ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ!, ଘରକୁ ଫେରି ସାନ ଭଉଣୀର ଆତ୍ମହତ୍ୟା

କଟକ-ସିଡିଏ : କଟକ ସିଡିଏ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। କାଠଯୋଡ଼ି ବିହାର ମୁଣ୍ତାସାହିରେ ରହୁଥିବା ଦୁଇ ନାବାଳିକା ଭଉଣୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଛି। ଜଣେ ନାବାଳିକା ଏଯାଏ ନିଖୋଜ ଥିବା ବେଳେ ଅନ୍ୟ ଜଣେ ଘରକୁ ଫେରି ଆସି ଆତ୍ମହତ୍ୟା କରିଛି। ଏହି ଘଟଣାରେ ୪ରୁ ୫ ସ୍ଥାନୀୟ ଯୁବକ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ସପ୍ତାହକ ତଳେ ଦୁଇ ଭଉଣୀ ନିଖୋଜ ହୋଇଯାଇଥିବା ବେଳେ ଏ ସଂପର୍କରେ ଥାନାରେ ଅଭିଯୋଗ ହୋଇଥିଲା। ଗତକାଲି ଦୁର୍ବୃତ୍ତଙ୍କ କବଳରୁ ଖସି ଆସିଥିବା ସାନ ଭଉଣୀ ପୁଲିସ ନିକଟରେ ବୟାନ ଦେଇ ଘରକୁ ଫେରିଥିବା ବେଳେ ଆଜି ଭୋର ସମୟରେ ଘର ଭିତରେ ଆତ୍ମହତ୍ୟା କରିଛି। ଏହି ଘଟଣା ସିଡିଏ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମର୍କତନଗର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପୁଲିସ ଟିମ୍‌ ଦୁର୍ବୃତ୍ତଙ୍କୁ ଠାବ କରିବାକୁ ପୁରୀ ଜିଲ୍ଲା ପିପିଲି ଅଞ୍ଚଳକୁ ଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ କାଠଯୋଡ଼ି ବିହାର ମୁଣ୍ତା ସାହି ବସ୍ତିରେ ରହୁଥିବା ଏହି ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ଅଷ୍ଟମ ଓ ଜଣେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ। ଗତ ଏକ ସପ୍ତାହ ହେବ ସ୍ଥାନୀୟ ଅଞ୍ଚଳର ଦୁର୍ବୃତ୍ତମାନେ ଦୁଇ ଉଭଣୀଙ୍କୁ ବସ୍ତିରୁ ଅପହରଣ କରି ନେଇଥିଲେ। ତାଙ୍କ ମା’ ଏ ସ˚କ୍ରାନ୍ତରେ ଅପହରଣ ଘଟଣାର ପରଦିନ ମର୍କତନଗର ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ସେମାନଙ୍କୁ ଖୋଜାଖୋଜି କରୁଥିଲା। ଗତକାଲି ସାନ ଭଉଣୀ ଦୁର୍ବୃତ୍ତଙ୍କ କବଳରୁ ଖସି ଆସିଥିଲେ। ପୁଲିସ ତାଙ୍କୁ ଗତକାଲି ସନ୍ଧ୍ୟାରେ ଥାନାକୁ ଡାକି ନେଇ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ନିର୍ଦ୍ଦିଷ୍ଟ ଭାବେ କେଉଁମାନେ ଅପହରଣ କରିଛନ୍ତି, ସେ ସମ୍ପର୍କରେ ପୁଲିସ ତାକୁ ପଚରାଉଚରା କରିଥିଲା। ସେହି ସମୟରେ ଚାଇଲଡ ଲାଇନର ସଦସ୍ୟମାନେ ବି ଥାନାରେ ଉପସ୍ଥିତ ଥିଲେ। ଥାନାରୁ ଆସି ନାବାଳିକା ଜଣକ ଘରେ ରାତିରେ ଥିଲେ। ଆଜି ଭୋର ପ୍ରାୟ ୪ଟା ବେଳେ ଘରେ ବେକରେ ରଶି ବାନ୍ଧି ସେ ଆତ୍ମହତ୍ୟା କରିଛନ୍ତି। ମର୍କତନଗର ଥାନା ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ଶବ ଉଦ୍ଧାର କରିବା ପରେ ବଡ଼ ମେଡିକାଲ୍‌ରେ ବ୍ୟବଚ୍ଛେଦ କରାଇଛି। ସନ୍ଧ୍ୟାରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି। ଦୁଇ ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଥିବା କୁହାଯାଉଥିବା ବେଳେ ଏହି ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ପୁଲିସ ଅଭିଯୁକ୍ତଙ୍କୁ ଧରିବା ସହ ଅନ୍ୟ ନାବାଳିକାକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧିତ ଖବର