ଭୁବନେଶ୍ବର : ଭୁବନେଶ୍ୱର ଓ ରାଉରକେଲାଠାରେ ଅନୁଷ୍ଠିତ ହେବାକୁ ଥିବା ହକି ପୁରୁଷ ବିଶ୍ୱକପ୍‌-୨୦୨୩ ସମୟରେ ଯାତ୍ରୀଙ୍କ ଚାହିଦା, ଅତିରିକ୍ତ ଯାତ୍ରୀ ଭିଡ଼, ରେଳ ଯାତ୍ରୀଙ୍କୁ ଉତ୍ତମ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି। ତେଣୁ ହକି ପ୍ରେମୀଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଭୁବନେଶ୍ୱର-ରାଉରକେଲା ସ୍ପେସାଲ(୦୨୮୩୪) ଭୁବନେଶ୍ୱରରୁ ଜାନୁଆରି ୧୪ରୁ ୩୦ ମଧ୍ୟରେ ପ୍ରତି ସୋମବାର, ବୁଧବାର, ଗୁରୁବାର ଓ ଶନିବାର ରାତି ୮ଟା ୨୫ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ରାଉରକେଲା-ଭୁବନେଶ୍ୱର ସ୍ପେସାଲ(୦୨୮୩୩) ରାଉରକେଲାରୁ ଜାନୁଆରି ୧୫ରୁ ୩୧ ମଧ୍ୟରେ ପ୍ରତି ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଓ ରବିବାର ରାତି ୧୧ଟା ୨୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ତିନିଟି ଏସି-୩ ଟାୟାର, ୮ଟି ସ୍ଲିପର କ୍ଲାସ, ୪ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ୍‌ ଓ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ହେବ। ଏହା କଟକ, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୁଳ, ସମ୍ବଲପୁର ସିଟି ଓ ଝାରସୁଗୁଡା ମଧ୍ୟରେ ରହଣି କରିବ।

Advertisment

ପୁରୀ-ରାଉରକେଲା-ପୁରୀ ହକି ସ୍ପେସାଲ୍ (୦୨୮୩୬/୦୨୮୩୫) ଜାନୁଆରି ୧୪ରୁ ୩୧ ପର୍ଯ୍ୟନ୍ତ ପ୍ରତିଦିନ ଚାଲିବ। ଏହି ଟ୍ରେନ ପୁରୀଠାରୁ ସକାଳ ୫ଟା ୧୫ରେ ଛାଡ଼ି ମଧ୍ୟାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ଫେରିବା ବାଟରେ ଏହା ରାଉରକେଲାରୁ ଅପରାହ୍ନ ୧ଟା ୩୦ରେ ବାହାରି ପୁରୀରେ ରାତି ୧୦ଟା ୩୦ରେ ପହଞ୍ଚିବ। ଏହି ଟ୍ରେନରେ ଦୁଇଟି ଏସି-୩ ଟାୟାର୍, ୩ଟି ସ୍ଲିପର୍ କ୍ଲାସ୍, ୬ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ, ଦୁଇଟି ଗାର୍ଡ ତଥା ଲଗେଜ୍ ଓ ଜେନେରେଟର କାର୍ ଉପଲବ୍ଧ ରହିଛି। ଏହା ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡା ଓ ରାଜଗାଙ୍ଗପୁର ଷ୍ଟେସନରେ ରହଣି କରିବ। ଏହାବ୍ୟତୀତ ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେସାଲ୍(୦୨୮୩୨/୦୨୮୩୧) ମଧ୍ୟ ପ୍ରତି ମଙ୍ଗଳବାର, ଶୁକ୍ରବାର ଓ ରବିବାର ଭୁବନେଶ୍ୱରରୁ, ପ୍ରତି ସୋମବାର, ବୁଧବାର ଓ ଶନିବାର ଧାନବାଦ୍‌ରୁ ରାଉରକେଲା ମାର୍ଗ ଦେଇ ଚଳାଚଳ କରୁଛି।

ସେହିପରି ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍‌, ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସ, ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ, ପୁରୀ-ରାଉରକେଲା-ପୁରୀ ଏକ୍ସପ୍ରେସ ଟ୍ରେନଗୁଡ଼ିକ ଦୈନିକ ଚଳାଚଳ କରୁଛି। ଉକ୍ତ ଟ୍ରେନ୍‌ଗୁଡ଼ିକ ଭୁବନେଶ୍ୱର ଓ ରାଉରକେଲାକୁ ସଂଯୋଗ କରୁଛି। ଉପରୋକ୍ତ ଟ୍ରେନ୍‌ ବ୍ୟତୀତ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ଝାରସୁଗୁଡା, ଭୁବନେଶ୍ୱର-ଆନନ୍ଦ ବିହାର ଏକ୍ସପ୍ରେସ ଭାୟା ଅନୁଗୁଳ ଓ ଝାରସୁଗୁଡା ମଧ୍ୟ ଭୁବନେଶ୍ୱର ଏବଂ ରାଉରକେଲା ମଧ୍ୟରେ ସାପ୍ତାହିକ ଭାବେ ଉପଲବ୍ଧ ରହିଛି।