ପ୍ରଦୂଷଣ ନିୟମ ଖିଲାପରୁ ଦୁଇ ସ୍ପଞ୍ଜ ଆଇରନ କାରଖାନା ସିଲ୍‌

ଚାରି ସ୍ପଞ୍ଜ କାରଖାନାକୁ କାରଣ ଦର୍ଶାଅ ନୋଟିସ୍‌, ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ରାଉରକେଲା: ପ୍ରଦୂଷଣ ନିୟମ ଖିଲାପକାରୀ ସ୍ପଞ୍ଜ ଆଇରନ କାରଖାନାଗୁଡ଼ିକ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ବାରମ୍ବାର ନୋଟିସ୍‌ ଓ ତାଗିଦ ସତ୍ବେ ପ୍ରଦୂଷଣ ରୋକିବାକୁ କାରଖାନା ମାଲିକଙ୍କ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆ ନଯିବାରୁ ଆଜି ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ସ୍ପଞ୍ଜ କାରଖାନାକୁ ସିଲ୍‌ କରାଯାଇଛି। ସିଲ୍‌ ହୋଇଥିବା ଦୁଇ ସ୍ପଞ୍ଜ କାରଖାନା ହେଉଛି କୁଆରମୁଣ୍ଡାର ସ୍ବସ୍ତିକ ଇସ୍ପାତ ପ୍ରାଇଭେଟ୍‌ ଲିମିଟେଡ ଓ ବଣାଇ ବ୍ଲକର ଓର୍‌ସ ଇସ୍ପାତ। ସ୍ଥାନୀୟ ତହସିଲଦାର ତଥା ମାଜିଷ୍ଟ୍ରେଟ, ଆଞ୍ଚଳିକ ପ୍ରଦୂଷଣ ଅଧିକାରୀଙ୍କ ଉପସ୍ଥିତରେ ପ୍ରଦୂଷଣ ବିଭାଗର ଟିମ୍‌ ଦୁଇ କାରଖାନାର ଗେଟ୍‌ ତଥା ବିଭିନ୍ନ ବିଭାଗର ଯନ୍ତ୍ରାଂଶକୁ ସିଲ୍‌ କରିଛନ୍ତି। ଏହି ଦୁଇଟି ସ୍ପଞ୍ଜ କାରଖାନା ପ୍ରଦୂଷଣ ବିଭାଗର ଗାଇଡ୍‌ଲାଇନକୁ ଅନୁପାଳନ କରିବା ପରିବର୍ତ୍ତେ ମନଇଚ୍ଛା କାମ କରୁଥିଲେ।

ମନଇଚ୍ଛା କାରଖାନାରୁ ଦୂଷିତ ଧୂଆଁ ଛାଡୁଥିଲେ। ସେଥିରେ ସମଗ୍ର ଅଞ୍ଚଳ ପ୍ରଦୂଷିତ ହେଉଥିଲା। ସ୍ଥାନୀୟବାସିନ୍ଦା ଏ ସଂକ୍ରାନ୍ତରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ବିନୋଦ ବିହାରୀ ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲୋକଙ୍କ ଅଭିଯୋଗ ଆଧାରରେ ପ୍ରଦୂଷଣ ବିଭାଗର ଟିମ୍‌ କାରଖାନାରେ ପହଞ୍ଚି ଯାଞ୍ଚ କରିଥିଲେ। ପରେ ଦୁଇଟି ସ୍ପଞ୍ଜ କାରଖାନାକୁ ଦୁଇଥର କାରଣଦର୍ଶାଅ ନୋଟିସ୍‌ ଜାରି କରା ଯାଇଥିଲା। କିନ୍ତୁ କାରଖାନା ପକ୍ଷରୁ ସେ କାରଣଦର୍ଶାଅ ନୋଟିସ୍‌ର କୌଣସି ସନ୍ତୋଷଜନ ଉତ୍ତର ଆସି ନଥିଲା। ଶେଷରେ ନିୟମ ନ ମାନିବା କାରଣରୁ ଦୁଇ ସ୍ପଞ୍ଜ କାରଖାନା ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି।

ଅନୁରୂପ ଭାବେ ପ୍ରଦୂଷଣ ସୃଷ୍ଟିକାରୀ ବଣାଇ ବ୍ଲକର ଏସ୍‌.ଏନ୍‌. ମହାନ୍ତି,  ମହାକାଳୀ ସ୍ପଞ୍ଜ, ଆଇଡିସି କଲୁଙ୍ଗାର ମହାବୀର ଫେ‌ରୋ ଆଲଏଜ୍‌ ଓ ସୀତା ସ୍ପଞ୍ଜ କାରଖାନାକୁ ମଧ୍ୟ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଅର୍ଦ୍ଧାଧିକ ବିଭାଗ ସଟ୍‌ଡାଉନ୍‌ ରଖିବାକୁ  ପ୍ରଦୂଷଣ ବିଭାଗ ଅଧିକାରୀ କାରଖାନା ମାଲିକଙ୍କୁ ଦାଗିଦ୍‌ କରିଛନ୍ତି। ତେବେ ଏହି ନିର୍ଦ୍ଦେଶର ଅନୁପାଳନକୁ କେତେ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ, ତାହା ଦେଖିବା କଥା। ପ୍ରଦୂଷଣ ନିୟମ ଖିଲାପ କାରଣରୁ ଅତୀତରେ ଏକାଧିକ ସ୍ପଞ୍ଜ ଆଇରନ କାରଖାନାକୁ ସିଲ୍ କରା ଯାଇଛି। ତା’ପରେ ସେଗୁଡ଼ିକ ନିୟମ ପାଳନର ପ୍ରତିଶ୍ରୁତି ଦେଇ ପୁଣି ଚାଲୁ ହେବାର ଅନୁମତି ପାଇଛନ୍ତି। କିନ୍ତୁ ଅଳ୍ପ କାଳ ଭିତରେ ସେମାନଙ୍କର ପୁରୁଣା ରୂପ ଫେରି ଆସିଛି।

ଉଲ୍ଲେଖନୀୟ ଯେ ଏହି କାରଖାନାଗୁଡ଼ିକ ବିରୋଧରେ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ଏ ବିଷୟରେ ଗଣମାଧ୍ୟମରେ ଅନେକ ଥର ଖବର ମଧ୍ୟ ପ୍ରକାଶିତ ହୋଇଛି। କିନ୍ତୁ ଦୀର୍ଘ କାଳ ଧରି ପ୍ରଦୂଷଣ ମାମଲାରେ ଏମାନଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ସୁନ୍ଦରଗଡ଼ ଜିଲ୍ଲାର କେବଳ ଏହି ୬ଟି ସ୍ପଞ୍ଜ କାରଖାନା ନୁହେଁ ପ୍ରାୟ ୬୦%ରୁ ଅଧିକ ସ୍ପଞ୍ଜ କାରଖାନା ପ୍ରଦୂଷଣ ସୃଷ୍ଟିକାରୀ। ବଣାଇ ଭଳି ଅଭ୍ୟନ୍ତର ଅଞ୍ଚଳରେ ଥିବା ଅନେକ କାରଖାନାରେ ପ୍ରଦୂଷଣ ନିୟମକୁ କିଭଳି ଭୟଙ୍କର ଭାବେ ଉଲଂଘନ କରା ଯାଉଛି, ଆଖିରେ ନଦେଖିଲେ ବିଶ୍ବାସ କରି ହେବନାହିଁ। ସେଗୁଡ଼ିକରୁ ଏଭଳି କଳାଧୂଆଁ ନିର୍ଗତ ହେଉଥାଏ ଯେ ଦେଖିଲେ କାରଖାନା ଭିତରେ କୌଣସି ବଡ଼ ଦୁର୍ଘଟଣା ଘଟିଥିବାର ଭ୍ରମ ହୁଏ।

ଏପରିକି ରାଉକେଲା ଉପକଣ୍ଠରେ ଥିବା ଅଧିକାଂଶ ସ୍ପଞ୍ଜ ଆଇରନ କାରଖାନାଗୁଡ଼ିକ ବି ଚାରିପଟେ ଗଛ ଲଗାଇ ସବୁଜ ବଳୟ ସୃଷ୍ଟି କରିବା ନିୟମ ଆଦୌ ପାଳନ କରୁ ନାହାନ୍ତି। ପ୍ରଦୂଷଣକୁ କିଛି ମାତ୍ରାରେ ରୋକିବାକୁ ସବୁ ସ୍ପଞ୍ଜ କାରଖାନାକୁ ଇଏସ୍‌ପି ଚଲାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ତେବେ ଅଧିକ ବିଦ୍ୟୁତ୍‌ ବିଲ୍‌ ଭୟରେ ଅଧିକାଂଶ ସ୍ପଞ୍ଜ କାରଖାନା ମାଲିକମାନେ ଆଦୌ ଇଏସ୍‌ପି ଚଲାଉ ନାହାନ୍ତି। କାରଖାନା ନିର୍ଗତ ବିଷାକ୍ତ ଧୂଆଁ ସିଧାସଳଖ ବାୟୁମଣ୍ଡଳକୁ ଛାଡି ଦେଉଛନ୍ତି। ଏହା ଦ୍ବାରା କେବଳ ବାୟୁମଣ୍ଡଳ ପ୍ରଦୂଷିତ ହୋଇ ସ୍ଥାନୀୟ ଅଞ୍ଚଳବାସିନ୍ଦା ଶ୍ବାସ ଓ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି। ଏପରିକି ଚାଷବାସ ମଧ୍ୟ କ୍ଷତିଗ୍ରସ୍ତ ହେଉଛି। ରାଉରକେଲା ଉପକଣ୍ଠ ଗାଁଗୁଡ଼ିକରେ ବନ୍ଧାକୋବି ଭିତରେ, ଏପରିକି ପୋଖରି ମାଛ ପେଟରୁ ମଧ୍ୟ କଳା କଳା ଗୁଣ୍ଡ ବାହାରିବାର ଅନେକ ଉଦାହରଣ ରହିଛି। ଅଧିକ ପ୍ରଦୂଷଣକାରୀ ସ୍ପଞ୍ଜ ଆଇରନ କାରଖାନାଗୁଡ଼ିକ ଚିହ୍ନଟ କରି ସେମାନଙ୍କ ବିରୋଧରେ ଆହୁରି କଡ଼ା ଓ ଦୀର୍ଘସୂତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର