ସଡ଼କ ଦୁର୍ଘଟଣାରେ ଦଂପତିଙ୍କ ମୃତ୍ୟୁ ପରେ ଶେଷ ଇଚ୍ଛା ପୂରା କଲେ ପୁଅ, ଚକ୍ଷୁଦାନ କରି ସୃଷ୍ଟି କଲେ ଉଦାହରଣ

ଶୋକାକୁଳ ପରିବେଶରେ ଗୋଟିଏ ଜୁଇରେ ହେଲା ଅନ୍ତିମ ସଂସ୍କାର

ବୀରମହାରାଜପୁର: ରାଜଧାନୀ ଭୁବନେଶ୍ବରର ମଞ୍ଚେଶ୍ବର ଥାନା ଅଧୀନ ପଳାଶୁଣୀ ଛକ ନିକଟରେ ବୁଧବାର ସକାଳୁ ଟ୍ରକ୍‌ ଧକ୍କାରେ ମୃତ୍ୟୁ ହୋଇଥିବା ଦଂପତିଙ୍କର ଚକ୍ଷୁଦାନ କରିଛନ୍ତି ସେମାନଙ୍କର ଦୁଇପୁଅ। ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଧୀନ ଆନନ୍ଦପୁର ନିବାସୀ ତଥା ଅବସରପ୍ରାପ୍ତ ଉମେଶ ପାଣିଗ୍ରାହୀ (୬୬) ଓ ତାଙ୍କ ସ୍ତ୍ରୀ ନଳିନୀ ପାଣିଗ୍ରାହୀ (୬୨)ଙ୍କ ୪ଟି ଚକ୍ଷୁକୁ ଦୁଇପୁଅ ସୁଦୀପ୍ତ ଓ ସନ୍ଦୀପ ଭୁବନେଶ୍ବରସ୍ଥିତ ଏକ ଘରୋଇ ଚକ୍ଷୁ ହସ୍ପିଟାଲକୁ ଦାନ କରିଛନ୍ତି। ଏଥି ସହିତ ସୁଦୀପ ଓ ସନ୍ଦୀପ ସେମାନଙ୍କର ବାପା-ମାଙ୍କ ଇଚ୍ଛା ପୂରଣ କରିଛନ୍ତି। ଆଜି ଉମେଶ ଓ ନଳିନୀଙ୍କ ମୃତଦେହକୁ ଶୋକାକୂଳ ପରିବେଶରେ ଗୋଟିଏ ଜୁଇରେ ଅନ୍ତିମ ସଂସ୍କାର କରାଯାଇଛି।

ଉଭୟ ସ୍ବାମୀ-ସ୍ତ୍ରୀ ଉମେଶ ଓ ନଳିନୀ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ରୁହନ୍ତି। ପ୍ରତିବର୍ଷ ଭଳି ଏଥର ମଧ୍ୟ ନିଜର ୩୯ତମ ବିବାହ ବାର୍ଷିକୀ ପାଳନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀକ୍ଷେତ୍ର ବାହାରି ଥିଲେ। ସେଥିପାଇଁ ସେମାନେ ବୀରମହାରାଜପୁରରୁ ଏକ ଘରୋଇ ବସ୍‌ରେ ଚଢ଼ିଥିଲେ ଏବଂ ବୁଧବାର ଭୋର ସକାଳୁ ପଳାଶୁଣୀ ଛକରେ ପହଞ୍ଚି ଥିଲେ। ବସ୍‌ରୁ ଓହ୍ଲାଇବା ପରେ କଟକ ପାର୍ଶ୍ବରୁ ପୁରୀ ଅଭିମୁଖେ ଯାଉଥିବା କୌଣସି ବସ୍‌ରେ ଶ୍ରୀକ୍ଷେତ୍ର ଯିବା ପାଇଁ ଯୋଜନା କରିଥିଲେ। ସେଥି ପାଇଁ ସେମାନେ ପଳାଶୁଣୀ ଛକ ନିକଟ ବସ୍‌ଷ୍ଟପ୍‌ରେ ୫୫ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିଲେ। ଏହି ସମୟରେ ଭୁବନେଶ୍ବର ପାର୍ଶ୍ବରୁ କଟକ ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ପଳାଶୁଣୀରୁ ସତ୍ୟବିହାର ଯାଏଁ ଦଂପତିଙ୍କୁ ଘୋଷାଡ଼ି ନେଇଥିଲା। ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଉମେଶ ଓ ନଳିନୀ ପାଣିଗ୍ରାହୀ ପ୍ରତିବର୍ଷ ଭଳି ଏଥର ମଧ୍ୟ ସେମାନଙ୍କର ବିବାହ ବାର୍ଷିକୀରେ କାଳିଆ ଦର୍ଶନ କରିବାକୁ ମନ କରିଥିଲେ। ତେବେ ଏଥର ଶ୍ରୀକ୍ଷେତ୍ରରେ ପହଞ୍ଚି କାଳିଆ ଦର୍ଶନ କରିବା ପୂର୍ବରୁ ଦୁର୍ଘଟଣାର ସାମ୍ନା କରିଥିଲେ। ସଡ଼କ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇଥିଲା। 

ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଶବବ୍ୟବଚ୍ଛେଦ ‌ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ‌ତ‌େବେ ମୃତଦେହକୁ  ଦୁଇ ପୁଅ ନେଇ ପ୍ରଥମେ ଚକ୍ଷୁ ହସ୍ପିଟାଲକୁ ଯାଇଥିଲେ। ସେଠାରେ ବାପା-ମା’ଙ୍କ ନେତ୍ର ଦାନ କରିବା ପରେ ଭୁବନେଶ୍ବରରୁ ମୃତଦେହ ବୀରମହାରାଜପୁର ନିଆଯାଇଥିଲା। ଆଜି ଶୋକାକୂଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି। ବଡ଼ପୁଅ ସୁଦୀପ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାରରେ ସ୍ବର୍ଗତ ଉମେଶ ପାଣିଗ୍ରାହୀ ତିନି ଭାଇ ପ୍ରତାପ , ବ୍ରହ୍ମ। ଶଙ୍କର, ଭବାନୀ ଶଙ୍କର ଓ ରମେଶ ପ୍ରସାଦ ପାଣିଗ୍ରାହୀ, ପୁତୁରା ରାଜେଶ, ଗୌରୀ, ବିଶିଷ୍ଟ ସାହିତ୍ୟିକ ଦ୍ବିତୀକୃଷ୍ଣ ପଣ୍ଡା, ପୂର୍ବତନ ସରପଞ୍ଚ ଶ୍ୟାମସୁନ୍ଦର ପଣ୍ଡା, ପରିବାର ବର୍ଗଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର