ଫୁଲବାଣୀ : ଶନିବର ପୂର୍ବାହ୍ନରେ କନ୍ଧମାଳ ଜିଲ୍ଲାରେ ଲାଲ୍‌ବାହିନୀ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି। କନ୍ଧମାଳ ଜିଲ୍ଲାର ଗୋଛାପଡ଼ା ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ଜଣ ଯବାନ ଗୁରୁତର ହୋଇଛନ୍ତି। ଏହି ଖବର ପାଇବା ପରେ ଆଜି ପୁଲିସ ଡିଜି ଅଭୟ କୋରାପୁଟ ଗସ୍ତ ବାତିଲ କରି ନିଜ ହେଲିକପ୍‌ଟର ଯୋଗେ ଏୟାର୍ ଲିଫ୍‌ଟିଂ କରି ଆହତ ଯବାନଙ୍କୁ ଭୁବନେଶ୍ବର ଏମ୍‌ସ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆହତ ଦୁଇ ଯବାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଏମ୍‌ସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Advertisment

ଗୋଛାପଡ଼ା ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀଙ୍କ ଉପସ୍ଥିତି ଖବର ପାଇ ଗତକାଲି ରାତିରୁ ପୁଲିସର ଆଣ୍ଟି ନକ୍ସଲ ଅପରେସନ ଟିମ୍‌ କମ୍ବିଂ ଅପରେସନ୍‌ ଜାରି ରଖିଥିଲା।

ସିଆରପିଏଫ୍‌ ପୁଲିସ, ଏସ୍‌ଓଜି ବାହିନୀ ଏବଂ କନ୍ଧମାଳ ପୁଲିସ ମିଳିତ ଭାବେ ଜଙ୍ଗଲରେ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ପୁଲିସ ଉପରକୁ ମାଓବାଦୀ ଅତର୍କିତ ଗୁଳିଚାଳନା କରିଥିଲେ। ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ବହୁ ସମୟ ଧରି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ମାଓବାଦୀଙ୍କ ଗୁଳିରେ ୨ ଜଣ ଏସ୍‌ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ଏହା ପରଠାରୁ ପୁଲିସ-ମାଓବାଦୀଙ୍କ ମଧ୍ୟରେ ୧୨ ଘଣ୍ଟା ଧରି ସମ୍ମୁଖ ଯୁଦ୍ଧ ଜାରି ରହିଛି। କିଛି ମାଓବାଦୀ ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି।

publive-image News Nation

ଶନିବାର ପୂର୍ବାହ୍ନରେ ଡିଜି ଶ୍ରୀ ଅଭୟ, ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇଜି (ଅପରେସନ୍) ଅମିତାଭ ଠାକୁର ଏବଂ ଡିଆଇଜି (ଏସ୍ଆ‌ଇଡବ୍ଳ୍ୟୁ) ଅନୁପ କୁମାର ସାହୁ ପ୍ରମୁଖ ମାଓବାଦୀ କାର୍ଯ୍ୟକଳାପର ସମୀକ୍ଷା କରିବାକୁ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଥିଲେ। ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ଘଟଣା ଏବଂ ଦୁଇ ଯବାନ ଆହତ ହୋଇଥିବା ଖବର ପାଇବା ମାତ୍ରେ ଡିଜି ତାଙ୍କ ଗସ୍ତକୁ ବାତିଲ କରିଥିଲେ। କୋରାପୁଟରୁ ବୌଦ୍ଧ ଜିଲ୍ଲା ଅଭିମୁଖେ ଯାଇ ପାଦେଲପଡାରେ ହେଲିକପ୍‌ଟର ଅବତରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ସିଆର୍‌ପିଏଫ ଯବାନଙ୍କ ସହାୟତାରେ ଉକ୍ତ ଦୁଇ ଆହତ ଯବାନଙ୍କୁ ଉଦ୍ଧାର କରି ଅପରେସନ୍‌ସ୍ଥଳରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନା ପାଦେଲପଡ଼ାକୁ ଅଣାଯାଇଥିଲା। ଡିଜି ପୁଲିସଙ୍କ ହେଲିକପ୍‌ଟର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପାଦେଲପଡ଼ାଠାରେ ଅବତରଣ କରିବା ପରେ ଆହତ ଯବାନଙ୍କୁ ଡାକ୍ତରଙ୍କ ଏସ୍‌କର୍ଟରେ ଭୁବନେଶ୍ବର ଏୟାରଲିଫ୍ଟ୍ କରାଇଥିଲେ। ଏୟାରଲିଫ୍ଟ୍ କରି ଆଣିଥିବା ସିଆରପିଏଫ୍‌ ଯବାନ, ପାଇଲଟ୍‌ ଏବଂ କନ୍ଧମାଳ ପୁଲିସକୁ ଡିଜି ଧନ୍ୟବାଦ ଜଣାଇଛନ୍ତି।

ଚଳିତବର୍ଷ ଜାନୁଆରିରୁ ଜୁନ ମାସ ୬ ମାସ ମଧ୍ୟରେ ସର୍ବାଧିକ ୬ ଥର ପୁଲିସ-ମାଓବାଦୀ ଗୁଳି ବିନିମୟ ହୋଇ ସାରିଲାଣି। ଗୁଳି ବିନିମୟ ବେଳେ କେହି ମାଓବାଦୀ ମୃତାହତ ହୋଇ ନଥିଲେ ମଧ୍ୟ ଛତ୍ରଭଙ୍ଗ ଦେଇଛନ୍ତି ଏବଂ ପୁଲିସ ସେମାନଙ୍କଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି। ଶେଷ ଥର ପାଇଁ ଗତ ଏପ୍ରିଲ୍ ମାସ ୧ ତାରିଖରୁ ୬ ତାରିଖ ଯାଏ ସର୍ବାଧିକ ସମୟ ଧରି ଗୋଛାପଡ଼ା ଥାନା କୋଲାମ୍ପାରା ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସର ପ୍ରବଳ ଗୁଳିବର୍ଷଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଥିଲା।

ଗତ କିଛିବର୍ଷ ହେଲା କନ୍ଧମାଳ ଜିଲ୍ଲାରେ କେକେବିଏନ୍‌ (କନ୍ଧମାଳ-କୋରାପୁଟ-ବଂଶଧାରା-ନାଗାବଳୀ) ଡିଭିଜନର ମାଓବାଦୀମାନେ ସକ୍ରିୟ ରହିଛନ୍ତି। ଏମାନେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ, କୋଟଗଡ଼, ବାଲିଗୁଡ଼ା ଏବଂ ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ ନିଜର କାୟା ବିସ୍ତାର କରିଛନ୍ତି। ବିଶେଷକରି ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଲାଗିଥିବା ତୁମୁଡ଼ିବନ୍ଧ, କୋଟଗଡ଼, ବେଲଘର, ଝିରିପାଣି ଜଙ୍ଗଲରେ ମାଓବାଦୀ ମାନେ ସକ୍ରିୟ ଥିଲା ବେଳେ ବୌଦ୍ଧ ଜିଲ୍ଲାକୁ ଲାଗିଥିବା ଫିରିଙ୍ଗିଆ ବ୍ଲକ୍‌ ଗୋଛାପଡ଼ା ଜଙ୍ଗଲରେ ମଧ୍ୟ ମାଓବାଦୀ ନିଜର କାର୍ଯ୍ୟକଳାପ ଜାରି ରଖିଛନ୍ତି।

publive-image Twitter

ଦୁଇ ଯବାନଙ୍କ ଦେହରେ ରହିଛି ୪ ଗୁଳି
ଭୁବନେଶ୍ବର : କନ୍ଧମାଳ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ମାଓବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ଦୁଇ ଯବାନଙ୍କୁ ଡିଜିପି ଅଭୟ ଏୟାରଲିଫ୍ଟ କରି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚାଇବା ପରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଏମ୍‌ସକୁ ନିଆଯାଇଛି। ଶନିବାର ଅପରାହ୍‌ଣ ପ୍ରାୟ ୧ଟାରେ ଆମ୍ବୁଲାନ୍ସକୁ ଏୟାରପୋର୍ଟ ଥାନା ପୁଲିସ ସ୍ବତନ୍ତ୍ର ପାଇଲଟିଂ କରି ଏମ୍‌ସକୁ ନେଇଥିଲା। ସେଠାରେ ଏମ୍‌ସର ୬ ଜଣିଆ ଏକ ଡାକ୍ତରୀଦଳ ଆହତ ଯବାନଙ୍କ ଚିକିତ୍ସା କରୁଛନ୍ତି। ଜଣେ ଯବାନଙ୍କ ଛାତି, କାଖ, ଜଂଘରେ ଗୁଳି ବାଜିଛି। କାଖରେ ବାଜିଥିବା ଗୁଳି ପେଟକୁ ଚାଲି ଯାଇଛି। ସେହିପରି ଅନ୍ୟ ଜଣେ ଯବାନଙ୍କର ଗୋଟିଏ ଗୁଳି ମୁହଁରେ ବାଜିଛି। ଦୁଇଜଣ ଯବାନଙ୍କ ଶରୀରରେ ୪ଟି ଯାକ ଗୁଳି ପଶି ରହିଥିବା ଜଣାପଡ଼ିଛି। ସେମାନଙ୍କର ବିଭିନ୍ନ ପରୀକ୍ଷାନିରୀକ୍ଷା ପରେ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଯେକୌଣସି ମୁହୂର୍ତ୍ତରେ ସେମାନଙ୍କ ଅସ୍ତ୍ରୋପଚାରର ଆବଶ୍ୟକ ହୋଇପାରେ ବୋଲି ସୂଚନା ମିଳିଛି। ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ରେ ଡାକ୍ତର ତୁଷାର ମିଶ୍ର, ଡାକ୍ତର କିରଣ, ଡାକ୍ତର ରିତେଶ ରହିଛନ୍ତି। ୬ ଜଣିଆ ଟିମରେ ସର୍ଜରି, ପ୍ଲାଷ୍ଟିକ ସର୍ଜରି, ଆନାସ୍ଥେସିଆ ଆଦି ବିଭାଗର ଡାକ୍ତର ରହିଥିବା ଜଣାପଡ଼ିଛି।