ଫୁଲ ତୋଳିବାକୁ ଯାଇ ନଈରେ ବୁଡ଼ିଗଲେ, ଦୁଇ ସଂପର୍କୀୟ ଭଉଣୀ ମୃତ
ଗୋପାଳପୁର/ତାରପୁର/କିଶନନଗର : କଟକ କିଶନନଗର ଥାନା ବାବୁଜଙ୍ଗ ପଂଚାୟତ ସଫିପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଖୁଦୁରୁକୁଣୀ ପୂଜା ପାଇଁ ଫୁଲ ତୋଳିବାକୁ ଯାଇ ଦୁଇ ଜଣ ସଂପର୍କୀୟ ଭଉଣୀ ନଈରେ ବୁଡ଼ି ପ୍ରାଣ ହରାଇଛନ୍ତି। ସୌଭାଗ୍ୟବଶତଃ ଅନ୍ୟ ଜଣେ ସଂପର୍କୀୟ ଭଉଣୀ ବର୍ତ୍ତି ଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ନୃସିଂହ ଦାସଙ୍କ ଝିଅ ସୁନିତା ଦାସ (୨୦), ଧୀରେନ୍ଦ୍ର ଦାସଙ୍କ ଝିଅ ସୁଜାତା ଦାସ (୧୭), ପ୍ରଦୀପ୍ତ ଦାସଙ୍କ ଝିଅ ସୁମନ ଦାସ(୧୭) ଓ ଗ୍ରାମର ଅନ୍ୟଜଣେ ଯୁବତୀ ଖୁଦୁରୁକୁଣୀ ଓଷା ପାଇଁ ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ ଥିବା ସୁକପାଇକା ନଦୀବନ୍ଧକୁ ଫୁଲ ତୋଲିବାକୁ ଯାଇଥିଲେ। ଗଛରୁ ଫୁଲ ତୋଳୁଥିବାବେଳେ ଗଛମୂଳ ଧସିଯିବାରୁ ସୁଜାତା ଓ ସୁମନ ଖାଲରେ ଖସିପଡ଼ିଥିଲେ। ନଦୀରେ ବନ୍ୟାଜଳ ସୁଅରେ ଦୁଇ ଜଣ ବୁଡ଼ି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରି ସୁଜାତା ବି ପାଣିରେ ଭାସି ଯାଇଥିଲେ। ଉପରେ ଥିବା ଗ୍ରାମର ଅନ୍ୟ ଛୋଟ ଝିଅଟି ବଡ଼ପାଟିରେ ଡାକ ପକାଇବାରୁ ଲୋକେ ସେଠାରେ ପହଁଚି ସୁଜାତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ମଧ୍ୟ ଅନ୍ୟ ଦୁଇ ଭଉଣୀ ନିଖୋଜ ହୋଇଯାଇଥିଲେ। ପରେ, ସେମାନଙ୍କୁ ଜାଲ ପକାଇ ଉଦ୍ଧାର କରାଯାଇଥିଲା।
ସମସ୍ତ ୩ ଜଣଙ୍କୁ ଗ୍ରାମବାସୀମାନେ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ। ସେଠାରେ ଡାକ୍ତର ସୁମନ ଓ ସୁନିତାଙ୍କୁ ମୃତ ଘୋଷଣା କରିଥିବାବେଳେ ସୁଜାତା ଚିକିତ୍ସାପରେ ସୁସ୍ଥ ଥିବା ଜଣାଯାଇଛି।
ମୃତ ସୁନିତା ଓ ସୁମନ ବତୀସ୍ଥିତ ସ୍ୱାମୀ ଅରୁପାନନ୍ଦ କଲେଜର +୨ ଛାତ୍ର ଥିବା ବେଳେ ସୁଜାତା +୩ ପାସ କରି ସାରିଛନ୍ତି। ମାହାଳହାଟ ଫାଣ୍ଡି ପୁଲିସ ରଘୁନାଥପୁର ଡ଼ାକ୍ତରଖାନାରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଥିଲେ।
କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ବିଜେପି ନେତା ଦିଲ୍ଲୀପ କୁମାର ମଲିକ, ଦ୍ବୀପାଞ୍ଚଳ ଉନୟନ ପରିଷଦ ଅଧ୍ୟକ୍ଷ ପୀତାମ୍ବର ପରିଜା ମୃତକଙ୍କ ପରିବାରକୁ ଭେଟି ଗଭୀର ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାରଙ୍କୁ ସାନ୍ତ୍ୱନା ଦେଇଛନ୍ତି ।