ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ହଟଚମଟ, ପ୍ରଫେସରଙ୍କୁ ଆକ୍ରମଣ କରି ୨ ଛାତ୍ର ଗିରଫ

ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ ପରେ ପ୍ରଫେସର ବି ଗିରଫ

ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକଙ୍କ କ୍ବାର୍ଟର୍ସରେ ପଶି ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଦୁଇ ଜଣ ଛାତ୍ର ରକ୍ତାକ୍ତ ଆକ୍ରମଣ କରିଛନ୍ତି। ଏହି ଘଟଣା ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଘଟିଥିବା ବେଳେ ଆଜି ପ୍ରଫେସର ନାୟକଙ୍କ ବିରୋଧରେ ଜଣେ ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପ୍ରଫେସର ନାୟକଙ୍କ ଏତଲା ଓ ଛାତ୍ରୀଙ୍କ ଏତଲା ଆଧାରରେ ଗୋପାଳପୁର ପୁଲିସ ଦୁଇଟି ପୃଥକ୍‌ ମାମଲା ରୁଜୁ କରିଛି। ଅସଦାଚରଣ ମାମଲାରେ ପ୍ରଫେସର ନାୟକଙ୍କୁ ଆଜି ସନ୍ଧ୍ୟାରେ ଗିରଫ କରାଯାଇଛି। ସେଭଳି ପ୍ରଫେସରଙ୍କୁ ଆକ୍ରମଣ କରିଥିବା ଦୁଇ ଛାତ୍ରଙ୍କୁ ପୁଲିସ ଗିରଫ କରି‌ କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ନେଇ ବିଶ୍ବବିଦ୍ୟାଳୟ ପରିସର ଅଶାନ୍ତ ରହିଥିବା ବେଳେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି।

ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଓଡ଼ିଆ ବିଭାଗ ପ୍ରଫେସର ନାୟକ ଅନ୍‌ଲାଇନ୍‌ କ୍ଲାସ୍‌ କରୁଥିବା ସମୟରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଦୁଇ ଛାତ୍ର ଦିନେଶ୍‌ ପାଢ଼ୀ ଓ ହୃଷିକେଶ ବାଡ଼ତ୍ୟା କ୍ବାର୍ଟର୍ସକୁ ଆସି କବାଟ ବାଡ଼େଇଥିଲେ। ପ୍ରଫେସର କବାଟ ଖୋଲିବା କ୍ଷଣି ସେମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହଠାତ୍ ଆକ୍ରମଣ କରି ଦେଇଥିଲେ। କାହିଁକି ପିଏଚ୍‌ଡିରେ ସିଟ୍ ମିଳିଲା ନାହିଁ ବୋଲି ପ୍ରଶ୍ନ କରି ଉଭୟେ ପ୍ରଫେସରଙ୍କ ମୁହଁକୁ ମୁଥ ମାରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଛନ୍ତି। ପ୍ରଫେସରଙ୍କ ମୋବାଇଲ୍‌ ଫୋନ୍‌ ଭାଙ୍ଗି ଦେବାସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ପ୍ରଫେସରଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଦୁଇ ଛାତ୍ର ଦୀନେଶ୍‌ ପାଢ଼ୀ ଓ ହୃଷିକେଶ ବାଡ଼ତ୍ୟାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଅପରପକ୍ଷେ ଆଜି ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ ପ୍ରଫେସର ନାୟକଙ୍କ ବିରୋଧରେ ଅସଦାଚରଣ କରିଥିବା ନେଇ ସାଂଘାତିକ ଅଭ‌ିଯୋଗ ଆଣିଛନ୍ତି। ଛାତ୍ରୀ ଜଣକ ତାଙ୍କ ଏତଲାରେ ଗତ ମେ ୨୧ ତାରିଖର ଘଟଣା ଉଲ୍ଲେଖ କରି କିଛି ନୋଟ୍‌ ଦେବା ଓ ପାଠ ସଂପର୍କରେ ଆଲୋଚନା କରିବା ପାଇଁ ପ୍ରଫେସର ଅପରାହ୍ନ ସାଢ଼େ ୪ଟା ବେଳେ ତାଙ୍କୁ ଘରକୁ ଡକାଇଥିଲେ ବୋଲି ଉଲ୍ଲେଖ କରିଛନ୍ତି। ପ୍ରଫେସରଙ୍କ କଥାକୁ ବିଶ୍ବାସ କରି ସେ ଏକା ତାଙ୍କ ଘରକୁ ଯାଇଥିବା ବେଳେ ସେ ତାଙ୍କୁ ଅସଦାଚରଣ କରିଥିବା ନେଇ ଗୋପାଳପୁର ଥାନାରେ ଛାତ୍ରୀଜଣଙ୍କ ଆଜି ଲିଖିତ ଅଭିଯୋଗ କରିଛନ୍ତି। ଗୋପାଳପୁର ପୁଲିସ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯିବା ସହ ଆକ୍ରମଣକାରୀ ଦୁଇ ଛାତ୍ରଙ୍କ ସମେତ ପ୍ରଫେସରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର