ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ସମ୍ବଲପୁର : ସମର କ୍ଲାସ୍‌ ପାଇଁ ବାମରାରୁ ସମ୍ବଲପୁର ସହରକୁ ପାଠ ପଢ଼ିବାକୁ ଆସିଥିବା ବାମରା ଷ୍ଟେସନପଡ଼ାର ଜଣେ ୯ମ ଶ୍ରେଣୀର ଛାତ୍ରର ସନ୍ଦେହଜନକ ମୃତ୍ୟୁ ହୋଇଛି। ଏନେଇ ଅଇଁଠାପାଲି ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଛାତ୍ର ଜଣଙ୍କ ହେଲେ ବାମରାର ଲକ୍ଷ୍ମୀଧର ସାହୁଙ୍କ ଏକମାତ୍ର ପୁଅ ରଜତ(୧୪)। ପୁଅର ମୃତ୍ୟୁ ପାଇଁ ବାପା ଲକ୍ଷ୍ମୀଧର ସମର କ୍ଲାସ୍‌ ଚଳାଇଥିବା କାଇଁଶିର ଅଞ୍ଚଳର ଅନୁଷ୍ଠାନ ଗୌରାଙ୍ଗ ଏକାଡେମି କର୍ତ୍ତୃପକ୍ଷକୁ ଦାୟୀ କରିଛନ୍ତି। ପୁଅ ରଜତକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଏକ ଅପମୃତ୍ୟୁର ରୂପ ଦିଆଯାଉଥିବା ସେ ଅଭିଯୋଗ ପତ୍ରରେ ଉଲ୍ଲେଖ‌ କରିଛନ୍ତି। ପୁଲିସ ଗୌରାଙ୍ଗ ଏକାଡେମି ଅଧ୍ୟକ୍ଷ ଅସିତ ପୁରୋହିତ ଓ କର୍ମଚାରୀ ସ୍ବାଧୀନ ବହିଦାରକୁ ଥାନାକୁ ଡକାଇ ଅଟକ ରଖିଥିଲା। ଏନେଇ ସଦର ଏସ୍‌ଡିପିଓ ଭାବନୀ ଶଙ୍କର ଉଦ୍‌ଗାତାଙ୍କୁ ପଚରାଯିବାରୁ ପ୍ରାଥମିକ ଅବସ୍ଥାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ, ତଦନ୍ତ ରିପୋର୍ଟ ଆଧାରରେ ମାମଲା‌ରେ ପରିବର୍ତ୍ତନ ହୋଇପାରେ ବୋଲି କହିଛନ୍ତି। ସେପଟେ, ଉକ୍ତ ଅନୁଷ୍ଠାନଟି ଏକ ବିବାଦୀୟ ସ୍ଥାନରେ ଚାଲିଥିବାରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଏନେଇ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

ଘଟଣା ସମ୍ପର୍କରେ ଅନୁଷ୍ଠାନ ଅଧ୍ୟକ୍ଷ ଅସିତ ପୁରୋହିତଙ୍କୁ ପଚାରିବାରେ ଶୁକ୍ରବାର ପ୍ରାୟ ୧୧ଟାରେ ଜଣେ ଡେ’ ସ୍କଲାର ପିଲା ସହିତ ରଜତ ଓ ଆଉ ୪ ଜଣ ମିଶି କାଇଁଶର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ରଜତ ବୁଡ଼ି ଯାଇଥିଲେ। ସୂଚନା ପାଇ ଅନୁଷ୍ଠାନର କିଛି କର୍ମଚାରୀ ସେଠାରେ ପହଞ୍ଚି ରଜତକୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର