ପଥର ଚାପି ହୋଇ ଦୁଇ ଛାତ୍ର ମୃତ

ପଟାଙ୍ଗି : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ଅନ୍ତର୍ଗତ ଟାଉପଦର ନିକଟସ୍ଥ ଜଙ୍ଗଲରେ ଅଭାବନୀୟ ଘଟଣା ଘଟିଛି। ପଥର ଚାପି ହୋଇ ସ୍ଥାନୀୟ ଆଶ୍ରମ ବିଦ୍ୟାଳୟର ଦୁଇ ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ କେମିତି ପଥର ଚାପି ହେଲା ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ। ଅପରାହ୍ନରେ ଏହି ଘଟଣା ଘଟିଥିଲେ ହେଁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ବିଳମ୍ବରେ ଖବର ମିଳିିଥିଲା।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଆଶ୍ରମ ବିଦ୍ୟାଳୟର ଦୁଇ ଛାତ୍ର ସୁବାସ ଖରା ଓ କୁନା ଖରା କନ୍ଦା ସଂଗ୍ରହ କରିବାକୁ ହଷ୍ଟେଲରୁ ବାହାରିଥିଲେ। ବିଦ୍ୟାଳୟ ଠାରୁ ଅଳ୍ପ ଦୂରରେ ଥିବା ଜଙ୍ଗଲକୁ ଯାଇ କନ୍ଦା ସଂଗ୍ରହ ସମୟରେ ପଥର ତଳେ ଚାପି ହୋଇ ରହିଥିଲେ। ଫେରିବାରେ ବିଳମ୍ବ ହେବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ସହପାଠୀଙ୍କ ସୂଚନାକୁ ଆଧାର କରି ନିକଟସ୍ଥ ଜଙ୍ଗଲରେ ଖୋଜିବା ସମୟରେ ଦୁହେଁ ଗୋଟିଏ ଗାତରେ ପଡ଼ିଥିବା ବେଳେ ଉପରେ ପଥର ଚାପି ହୋଇ ରହିଥିଲା। ପାଥର ବାହାର କରି ଉଦ୍ଧାର କରିବା ବେଳକୁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା। ସଂଧ୍ୟାରେ ଶବ ବ୍ୟବଚ୍ଛେଦ ପାଇଁ କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଅନ୍ଧାର ହୋଇଯାଇଥିବାରୁ ଆସନ୍ତାକାଲି ସକାଳେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ହଷ୍ଟେଲରେ ରହୁଥିବା ଦୁଇ ଛାତ୍ର କେମିତି ବାହାରକୁ ଗଲେ ତାହାକୁ ନେଇ ନାନା ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ସେହିପରି ବାର୍‌ହା ଶୀକାର ପାଇଁ ରହିଥିବା ଫାଶରେ ଦୁହେଁ ପଡ଼ି ଯାଇ ମୃତ୍ୟୁବରଣ କରିଥିବା ସ୍ଥାନୀୟ ଲୋକ କହୁଛନ୍ତି। ଲୋକଙ୍କ କହିବା ହେଲା ଏହି ଜଙ୍ଗଲରେ ନିୟମିତ ଭାବେ ବାର୍‌ହା ଶିକାର ହୁଏ। ଏଥିପାଇଁ ଶିକାରୀ ଗଭୀର ଗାତ ଖୋଳି ମାଟି ଘୋଡ଼ାଇ ଦିଅନ୍ତି। ଗାତ ଉପରେ ରସିରେ ଗୋଟିଏ ପଥରକୁ ଝୁଲାଇ ଦିଆଯାଏ। ଶିକାର ଗାତରେ ପଡ଼ିବା ପରେ ଝୁଲୁଥିବା ପଥର ଗାତ ମୁହଁରେ ପଡ଼ି ବନ୍ଦ ହୋଇଯାଏ। ପରବର୍ତୀ ସମୟରେ ଶିକାରୀ ପଥର ବାହାର କରି ଶିକାରକୁ ନେଇ ଚାଲିଯାଏ। ପିଲାମାନେ ବି କାନ୍ଦ ଖୋଳିବା ସମୟରେ ଦୁର୍ଭାଗ୍ୟ ବଶତଃ ଗାତରେ ପଡ଼ି ଯାଇଥିବେ। ଏହାପରେ ସେମାନଙ୍କ ଉପରେ ପଥର ଚାପି ହୋଇଯାଇଥିବ ଏବଂ ଶ୍ବାସରୁଦ୍ଧ ହୋଇ ଦୁହିଁଙ୍କର ମୃତ୍ୟୁ ହୋଇଥିବା ଅନୁୁମାନ କରାଯାଉଛି।

ସମ୍ବନ୍ଧିତ ଖବର