ରହସ୍ୟ ଘେରରେ ୨ ଛାତ୍ରୀଙ୍କ ମୃତ୍ୟୁ

ସୋର : ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ଟେଣ୍ଟେଇ ଗ୍ରାମର ଦୁଇ ଦଶମ ଶ୍ରେଣୀ ଛାତ୍ରୀଙ୍କର ଗତକାଲି ରାତିରେ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଏହି ଦୁଇଜଣ ବିଷପିଇ ଆତ୍ମହତ୍ୟା କରିଥିବା ପାରିପାର୍ଶିକ ଅବସ୍ଥାରୁ ଅନୁମାନ କରାଯାଉଛି। ତେବେ ଏଭଳି ମୃତ୍ୟୁ ପଛର କାରଣ ଅଷ୍ପଷ୍ଟ ରହିଛି।

ଘଟଣାରୁ ପ୍ରକାଶ ଯେ ଏହି ଗ୍ରାମର ବୀରେନ୍ଦ୍ର ଦାସଙ୍କ ଝିଅ ଲକ୍ଷ୍ମୀପ୍ରିୟା ସ୍ଥାନୀୟ ହାଇସ୍କୁଲରେ ୧୦ମ ଶ୍ରେଣୀରେ ପଢ଼ୁଥିଲା। ବୀରେନ୍ଦ୍ର ଓ ପୁଅ ଶରତ ରାଜ୍ୟ ବାହାରେ ରହି ଘରୋଇ କମ୍ପାନିରେ ଚାକିରି କରୁଥିବାରୁ ମା’ ଅନିତାଙ୍କ ସହ ଲକ୍ଷ୍ମୀପ୍ରିୟା ଘରେ ରହୁଥିଲା। ଲକ୍ଷ୍ମୀପ୍ରିୟାଙ୍କ ଘରଠାରୁ ପ୍ରାୟ ୩ କିମିି ଦୂର ବିରିପଡ଼ା ଗ୍ରାମର ମାୟାଧର ଦାସଙ୍କ ଝିଅ ପ୍ରିୟଙ୍କା ମଧ୍ୟ ସେହି ସ୍କୁଲ୍‌ର ୧୦ମ ଶ୍ରେଣୀରେ ପଢ଼ୁଥିବାରୁ ଦୁଇ ଜଣଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ଥିଲା। ଦୁହେଁ ସାଙ୍ଗ ହୋଇ ଗୋଟିଏ ଜାଗାରେ ଟିଉସନ୍‌ ପଢ଼ୁଥିଲେ। ସପ୍ତାହରରେ ୩ ଦିନ ସଂସ୍କୃତ ଟିଉସନ୍‌ ହେଉଥିବାରୁ ରାତିରେ ଘରକୁ ଫେରି ନପାରି ପ୍ରିୟଙ୍କା ପ୍ରାୟତଃ ଲକ୍ଷ୍ମୀପ୍ରିୟାର ଘରେ ରହି ଯାଉଥିଲା। ଗତକାଲି ରାତିରେ ମଧ୍ୟ ପ୍ରିୟଙ୍କା ଘରକୁ ନ ଫେରି ଲକ୍ଷ୍ମୀପ୍ରିୟାର ଘରେ ରହିଥିଲା। ଅନିତାଙ୍କ କହିବା ଅନୁଯାୟୀ, ଦୁହେଁ ରାତିରେ ରୁଟି ଡାଲମା କରି ୧୦ଟା ବେଳେ ଖାଇଥିଲେ। ଆଜି କ୍ଲାସ୍‌ ପରୀକ୍ଷା ଥିବାରୁ ସେମାନେ ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ପଢ଼ାପଢ଼ି କରି ଶୋଇଥିଲେ। ହେଲେ ଆଜି ସକାଳେ ସେମାନଙ୍କୁ ନିଦରୁ ଉଠାଇବାକୁ ଯିବାରୁ ଦୁହେଁ ଗୋଟିଏ ଖଟରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିଲେ। ଏହା ଦେଖି ଅନିତା ପଡ଼ୋଶୀଙ୍କୁ ଡାକ ପକାଇଥିଲେ। ପଡ଼ୋଶୀମାନେ ଆସି ଦେଖିଲା ବେଳକୁ ସେମାନଙ୍କର ମୃତ୍ୟୁ ହୋଇ ସାରିଥିଲା। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କ ଶବ ଜବତ କରିଥିଲା। ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସୋର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର