କେନ୍ଦ୍ରାପଡ଼ା: ଦୁଇ ସଉତୁଣୀଙ୍କ ମଧ୍ୟରେ କଳି ଯୋଗୁଁ ପୁରୀ ସ୍ବର୍ଗଦ୍ବାରକୁ ସତ୍କାର ପାଇଁ ଯାଉଥିବା ଶବ ଅଧାବାଟରୁ ଥାନାକୁ ଫେରିଛି। ପାରିବାରିକ ବିବାଦକୁ କେନ୍ଦ୍ରକରି ଆଜି ଏଭଳି ଏକ ଅଭାବନୀୟ ଘଟଣା ଡେରାବିଶ ବ୍ଲକ୍‌ ରତାଦିଆଖଣ୍ତସାହି ପଞ୍ଚ‌ାୟତର କାଦୁଆ ଗ୍ରାମରେ ଦେଖିବାକୁ ମିଳିଛି। ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ପ୍ରଥମ ପତ୍ନୀ ସଙ୍ଗିନ ଅଭିଯୋଗ ଆଣିବା ପରେ ପୁଲିସ ଅଧାବାଟରୁ ଶବକୁ ଫେରାଇ ଆଣି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ବିମଳ ମଲ୍ଲିକ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ କାଦୁଆ ଗ୍ରାମର ବସନ୍ତ ତ୍ରିପାଠୀ ଦୁଇଜଣଙ୍କୁ ବିବାହ କରିଥିଲେ। ପ୍ରଥମ ପତ୍ନୀ ଅନୁପମା ତ୍ରିପାଠୀ(୭୨) ପାଞ୍ଚଟି ପିଲା(ତିନି ଝିଅ, ଦୁଇ ପୁଅ)ଙ୍କ ସହିତ ଗାଁରେ ରହୁଥିବା ବେଳେ ଶ୍ରୀ ତ୍ରିପାଠୀ ଦ୍ବିତୀୟ ବିବାହ କରି ଠାକୁରପାଟଣାରେ ଘର କରି ରହୁଥିଲେ। ଦ୍ବିତୀୟ ପତ୍ନୀ ସରକାରୀ ଚାକିରି କରିଥିବା ବେଳେ ତାଙ୍କର ତିନିଟି ପିଲା(ଦୁଇ ଝିଅ, ଗୋଟିଏ ପୁଅ) ଅଛନ୍ତି।

Advertisment

ଗତକାଲି ରାତିରେ ଶ୍ରୀ ତ୍ରିପାଠୀ ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦ୍ବିତୀୟ ପତ୍ନୀଙ୍କ ପରିବାର ଲୋକେ ସ୍ବର୍ଗତ ତ୍ରିପାଠୀଙ୍କୁ ଶେଷକୃତ୍ୟ ପାଇଁ ପୁରୀ ସ୍ବର୍ଗଦ୍ବାର ନେଇ ଯାଉଥିଲେ। ଖବର ପାଇବା ପରେ ପ୍ରଥମ ପତ୍ନୀ ଅନୁପମା ତ୍ରିପାଠୀ ସଦର ଥାନାରେ ପହଞ୍ଚି ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି ବୋଲି ଏତଲା ଦେଇଥିଲେ। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ୨୭ ବର୍ଷ ହେବ ସ୍ବାମୀ ତାଙ୍କୁ ଛାଡ଼ି ଠାକୁରପାଟଣାରେ ଜଣେ ମହିଳାଙ୍କ ସହିତ ରହି ଆସୁଛନ୍ତି। ଆଜି ସକାଳ ୮ଟାରେ ସେ ସ୍ବାମୀଙ୍କ ଦେହ ଅସୁସ୍ଥ ଥିବା ଖବର ପାଇଥିଲେ। ହସ୍ପିଟାଲ୍‌କୁ ଯିବା ପରେ ସ୍ବାମୀଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ମୃତ୍ୟୁର କାରଣ ସ˚ପର୍କରେ କେହି କିଛି କହି ନଥିଲେ। ତେଣୁ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ଶବ ବ୍ୟବଚ୍ଛେଦ ପାଇଁ  ଦାବି କରିଥିଲେ।

ପୁଲିସ ଅଭିଯୋଗ ପାଇଲା ବେଳକୁ ଶବ ନେଉଥିବା‌ ଆମ୍ବୁଲାନ୍ସଟି ଜଗତପୁର ପାଖାପାଖି ହୋଇଥିଲା। ପୁଲିସ ସେଠାରୁ ଶବକୁ ଥାନାକୁ ଫେରାଇ ଆଣିଥିଲା। ଥାନା ଅଧିକାରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ପ୍ରଥମ ପତ୍ନୀ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଦ୍ବିତୀୟ ପତ୍ନୀ ଓ ପିଲାମାନେ ଶବ ନେଇ ପୁରୀ ସ୍ବର୍ଗଦ୍ବାରକୁ ଯାଉଥିଲେ। ଶବବାହକ ଗାଡ଼ିକୁ ଜଗତପୁର ନିକଟରୁ ଥାନାକୁ ଫେରାଇ ଅଣାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ। ଉଭୟ ପକ୍ଷଙ୍କ ସହିତ ଆଲୋଚନା ପରେ ଶବ କାହାକୁ ହସ୍ତାନ୍ତର କରାଯିବ, ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।