ରାଉରକେଲା : ପଶ୍ଚିମ ଓଡ଼ିଶାରେ, ଶ୍ରୀକ୍ଷେତ୍ର ପୁରୀଠୁ ଅନେକ ଦୂରରେ ଅବସ୍ଥିତ ଇସ୍ପାତ ସହର ରାଉରକେଲାରେ ଶ୍ରୀ ଜଗନ୍ନାଥଙ୍କ ଦାରୁ ମୂର୍ତି ତିଆରି କରୁଥିବା ଦୁଇଜଣ ବ୍ୟକ୍ତି ବା ସଂସ୍ଥା ଥିବ, ଅନେକ ଜାଣି ନଥିବେ। କିନ୍ତୁ ଏହି ଦୁଇ କାରିଗରଙ୍କ କୃତି କେବଳ ଓଡ଼ିଶା ନୁହେଁ, ଭାରତର ବିଭିନ୍ନ ସହର ସମେତ ବିଦେଶକୁ ମଧ୍ୟ ଯାଉଛି। ଏପରିକି ଭୁବନେଶ୍ବର ମଧ୍ୟ ଯାଉଛି।
ଏମାନଙ୍କ ଭିତରୁ ଜଣେ କାରିଗର ହେଉଛନ୍ତି ଭଦ୍ରକ, ଧାମନଗର ଅଞ୍ଚଳର କରୁଣାକର ସୂତାର (୬୨)। ତାଙ୍କ ବାପା ପାରିବାରର କୌଳିକ ବୃତ୍ତି ବଢ଼େଇ କାମ କରୁଥିଲେ। କରୁଣାକର ୧୯୮୪ରେ ରାଉରକେଲା ଇସ୍ପାତ କାରଖାନାର ସ୍ପେସାଲ୍ ପ୍ଲେଟ୍ ପ୍ଲାଣ୍ଟରେ ମାଷ୍ଟର ଟେକ୍ନିସିଆନ୍ ଭାବେ ଚାକିରି ଆରମ୍ଭ କରିଥିଲେ। ୨୦୨୧ ସେପ୍ଟେମ୍ବରରେ ଚାକିରିରୁ ସେ ଅବସରରେ ନେଇଛନ୍ତି। ସେ ଚାକିରି କରିଥିବେ ବେଳେ ସମୟ ପାଇଲେ ନିଜର ଆତ୍ମସନ୍ତୋଷ ପାଇଁ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରୁଥିଲେ। ପ୍ରଥମେ ସୂତାରେ ଠାକୁରଙ୍କ ମୂର୍ତ୍ତି ତିଆରି କରୁଥିଲେ। ସେସବୁକୁ ସାଙ୍ଗସାଥୀ ସଂପର୍କୀୟମାନଙ୍କୁ ଉପହାର ଦେଇ ଦେଉଥିଲେ। ପରେ ସେ ଅନେକଙ୍କୁ ମୂର୍ତ୍ତି ଗଢ଼ିବା ପାଇଁ ତାଲିମ ମଧ୍ୟ ଦେଲେ। ବେପାର ଉଦ୍ଦେଶ୍ୟରେ ମୂର୍ତ୍ତି ତିଆରି କରୁନଥିଲେ, କେବଳ ଆତ୍ମସନ୍ତୋଷ ପାଇଁ ତିଆରି କରୁଥିଲେ। ତାଙ୍କ ହାତର ଏକ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ବେଦବ୍ୟାସ ପୀଠରେ ପୂଜା ପାଉଛନ୍ତି। ୨୦୦୬ରୁ ବ୍ୟବସାୟିକ ଭାବେ ମୂର୍ତ୍ତି ତିଆରି କାମ ଆରମ୍ଭ କରିଛନ୍ତି। ସେଥିରେ ତାଙ୍କ ପରିବାର ଲୋକେ ତାଙ୍କୁ ସହଯୋଗ କରୁଛନ୍ତି। ତାଙ୍କ ପୁଅ ଜୟନ୍ତ ସୂତାର ଇଂଜିନିୟରିଂ ପାଠପଢ଼ା ସାରି ବାପାଙ୍କ କାମକୁ ସମ୍ଭାଳୁଛନ୍ତି। ଏବେ ସେ ମୁଖ୍ୟତଃ ବକ୍ସ ଡିଜାଇନ୍ର ଠାକୁରଙ୍କ ମୂର୍ତ୍ତି ତିଆରି କରୁଛନ୍ତି। ପ୍ରତି ମାସ ୨୦୦ରୁ ଅଧିକ ମୂର୍ତ୍ତି ସେ ତିଆରି କରୁଛନ୍ତି। ତା’ ଭିତରୁ ୬୦-୭୦ଟି ମୂର୍ତ୍ତି ରାଉରକେଲା ସହରରେ ବିକ୍ରି ହେଉଛି। ତା’ ସହିତ ଭୁବନେଶ୍ବରର ‘ଉତ୍କଳିକା’ ପ୍ରତି ମାସରେ ୧୦୦ଟି ମୂର୍ତ୍ତି ନେବା ପାଇଁ ଅର୍ଡର ଦେଇଛି।
ବଡ଼ କଥା ହେଉଛି, ପ୍ରାୟ ପ୍ରତି ମାସରେ ସେ ବିଦେଶରୁ ୧-୨ଟି ମୂର୍ତ୍ତି ପାଇଁ ଅର୍ଡର ପାଉଛନ୍ତି। ତାଙ୍କ ହାତ ତୀଆରି ଶ୍ରୀଗଜନ୍ନାଥ ମୂର୍ତ୍ତି ଚିକାଗୋ, ଆମେରିକା ଓ ଇଂଲଣ୍ଡକୁ ବହୁ ସଂଖ୍ୟାରେ ଯାଇଛି ଓ ଏବେ ମଧ୍ୟ ଯାଉଛି। କୋଲକାତା, ବିହାର, ଝାଡ଼ଖଣ୍ଡ, ଦିଲ୍ଲୀ, ବେଙ୍ଗାଲୋର, ରାଞ୍ଚିରୁ ମଧ୍ୟ ଲୋକ ମୂର୍ତ୍ତି ପାଇଁ ଆସୁଛନ୍ତି। ୯ କାରିଗରଙ୍କ ସହ କରୁଣାକର ଓ ତାଙ୍କ ପୁଅ ମଧ୍ୟ କାମ କରୁଛନ୍ତି। ୨,୫୦୦ ଟଙ୍କାରୁ ଆରମ୍ଭ କରି ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ମୂର୍ତ୍ତି ତାଙ୍କ ପାଖରେ ରହିଛି। ୨,୫୦୦ ଟଙ୍କାରେ ୧୨ ଇଞ୍ଚ ଲମ୍ବା ଓ ୧୨ ଇଞ୍ଚ ଉଚ୍ଚତାର ମୂର୍ତ୍ତି ରହିଛି। ସେହିଭଳି ୮ ଫୁଟ୍ ଲମ୍ବା ୬ ଫୁଟ୍ ଉଚ୍ଚତାର ମୂର୍ତ୍ତି ମଧ୍ୟ ରହିଛି। ଲିମ୍ବ କାଠରେ ଜଗନ୍ନାଥଙ୍କ ମୃର୍ତ୍ତି ତିଆରି ହେଉଛି। କାଠ ରାଉରକେଲାର ବିଭିନ୍ନ ସ୍ଥାନରୁ ଆସୁଛି। ଏହା ସହ ସେ ସାଇବାବା, ରାଧାକୃଷ୍ଣ, ଦୁର୍ଗା ଓ ଯିଶୁଖ୍ରୀଷ୍ଟଙ୍କ ମୂର୍ତ୍ତି ମଧ୍ୟ ତିଆରି କରୁଛନ୍ତି।
୨୦୧୫ ନବକଳେବର ସମୟରେ ସେ ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳର ୯ଟି ସ୍ଥାନରେ ଠାକୁରଙ୍କ ବିଗ୍ରହ ଗଢ଼ିଛନ୍ତି। ସେକ୍ଟର-୬, ଟିମ୍ବର କଲୋନି, ବନ୍ଧମୁଣ୍ଡା, ନୟାବଜାର, ପ୍ଲାଣ୍ଟସାଇଟ୍, ରାଜଗାଙ୍ଗପୁର, ଗଡ଼ପୋଷ ଓ ଉଦିତନଗର ଜଗନ୍ନାଥ ମନ୍ଦିରରେ ତାଙ୍କ ହାତର ବିଗ୍ରହ ଶୋଭା ପାଉଛନ୍ତି। ସେ କହନ୍ତି, ଗୋଟିଏ ବଡ଼ ଆକାରର ବିଗ୍ରହ ଗଢ଼ିବା ପାଇଁ ଦେଢ଼ ମାସ ସମୟ ଲାଗୁଛି। ଚାକିରି ସମୟରେ ଛୁଟି ହେବା ପରେ ବିଗ୍ରହ ଗଢ଼ୁଥିଲେ, ଅବସର ପରେ ସମୟର ଅଭାବ ନାହିଁ। ସେ କହନ୍ତି, ‘‘ ଠାକୁରଙ୍କ କାମ କରିବା ପାଇଁ ଆଗ୍ରହ ଦରକାର। ଆଉ କିଛି ଦରକାର ପଡ଼େନି। ଅନେକ ସମୟରେ ସାରା ରାତି କାମ କଲେ ବି ଜଣାପଡ଼େନି।’’
ସେହିଭଳି ଆଉ ଜଣେ କାରିଗର ହେଉଛନ୍ତି ସେକ୍ଟର-୭ ଅଞ୍ଚଳର ପ୍ରଭାକର ତ୍ରିପାଠୀ (୭୯)। ରାଉରକେଲା ଇସ୍ପାତ କାରଖାନାର ଏଷ୍ଟିମେସ୍ନ ବିଭାଗରେ ସେ କାମ କରି ୨୦୦୧ରେ ଚାକିରି ଛାଡ଼ି ଦେଇଥିଲେ। ପରେ ‘ନିଳାଦ୍ରି ନିଳୟ’ ନାଁରେ ଏକ ଅନୁଷ୍ଠାନ କରିଛନ୍ତି। ୧୯୬୮ ମସିହାରୁ ଆଜି ପର୍ଯ୍ୟନ୍ତ ସେ ଜଗନ୍ନାଥଙ୍କ ମୂର୍ତ୍ତି ଗଢ଼ୁଛନ୍ତି। ତାଙ୍କ ପତ୍ନୀ ଓ ପୁଅ ମୂର୍ତ୍ତି ତିଆରିରେ ସହଯୋଗ କରୁଛନ୍ତି। କାମରେ ସହଯୋଗ କରିବା ପାଇଁ ପୂର୍ବରୁ ୮-୧୦ଜଣ ପିଲା ରହିଥିଲେ। ବିଭିନ୍ନ ଅସୁବିଧା ହେବାରୁ ଏବେ କେବଳ ପରିବାର ଲୋକଙ୍କ ସହଯୋଗରେ ମୂର୍ତ୍ତି ତିଆରି କରୁଛନ୍ତି। ତାଙ୍କ ହାତରୁ ନିର୍ମିତ ମୂର୍ତ୍ତି କେବଳ ରାଉରକେଲାରେ ନୁହେଁ, ଆମେରିକା, ମରିସସ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଆଦି ଦେଶକୁ ବିକ୍ରି ହେବା ପାଇଁ ଯାଉଛି। ୧୨ ଶହ ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜଗନ୍ନାଥଙ୍କ ମୃର୍ତ୍ତି ତିଆରି କରୁଛନ୍ତି। ଚଳିତ ବର୍ଷ ଏକ ବକ୍ସ ଡିଜାଇନ୍ର ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିବା ପାଇଁ ନବୀନ ନିବାସରୁ ଅର୍ଡର ଆସିଛି ବୋଲି ସେ କହନ୍ତି।
କରୁଣାକର ତାଙ୍କ ଅନୁଭୂତିରେ କହିଲେ, ‘‘ମୁଁ ଦୁଇଥର ଠାକୁରଙ୍କୁ ଦେଖିଛି। ସେତେବେଳେ ଗାଁରେ ଥିଲି, ମାଟ୍ରିକ ପରୀକ୍ଷା ଦେଇସାରିଥାଏ। ନବକଳେବର ହେବ ବୋଲି ବାପା ରାଉରକେଲା ସେକ୍ଟର-୩ ମନ୍ଦିରକୁ ଆସିଥାନ୍ତି। ମୁଁ ଗାଁ ରାସ୍ତାରେ ଆସୁଥିବା ବେଳେ ଜଣେ ପତଳା ଓ କଳା ରଙ୍ଗର ଲୋକ ମୋତେ ହଠାତ୍ ଡାକିଲେ। ସେ କାନ୍ଧରେ ପଇତା ଓ ଧଳା ରଙ୍ଗର ଧୋତି ପିନ୍ଧିଥାନ୍ତି। ସେ ହଠାତ୍ ପଚାରିଲେ- ‘ତୁ ମୋତେ କଣ ଦବୁ, ମୁଁ ଗୋଟିଏ ଭଲ ଜିନିଷ ଦେବି।’ ମୁଁ ଆମ ବାଡ଼ିରୁ ସଜନ ଛୁଇଁ ଆଣି ତାଙ୍କୁ ଦେଲି। ସେ ଅଣ୍ଟାରୁ ଜାର ମହୁରା ମଞ୍ଜି ଗୋଟିଏ ବାହାର କରି ଦେଲେ। କହତଲେ - ‘ଭଲକି ରଖିବୁ, ହଜେଇବୁନି, ଭବିଷ୍ୟତରେ କାମରେ ଆସିବ।’ କହିଦେଇ ସେ କୁଆଡ଼େ ପଳେଇଲେ। ତା’ପର ଦିନ ରାତିରେ କୌଣସି ଏକ କାମ ପାଇଁ ଶାଗ କିଆରିକୁ ଯାଇଥିଲି। ବିଷାକ୍ତ ସାପ କାମୁଡ଼ି ଦେଲା। ଦେହଟା ଧୀରେ ଧୀରେରେ ଅସୁସ୍ଥ ହେବାକୁ ଲାଗିଲା। ଘରଲୋକ ମୋତେ ଗାଁ ଗୁଣିଆ ପାଖକୁ ନେଲେ। ସେ ପରୋକ୍ଷା ଭାବେ ଭଲ ହେବନି ବୋଲି କହି ଫେରାଇ ଦେଲେ। ବେଲପତ୍ର ଚୋବେଇଲେ ମଧ୍ୟ କିଛି ସ୍ବାଦ ଆସିଲାନି। ଭଲ ହେବନି ବୋଲି ସମସ୍ତେ ଭାବି ନେଇଥିଲେ। ମୁଁ ସେହି ଜାର ମହୁରା ଗଦକୁ ଆଣି ପାଟିରେ ଦେଲି। ତା‘ପର ଦିନ ଟିକେ ସୁସ୍ଥ ହେଇ ଘର ପାଖରେ ଚାଲୁଥିଲି। ସେହି ସମୟରେ ପୁଣି ଆଉ ଗୋଟିଏ ବିଷାକ୍ତ ସାପ ମୋ ପାଖକୁ ଦୌଡ଼ି ଦୌଡ଼ି ଆସିଲା। ଆମ ଗାଁର ଜଣେ ଲୋକ ମୋତେ ଧରି ପକେଇଲେ। ପରେ ସେ ସାପ ମୋ ପାଖକୁ ଆସି ଗର୍ଜନ କଲା। ତା’ ସାମ୍ନାରେ ସେମିତି ମୁଁ ବସିଥାଏ। ତା’ ପିଠିରେ ଜଣେ ଲୋକ ବାଉଁଶ କଣିଟିଏ ପକେଇଦେଇଥିଲେ। ତା’ପରେ ଜଣାପଡ଼ିଥିଲା ଯେ, ତା’ର ଦୁଇଟି ଦାନ୍ତ ନାହିଁ, ସେ ଦାନ୍ତ ମୋରି ଗୋଡ଼ରେ ପଶିଛି। ଆମ କମଳା ଗଛରୁ କଣ୍ଟା ଆଣି ଗୋଡ଼ରୁ ଦୁଇଟି ଦାନ୍ତ ବାହାର କଲି। ତା’ପରେ ସେ ବିଷାକ୍ତ ସାପର ଗର୍ଜନ ବନ୍ଦ କରି ଶୋଇପଡ଼ିଲା। ଆମ ଗାଁର କୁନିକୁନି ଛୁଆମାନେ ତା’ ସହ ଖେଳିଲେ। ପ୍ରାୟ ୩୦ ମିନିଟ୍ ଏମିତି ଚାଲିଲା। ଏ ଖବର ବାପାଙ୍କ ପାଖକୁ ଟେଲିଗ୍ରାମରେ ଗଲା।
କିନ୍ତୁ ବାପା ଉଦିତନଗର ବିଶ୍ବକର୍ମା ମନ୍ଦିରରେ ମୃର୍ତ୍ତି ଗଢ଼ିବା ପାଇଁ ସଂକଳ୍ପ କରିସାରିଥାନ୍ତି। ତେଣୁ ସେ ସମୟରେ ବାପା ଆସି ପାରିଲେନି। ତା’ପର ବର୍ଷ ବାପାଙ୍କ ସହ ଠାକୁର ଗଢ଼ିବା ପାଇଁ ଆସିବି ବୋଲି କହିଲି। ପୁଣି ୧୨ ବର୍ଷ ପରେ ବାପାଙ୍କୁ ରାଉରକେଲାର ଏକ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ନବକଳେବର ପାଇଁ ବିଗ୍ରହ ଗଢ଼ିବାର ସୁଯୋଗ ମିଳିଲା। ମୁଁ ବି ବାପାଙ୍କ ସହ ଆସିଥିଲି। ବିଗ୍ରହ ତିଆରି ସରିବା ପରେ କିଛି ଦାରୁ ବଳି ପଡ଼ିଥିଲା। ଜଣେ ଅଧିକାରୀ ସେହି ଦାରୁରେ ୩ଟି ଠାକୁରଙ୍କ ମୂର୍ତ୍ତି ତିଆରି କରିବା ପାଇଁ କହିଥିଲେ। ତିଆରି ସରିବା ପରେ ପୁଣି ମନାକଲେ ନେବେନି ବୋଲି। ମନେ ମନେ ଭୀଷଣ ବିରକ୍ତି ହୋଇ ବାପାଙ୍କୁ ସବୁ କଥା କହିଲି। ପରେ ୩ଟି ମୂର୍ତ୍ତିକୁ ଘରକୁ ନେଇ ବାଡ଼ି ପଛରେ ପାତାଳି ଦେବା ବୋଲି ବାପା କହିଲେ। ଘରକୁ ମୂର୍ତ୍ତି ଆଣି ରାତିରେ ଶୋଇଛି, ୧୨ ବର୍ଷ ପୂର୍ବରୁ ଦେଖିଥିବା ସେହି ଅଜଣା ଲୋକ, ସେହି ଚେହେରା, ସେ ଦିନ ପିନ୍ଧିଥିବା ସେହି ଧୋତିରେ ଆସି, ତୁ କିଏ ମୋତେ ପାତାଳି କରିବାକୁ। ତୋ କାମ ମୋତେ ତିଆରି କରିବୁ, ମୋର ଯେଉଁଠି ଇଚ୍ଛା ହେବ ସେଇଠି ଯିବି। ଏଭଳି ଅନେକ କଥା ମୋ ସ୍ବପ୍ନରେ ଆସି ଭୀଷଣ ବିରକ୍ତି ହୋଇ ଚାଲିଗଲେ। ଏ ଘଟଣାର ପର ଦିନ ଆରଏସ୍ପିକୁ କାମ କରିବା ପାଇଁ ଆସିଥାଏ। କାମ ସାରି ଘରକୁ ଫେରିବା ପରେ ଦେଖିଲି ମୂର୍ତ୍ତିଗୁଡ଼ିକ ଲୋକେ ଆସି ନେଇ ଯାଇଛନ୍ତି’’।