ଆଳି/ନୀଳଗିରି : ଯୁକ୍ତଦୁଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଆଶାନୁରୂପ ନମ୍ବର ରଖିନପାରି ୨ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜଣେ ଛାତ୍ରୀ ନଈକୁ ଡେଇଁ ପଡ଼ିଥିବା ବେଳେ ଅନ୍ୟଜଣେ ୩ ମହଲା କୋଠାରୁ ଡେଇଁ ପଡ଼ିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗୋଟିଏ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। ଜିଲ୍ଲା ଅନ୍ତର୍ଗତ ଆଳି ବ୍ଲକ୍ ମେଣ୍ଢପୁର ଗ୍ରାମର ରବି ସ୍ୱାଇଁଙ୍କ ଝିଅ ଅଙ୍କିତା ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ୮୭ ପ୍ରତିଶତ ନମ୍ବର ରଖିଛନ୍ତି। ହେଲେ, ପରୀକ୍ଷାଫଳ ପ୍ରକାଶ ପାଇବାର କିଛି ସମୟ ପରେ ସେ ମାନସିକ ଭାରସାମ୍ୟ ହରାଇ ପଟ୍ଟାମୁଣ୍ଡାଇ ଦାଣ୍ଡିସାହି ନିକଟ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ନଦୀରୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ନିଜ ନମ୍ବରରେ ଅସନ୍ତୁଷ୍ଟ ଥାଇ ଛାତ୍ରୀ ଜଣକ ଏଭଳି କରିଥିବା ସନ୍ଦେହ କରାଯାଉଥିଲେ ବି ନିର୍ଦ୍ଦିଷ୍ଟ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।
ଅନ୍ୟଜଣେ ଛାତ୍ରୀ ହେଉଛନ୍ତି, ବାଲେଶ୍ବର ଜିଲ୍ଲା ନୀଳଗିରି ଏନ୍ଏସି ଅଧୀନ ସିମୁଳିଆ ଗ୍ରାମର ଲକ୍ଷ୍ମଣ ମହଲଙ୍କ ଝିଅ ଇତିଶ୍ରୀ। ନୀଳଗିରି ମହାବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନରେ ପଢ଼ୁଥିବା ଇତିଶ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବେ ବୋଲି ଆଶା ରଖିଥିଲେ। ହେଲେ, ସେ ପ୍ରଥମଶ୍ରେଣୀ ବଦଳରେ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୬୦୦ ନମ୍ବରରୁ ୩୫୫ ନମ୍ବର ରଖିଥିବା ବେଳେ ମାତ୍ର ୫ ନମ୍ବର ପାଇଁ ତାଙ୍କର ପ୍ରଥମ ଶ୍ରେଣୀ ଆଶା ମଉଳି ଯାଇଥିଲା। ଯାହାଫଳରେ, ସେ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କଥା ଚିନ୍ତା କରିଥିଲେ। ଦିନ ପ୍ରାୟ ୧୨ଟା ବେଳେ ଇତିଶ୍ରୀ କାହାକୁ କିଛି ନକହି ୩ ମହଲା କୋଠାଘର ଛାତ ଉପରକୁ ଚାଲିଯାଇଥିଲେ ଏବଂ ସହସା ତଳକୁ ଡେଇଁପଡ଼ିଥିଲେ। ପରିବାର ଲୋକ ତାଙ୍କୁ ସଂଗେସଂଗେ ବାଲେଶ୍ବରର ଏକ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଇତିଶ୍ରୀଙ୍କୁ ଭୁବନେଶ୍ବରସ୍ଥିତ ଗୋଟିଏ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏବେ ସେ ଚିକିତ୍ସାଧୀନ ଥିବାବେଳେ ଅବସ୍ଥା ସଂକଟାପନ୍ନ ରହିଥିବା ପରିବାର ଲୋକ ସୂଚନା ଦେଇଛନ୍ତି।
ଉଲ୍ଲେଖଥାଉକି, ଇତିଶ୍ରୀଙ୍କ ପରିବାରରେ ସମସ୍ତେ ଉଚ୍ଚଶିକ୍ଷିତ। ତେଣୁ ସେ ଯୁକ୍ତଦୁଇ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାପାଇଁ ଆଶା ରଖିଥିଲେ। ଏହି ଆଶା ଅଧୁରା ରହିବା ଯୋଗୁ ଇତିଶ୍ରୀ ମାନସିକସ୍ତରରେ ଭାଙ୍ଗିପଡ଼ିବା ସହ ଚାପଗ୍ରସ୍ତ ହୋଇଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/drowned_death_271221_1200.jpg)