ଅଚିହ୍ନା ରୋଗ ଆତଙ୍କ : ପରିବାରର ୨ ଭଉଣୀ ମୃତ, ୩ ଅସୁସ୍ଥ

ତିର୍ତ୍ତୋଲ : ତିର୍ତ୍ତୋଲ ବ୍ଲକ ବିରିତୋଳ ପଞ୍ଚାୟତ ସଲମପୁର ଗ୍ରାମରେ ଅଚିହ୍ନା ରୋଗରେ ଦୁଇଭଉଣୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ସଲମପୁର ଗାଁର ଭୂୟାଁ ରଗଡ଼ଙ୍କ ସାନଝିଅ ଶୁଭଶ୍ରୀ(୫) ଗତ ୯ ତାରିଖ ଦିନ ଅସୁସ୍ଥ ହେବାରୁ ତାଙ୍କୁ ଜଗତସିଂହପୁର ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ସାନଝିଅ ଶୁଭଶ୍ରୀଙ୍କର ମୃତ୍ୟୁ ହେବା ପରେ ଗତକାଲି ପୁଣି ପରିବାରର ମୁରବୀ ବିଜୟ ରଗଡ, ବଡ଼ ଝିଅ ଇତିଶ୍ରୀ(୧୨), ମଝିଆଁ ଝିଅ ଜୟଶ୍ରୀ(୧୦), ବଡ଼ ଭାଇ ଟୁଅାଁ ରଗଡ଼ଙ୍କ ଝିଅ ରାଜଶ୍ରୀ(୧୫) ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କର ଜ୍ୱର ଓ ବାନ୍ତି ହୋଇଥିଲା। ଜୟଶ୍ରୀ ଅଧିକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ କଟକ ଶିଶୁ ଭବନକୁ ନିଆଯାଇଥିଲା। ଆଜି ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ବିଜୟ, ଇତିଶ୍ରୀ ଓ ରାଜଶ୍ରୀ ଏବେ କଟକର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଦୁଇ ଝିଅ ମୃତ୍ୟୁବରଣ କରିବା ପରେ ସେମାନଙ୍କ ମୁହଁରୁ ଫେଣ ବାହାରିବା ଓ ଦେହ ହାତ ହଳଦୀ ବର୍ଣ୍ଣ ହୋଇଯାଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି। ଖବର ପାଇ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଟିମ୍‌ ସଲମପୁର ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଖାଦ୍ୟ ଅପମିଶ୍ରଣ ଯୋଗୁଁ ଏଭଳି ହୋଇ ଥାଇପାରେ ବୋଲି ସରପଞ୍ଚ ଋକ୍‌ସାନା ବେଗମ୍‌ କହିଛନ୍ତି।

ସମ୍ବନ୍ଧିତ ଖବର