୟ ଏମିତି : ୧୭ ମାସ ବିତିଗଲା, କେହି ଶୁଣୁନାହାନ୍ତି, ରାଜଧାନୀ ରାସ୍ତାରେ ପାର୍ବତୀ, ଦୈମତୀ; କେବେ ଚେତିବ ମହିଳା ସଂଗଠନ

ଭୁବନେଶ୍ୱର : ଗାଁ ଦାଣ୍ଡରେ ଚୁଟି ଘୋଷାରି ଦୁଇ ଭଉଣୀଙ୍କୁ ଅତି ନିର୍ମମ ଭାବେ ପିଟିଲେ। ଖୋଲାଖୋଲି ଅସଦାଚରଣ କଲେ। ଅଥଚ ଏସବୁ ଦେଖୁଥିବା ଲୋକେ କେବଳ ଦେଖଣାହାରୀ ସାଜିଲେ। ମାଡ଼ର ଯନ୍ତ୍ରଣା ସହି ନପାରି ସାହିପଡ଼ିଶାଙ୍କ ଘରକୁ ଦୌଡ଼ିଗଲେ। କିନ୍ତୁ ସମସ୍ତେ ଦ୍ୱାର କିଳିଦେଲେ। ଗାଁ ଘର ତାଲା ପକେଇ ଦୁଇ ଭଉଣୀଙ୍କୁ ତାଙ୍କ ନିଜ ଘରୁ ତଡ଼ି ଦିଆଗଲା। ହେଲେ ସବୁ ଦେଖି ସାହି ପଡ଼ିଶା ଚୁପ୍‌ ରହିଲେ। ନ୍ୟାୟ ପାଇଁ ଥାନାରେ ନେହୁରା ହୋଇ ନିରାଶ ହେବାରୁ ସାନ ଭଉଣୀ ଆତ୍ମହତ୍ୟା ଉଦ୍ୟମ କଲା। ମାତ୍ର ଏଥିପାଇଁ ଦୁହିଁଙ୍କୁ ମାନସିକ ବିକୃତର ଆଖ୍ୟା ଦିଆଗଲା। ଏନେଇ ଥାନା ଅଧିକାରୀ, ଡିଏସ୍‌ପି, ଏସ୍‌ପି, ଡିଜିଙ୍କୁ ଭେଟି ଦୁଃଖ ଜଣାଇଲେ। କିନ୍ତୁ ନ୍ୟାୟ ତ ଦୂରର କଥା କେହି ଟିକେ ଦରଦ ବି ଦେଖେଇଲେନି। ସବୁଆଡ଼ୁ ନିରାଶ ହେବା ପରେ ଲୋୟର ପିଏମ୍‌ଜିରେ ପ୍ରତିଦିିନ ସକାଳେ ଦୁଇ ଭଉଣୀ କାନି ପତେଇ ନ୍ୟାୟର ଭିକ୍ଷା ମାଗୁଛନ୍ତି। ଅଥଚ ନାରୀ ପ୍ରତି ଅସଦାଚରଣ ହେଉହେଉ ତୁମ୍ବିତୋଫାନ କରି ଦେଉଥିବା କୌଣସି ମହିଳା ସଂଗଠନ ନା ଏମାନଙ୍କ ପାଇଁ ଆଗେଇ ଆସିଛି ନା କୋଉ ଦଳର ମହିଳା ମୋର୍ଚା ଏମାନଙ୍କ ପାଇଁ ସ୍ୱର ଉଠାଇଛି। ଯେମିତି ଏ ଦୁଇ ଭଉଣୀ ସମାଜ ବାହାରର ମଣିଷ! କୋରାପୁଟ ଜିଲ୍ଲା ଲମତାପୁଟର ପାର୍ବତୀ ମାଝୀ (୨୭) ଓ ଦୈମତି ମାଝୀ (୨୮) ଦୀର୍ଘ ୧୭ମାସ ହେବ ନ୍ୟାୟ ପାଇଁ ୧୨ ଦୁଆର ଷୁଣ୍ଢିପିଣ୍ଡା ହେଉଛନ୍ତି। ମାତ୍ର ତାଙ୍କ ପାଇଁ ଯେମିତି ଆମ ସମାଜର ନ୍ୟାୟ ବ୍ୟବସ୍ଥା ଆଖି ମୁଦି ଦେଇଛି।

ପାର୍ବତୀ ଓ ଦୈମତିଙ୍କ ବାପା ବୃନ୍ଦାବନ ମାଝୀ ଗ୍ରାମରକ୍ଷୀ ଭାବେ ଚାକିରି କରୁଥିବା ବେଳେ ହଠାତ୍‌ ତାଙ୍କୁ ନିମୋନିଆ ହେବାରୁ ସେ ଆଶାକିରଣ ହସ୍ପିଟାଲ୍‌ରେ ମୃତ୍ୟୁବରଣ କଲେ। ମୃତ୍ୟୁ ପରେ ଦିହେଁ ବାପାଙ୍କୁ ନିଜ ଘରକୁ ଆଣି ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କଲେ। ଅଥଚ କେହି ଆସିଲେ ନାହିଁ। ତେଣୁ ଦୁଇ ଝିଅ ବାପାଙ୍କ ଶବକୁ ଖଟ ଉପରେ ଶୁଆଇ ସାରାରାତି ବସିରହିଲେ। ସକାଳ ପର୍ଯ୍ୟନ୍ତ କେହି ନଆସିବାରୁ ପାର୍ବତୀ ଓ ଦୈମତି ଶବ ଦାହ ପାଇଁ ୩ କିଲୋମିଟର ଦୂରକୁ କାଠ ଆଣିବାକୁ ଗଲେ। କାଠ ଟ୍ରାକ୍ଟର୍‌ରେ ଲୋଡ୍‌ କରି ଆସିବା ପରେ ଘଟଣାର ମୋଡ଼ ବଦଳିଯାଇଥିଲା। ଦୁଇ ଭଉଣୀ ନିଜ ବାପାଙ୍କୁ ହତ୍ୟା କରିବା ଅଭିଯୋଗ କରି ସମ୍ପୃକ୍ତ ଅଞ୍ଚଳର କୁମୁଳ ମୁଦୁଲି, ସୁକୁ ନାୟକ, ପୂର୍ଣ୍ଣ ନାୟକ, ପଦ୍ମା ମାଝୀ, ଶୁକ୍ରା ମାଝୀ, ଜୟ ମାଝୀ, ହରିବନ୍ଧୁ ମାଝୀ, ମଙ୍ଗଳା ମାଝୀ, ଶୁକ୍ରି କଥଲେଲ ଓ ମଙ୍ଗଳା କଥଲେଲ୍‌ ତାଙ୍କୁ ରାସ୍ତା ଦାଣ୍ଡରେ ତଳେ ପକାଇ ଗୋଇଠା ବିଧା ମାରିଲେ। ଏହାକୁ ଦେଖି ସାନ ଭଉଣୀ ପ୍ରତିବାଦ କରିବା ସହ ରେକର୍ଡିଂ କରିବାରୁ ତାଙ୍କଠାରୁ ମୋବାଇଲ୍‌ ବି ଛଡ଼େଇ ନେବା ସହ ଅସଦାଚରଣ କରିଥିଲେ ବୋଲି କହିଛନ୍ତି ପାର୍ବତୀ। ପରେ ଯେତେବେଳେ ଦୁଇ ଭଉଣୀ ମେଡିକାଲ୍‌ରୁ ଆସି ନିଜ ଘରକୁ ଫେରିଲେ ତାଙ୍କ ବାପାଙ୍କ ଶବ ଦେଖିବାକୁ ପାଇ ନଥିଲେ। ବରଂ ତାଙ୍କ ଘରେ ତାଲା ଝୁଲେଇ ଦେଇଥିବା କିଛି ଲୋକେ ତାଙ୍କୁ କହିଲେ, ଏବେଠୁ ଏଠି ଆଉ ତମର ଅଧିକାର ନାହିଁ। ତେବେ ପ୍ରଶ୍ନ ଉଠୁଛି କୋଉ ଆଧାରରେ ଦୁଇ ଭଉଣୀଙ୍କୁ ତାଙ୍କ ବାପାଙ୍କର ହତ୍ୟାକାରୀ ବୋଲି ବିବେଚନା କରାଗଲା ଏବଂ ଆଇନକୁ ହାତକୁ ନେଇ ଦୁଇ ଝିଅଙ୍କୁ ମାଡ଼ ମାରିବାକୁ କିଏ ନିର୍ଦେଶ ଦେଲା ? ପାର୍ବତୀଙ୍କ କହିବା ମୁତାବକ କିଛି ରାଜନୈତିକ ବ୍ୟକ୍ତିଙ୍କର ତାଙ୍କ ବାପାଙ୍କ ସହ ଶତୃତା ଥିଲା। ତେଣୁ ଏହି ରାଗ ସେ ତାଙ୍କର ଦୁଇ ଝିଅଙ୍କ ଉପରେ ଶୁଝାଇଥିବା ବେଳେ ଉଭୟଙ୍କୁ ଘରୁ ତଡ଼ିଦେବା ସହ ଉଭୟଙ୍କ ନାମରେ ଥିବା ଘର ଓ ଜମିକୁ ଅକ୍ତିଆର କରିବାକୁ ମସୁଧା ଚଳାଇଛନ୍ତି। ଫଳରେ ଦୁଇ ଭଉଣୀଙ୍କ ନିଜ ଘର ଥାଇ ମଧ୍ୟ ସେମାନଙ୍କୁ ବାର ଦୁଆର ହେବାକୁ ପଡ଼ିଛି।

୨୦୧୫ରେ ମା ରାଧିକା ମାଝୀଙ୍କ ମୃତ୍ୟୁ ଏବଂ ୨୦୧୬ରେ ବାପାଙ୍କର ମୃତ୍ୟୁ ପରେ ଏବେ ଦିହେଁ ବାପା ମା ଛେଉଣ୍ଡ ହୋଇଯାଇଛନ୍ତି। ଅଥଚ ସାମାଜିକ ବିଧି ବ୍ୟବସ୍ଥାର ଏହି ଅଜବ ଆଇନ କାନୁନ ଭିତରେ ବଳି ପଡ଼ିଛି ପାର୍ବତୀ ଓ ଦୈମତିଙ୍କ ଭଳି ଦୁଇଟି ନୀରିହ ଜୀବନ। କୋରାପୁଟରୁ ନିରାଶ ହେବା ପରେ ଭୁବନେଶ୍ୱରରେ ସରକାରଙ୍କୁ ଗୁହାରି କଲେ ଶୁଣିବେ ବୋଲି ଆଶା କରି ଲୋୟର ପିଏମ୍‌ଜିରେ ଦୁଇ ଭଉଣୀ ଧାରଣା ଦେଇଛନ୍ତି। ଇତିମଧ୍ୟରେ ୧୦୮ ଦିନ ବିତିଗଲାଣି, କିନ୍ତୁ କେହି କେବେ ଆସି ତାଙ୍କ ଦୁଃଖ ବୁଝିନାହାନ୍ତି। ଏବେ ସେହି ପିଏମ୍‌ଜିରେ କାହାର ହାତଟେକାକୁ ଭରସା କରି ରୋଷେଇ ଖରି ଖାଉଛନ୍ତି ଏବଂ ପୁଲିସ୍‌ କ୍ୟାମ୍ପ୍‌ରେ ରାତି କାଟୁଛନ୍ତି। ଏ ଭିତରେ ବି ସେ ପିଏମ୍‌ଜିରେ ଅସଦାଚରଣର ଶିକାର ହୋଇଛନ୍ତି। ନିଜ ଘର, ଜମିବାଡ଼ି ଥାଇ ମଧ୍ୟ ଦୁହେଁ ବଞ୍ଚିବା ପାଇଁ ସଂଘର୍ଷ କରିବା ନେଇ ବୁଦ୍ଧିଜୀବୀମାନେ ନ୍ୟାୟିକ ବ୍ୟବସ୍ଥାର ଏ ବିକୃତିକୁ ନିନ୍ଦା କରିଛନ୍ତି। ଲୋୟର ପିଏମ୍‌ଜିରେ ନ୍ୟାୟ ପାଇଁ ଏ ଦୁଇ ଭଉଣୀଙ୍କ ଆକୁଳ ନିବେଦନ ଦେଖିଲେ ଲାଗୁଛି ଯେମିତି ସବୁ ସାମାଜିକ ସଂଗଠନ ଏବେ ନିଦ୍ରା ଯାଇଛନ୍ତି।

ସମ୍ବନ୍ଧିତ ଖବର