ମେଣ୍ଟେନାନ୍‌ସ ଇଞ୍ଜିନ୍‌-ସମଲେଶ୍ୱରୀ ଟ୍ରେନ୍‌ ଦୁର୍ଘଟଣା ମାମଲା : ଦୁଇ ଷ୍ଟେସନ ପରିଚାଳକ ଚାକିରିରୁ ବହିଷ୍କୃତ

ରେଳପଥ ନିରାପତ୍ତା ଆୟୁକ୍ତଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ

ରାୟଗଡ଼ା: କୋରାପୁଟ-ରାୟଗଡ଼ା (କେଆର୍‌) ରେଳ ଲାଇନରେ ମେଣ୍ଟେନାନ୍‌ସ ଇଞ୍ଜିନ୍‌-ସମଲେଶ୍ୱରୀ ଟ୍ରେନ୍‌ ଦୁର୍ଘଟଣା ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଅଭିଯୋଗରେ କେଉଟଗୁଡା ଷ୍ଟେସନ ମ୍ୟାନେଜର୍‌ ସଞ୍ଜୟ ଟପୋ ଓ ସିଙ୍ଗାପୁର ଷ୍ଟେସନ୍‌ ‘ଏ’ କ୍ୟାବିନ୍‌ ମ୍ୟାନେଜର ଜୟ ପ୍ରକାଶଙ୍କୁ ପୂର୍ବତଟ ରେଳ ବିଭାଗ ଚାକିରିରୁ ବହିଷ୍କାର କରିଛି। ରେଳପଥ ନିରାପତ୍ତା ଆୟୁକ୍ତ ଆର୍‌. କେ. ଶର୍ମାଙ୍କ ତଦନ୍ତ ରିପୋର୍ଟ ଆଧାରରେ ରେଳ ବିଭାଗ ଏହି ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଟେକ୍ନିସିଆନ୍‌ ଇଶ୍ୱର ରାଓଙ୍କୁ ରେଳ ବିଭାଗ କାର୍ଯ୍ୟରୁ ନିଲମ୍ବିତ କରିଥିଲା।

ସୂଚନାଯୋଗ୍ୟ, ୨୦୧୯ ଜୁନ୍‌ ୨୫ ତାରିଖ ଅପରାହଣ୍‌ ସାଢ଼େ ୪ଟାରେ ସିଙ୍ଗାପୁର ରୋଡ୍‌-କେଉଟଗୁଡା ଷ୍ଟେସନ ମଧ୍ୟଭାଗ ଅଙ୍ଗୁର ନିକଟରେ ଇଲେକ୍ଟ୍ରି ମେଣ୍ଟେନାନ୍‌ସ ଇଞ୍ଜିନ୍‌ ଓ ସମଲେଶ୍ୱରୀ ଏକ୍ସପ୍ରେସ୍‌ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା। ଘଟଣାରେ ମେଣ୍ଟେନାନ୍‌ସ ଇଞ୍ଜିନ୍‌ ଜଳି ଯାଇଥିବା ବେଳେ ଘଟଣାରେ ୩ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ସମଲେଶ୍ୱରୀ ଟ୍ରେନର ଡ୍ରାଇଭର ଏବଂ ସହକାରୀ ଡ୍ରାଇଭର ଦୁର୍ଘଟଣା ପୂର୍ବରୁ ଟ୍ରେନରୁ ଡେଇଁ ପଡିବା ଯୋଗୁ ଡ୍ରାଇଭର ସଞ୍ଜୀବ ରାଓ ଗୁରୁତର ଆହତ ହୋଇଥିଲେ। ଘଟଣା ଦିନ ବିଶାଖାପାଟଣା ଡିଆରଏମ୍‌ ଚେତନ ଶ୍ରୀବାତ୍ସବ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି କର୍ତବ୍ୟରେ ଅବହେଳା ପାଇଁ କେଉଟଗୁଡା ଷ୍ଟେସନ୍‌ ମ୍ୟାନେଜର୍‌ ସଞ୍ଜୟ ଟପୋ, ସିଙ୍ଗାପୁର ଷ୍ଟେସନ୍‌ ମ୍ୟାନେଜର୍‌ ବି. ପ୍ରଧାନ ଓ ସିଙ୍ଗାପୁର ଷ୍ଟେସନ୍‌ ‘ଏ’ କ୍ୟାବିନ ସିଗନାଲ ପରିଚାଳକ ଜୟ ପ୍ରସାଦ, କେଉଟଗୁଡା ସିଗନାଲ ମ୍ୟାନ୍‌ ଶେଖର ଗୁପ୍ତା ଓ ଡିଭିଜିନାଲ୍‌ ଟ୍ରାଫିକ୍‌ ଇନସପେକ୍ଟର ସଂତୋଷ କୁମାର ବେହେରାଙ୍କୁ ନିଲମ୍ବନ କରିଥିଲେ।

ରେଳ ବିଭାଗ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେବା ପରେ କୋଲକାତାସ୍ଥିତ ବେସାମରିକ ବିଭାଗର ନିରାପତ୍ତା ଆୟୁକ୍ତ ଆର. କେ. ଶର୍ମାଙ୍କ ନେତୃତ୍ୱରେ ୨୦୧୯ ଜୁନ୍‌ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ତଦନ୍ତ ଆରମ୍ଭ ହୋଇଥିଲା। ୩ ଥର ଶ୍ରୀ ଶର୍ମା ରାୟଗଡ଼ା ଆସି ସ୍ୱତନ୍ତ୍ର ଟ୍ରେନ୍‌ ମାଧ୍ୟମରେ କେଉଟଗୁଡା ଷ୍ଟେସନ, ସିଙ୍ଗାପୁର ରୋଡ୍‌, ‘ଏ’ କ୍ୟାବିନ୍‌ ପରିଦର୍ଶନ କରି ଅଧିକାରୀଙ୍କୁ ପଚରା ଉଚରା କରିଥିଲେ। ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ଟ୍ରେନର ନମୁନା ସଂଗ୍ରହ ସହ କେଉଟଗୁଡା ଓ ସିଙ୍ଗାପୁର ଷ୍ଟେସନର ୬୧ ରେଳ କର୍ମଚାରୀଙ୍କ ରେକର୍ଡ ବୟାନ୍‌ କରିଥିଲେ ଶ୍ରୀ ଶର୍ମା।

ସେହିପରି ବିଶାଖାପାଟଣା ରେଳ ଡିଭିଜନର ଅତିରକ୍ତ ଡିଆରଏମ ଅକ୍ଷୟ କୁମାର ସକ୍ସସେନାଙ୍କ ନେତୃତ୍ୱରେ ୮ ଜଣିଆ ଟିମ ସିଙ୍ଗାପୁର ରୋଡ ଷ୍ଟେସନ, ଦୁର୍ଘଟଣାସ୍ଥଳ ଏବଂ କେଉଟଗୁଡା ଷ୍ଟେସନକୁ ଯାଇ ତଦନ୍ତ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ ତଦନ୍ତରେ ବେସାମରିକ ବିଭାଗର ନିରାପତ୍ତା ଆୟୁକ୍ତ ଶ୍ରୀ ଶର୍ମାଙ୍କ ନେତୃତ୍ୱରେ ପୂର୍ବତଟ ରେଳ ବିଭାଗ ମୁଖ୍ୟ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ଟ୍ରାଫିକ ଅଫିସର ବି. କେ. ପାଢୀ ସ୍ୱତନ୍ତ୍ର ଟ୍ରେନରେ ରାୟଗଡ଼ାରେ ପହଞ୍ଚିଥିଲେ। ଦୁର୍ଘଟଣାର ପ୍ରାୟ ଦେ ବର୍ଷ ପରେ ନିରାପତ୍ତା ଆୟୁକ୍ତଙ୍କ ରିପୋର୍ଟ ଆଧାରରେ ରେଳ ବିଭାଗ ଦୋଷୀ ଅଧିକାରୀଙ୍କୁ ଚାକିରିରୁ ବିଦା କରିଛି।

ସମ୍ବନ୍ଧିତ ଖବର