ଭୁବନ: ନିକଟରେ ମାଟ୍ରିକ୍‌ (୨୦୨୩ ବୋର୍ଡ ପରୀକ୍ଷାରେ) ପାସ୍‌ କରିଥିଲେ। ଆଉ କିଛି ଦିନ ପରେ ଯୁକ୍ତ ୨ରେ ପାଠ ପଢ଼ିବେ ବୋଲି କେତେ ଆଶା ରଖିଥିଲେ। ଏଥି ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ପୁଅ ବହୁତ ପାଠ ପଢ଼ିବ। ବଡ଼ ଓ ଭଲ ମଣିଷ ହେବ। ଏମିତି କେତେ ଆଶା ରଖିଥିଲେ ପରିବାରର ଲୋକେ। କିନ୍ତୁ ପରିବାରର ଏହି ଆଶା ଅଧାରେ ରହିଯାଇଛି। ସାଙ୍ଗମାନଙ୍କ ସହିତ ଭୋଜି କରିବାକୁ ଯାଇଥିବା ବେଳେ ଦ୍ରୁତଗାମୀ ବୋଲେରୋ ଧକ୍କାରେ ୨ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ପାଣ୍ଡି ଅଧିନ ବନଦୁର୍ଗା ମନ୍ଦିର ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ପୃଥ୍ବୀରାଜ ସାହୁ (ରାମ ୧୫ ବର୍ଷ) ଓ ସୌମ୍ୟରଂଜନ କାଣ୍ଡି (ବାବୁଲୁ୧୬ ବର୍ଷ)।

Advertisment

ସୂଚନା ଅନୁସାରେ ସୁରପ୍ରତାପପୁରସ୍ଥିତ ଶ୍ରୀ ଅରବିନ୍ଦ ବିଦ୍ୟାପୀଠରେ ଚଳିତ ବର୍ଷ ମାଟ୍ରିକ୍‌ ପଢ଼ିସାରିଥିବା ୩୦ ଜଣ ଛାତ୍ରଛାତ୍ରୀ ଆଜି ଭୋଜି କରିବାକୁ ଯାଇଥିଲେ। ରବିବାର ଥିବାରୁ ଭୋଜି ପାଇଁ ସେମାନେ ବେଶ୍‌ ଉତ୍ସାହିତ ଥିଲେ। ଯୁକ୍ତ ୨ରେ ନାମଲେଖାଇବା ପୂର୍ବରୁ ଭୋଜି ଆସରକୁ ଅଧିକ ସ୍ମରଣୀୟ କରିବାକୁ ଚାହୁଁଥିଲେ। ସେମାନେ ଗାଁ ନିକଟରେ ‌ଭୋଜି କରିଥିଲେ। ଖାଇ ସାରି ଘରକୁ ଫେରୁଥିଲେ। ଅପରାହ୍‌ଣ ୨ଟାରେ ପ୍ରବଳ ଖରାରୁ ସାମାନ୍ୟ ଆଶ୍ବସ୍ତି ପାଇବା ପାଇଁ ପିଲମାନେ ଏକ ବନଦୁର୍ଗା ମନ୍ଦିର ନିକଟସ୍ଥ ବରଗଛ ଛାଇରେ ଛିଡ଼ା ହୋଇଥିଲେ। ଏତିକି ବେଳେ ୫୩ ନମ୍ବର ଜାତୀୟ ରାଜପଥରୁ ସୁରପ୍ରତାପପୁରକୁ ସଂଯୋଗ କରୁଥିବା ରାସ୍ତାରେ ଏକ ଦ୍ରୁତଗାମୀ ବୋଲେରୋ ଆସିଥିଲା। ଏହି ଗାଡ଼ିଟି ବରଗଛ ତଳେ ଛିଡ଼ା ହୋଇଥିବା ପିଲାଙ୍କ ଉପରେ ଚଢ଼ିଯାଇଥିଲା।

publive-image

ଦୁର୍ଘଟଣାର ସାମ୍ନା କରିଥିବା ବଟକୃଷ୍ଣ ସାହୁଙ୍କ ପୁଅ ପୃଥ୍ୱୀରାଜ ସାହୁ ଓ ବିନୋଦ କାଣ୍ଡିଙ୍କ ପୁଅ ସୌମ୍ୟରଂଜନ କାଣ୍ଡି ଗୁରୁତର ହୋଇଥିଲେ। ସେମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ଗୁରୁତର ଭାବେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟ ପୃଥ୍ବୀରାଜ ଏବଂ ସୌମ୍ୟରଂଜନଙ୍କୁ ଡାକ୍ତର ଆନନ୍ଦିତା ପରିଡ଼ା ମୃତ ଘୋଷଣା କରିଥିଲେ। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫେରାର ବୋଲେରୋକୁ ଧରିବା ପାଇଁ ଛାନ୍‌ଭିନ୍‌ ଜାରି ରଖିଛି।