ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନ କୁଆଖାଇ ନଦୀରେ ବୁଡ଼ି ଆଜି ଦୁଇ ଛାତ୍ରଙ୍କ ସଲିଳ ସମାଧି ଘଟିଛି। ମୃତ ଛାତ୍ର ଦ୍ୱୟ ହେଲେ ୟୁନିଟ ୯ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ସାପିକ ଦିଗାଲ(୧୪) ଓ ଜଗମୋହନ ସାହୁ (୧୪)। ସାପିକର ଘର ବାଣୀବିହାର ନିକଟରେ ଥିବା ବିଶେଶ୍ୱର ବସ୍ତିରେ ହୋଇଥିବା ବେଳେ ଜଗମୋହନ ଜୟଦେବ ବିହାରସ୍ଥିତ ଆତ୍ମାରାମ ବସ୍ତିରେ ରୁହେ। ତେବେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଆଉ ୪ ଛାତ୍ର ହେଲେ ଜୟଦେବବିହାର ଆତ୍ମାରାମ ବସ୍ତିର ଅମନ ସାହୁ (୧୫), ପଥରବନ୍ଧ ବସ୍ତିର ରାକେଶ ନାୟକ(୧୫), ବାଣୀବିହାର ଟିଭି ସେଣ୍ଟର୍ ବସ୍ତିର ତ୍ରିଲୋଚନ ନାୟକ(୧୩), ଜୟଦେବବିହାର ଆତ୍ମାରାମ ବସ୍ତିର ଦେବାଶିଷ ରାଉତ (୧୨)। ଖବର ପାଇ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍ ଓ ମଞ୍ଚେଶ୍ୱର ଥାନା ପୁଲିସ ଉଦ୍ଧାର କାର୍ଯ୍ୟ କରିଥିଲେ। ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଅଗ୍ନିଶମ ଓ ଓଡ୍ରାଫ କର୍ମଚାରୀ ନିୟୋଜିତ ହୋଇ ଦୀର୍ଘ ୨ ଘଣ୍ଟାର କଠିନ ପରିଶ୍ରମ ପରେ ଦୁଇ ନାବାଳକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମଞ୍ଚେଶ୍ୱର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଆଜି ବନ୍ୟା ପାଣିରେ ଭାସି ଯାଉଥିବା ଦୁଇ ଛାତ୍ରଙ୍କୁ ଅଗ୍ନିଶମ କର୍ମଚାରୀମାନେ ଖୋଜାଖୋଜି କରୁଥିବାବେଳେ ନଦୀପଠାରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଥାଏ। ଠିକ ଏହି ସମୟରେ ସାମ୍ନାକୁ ଆସିଲା ଆଉ ଏକ ଅଭାବନୀୟ ଚିତ୍ର। ମଞ୍ଚେଶ୍ୱର ଥାନାର କାଞ୍ଚନ ଦେଇ ନାମକ ଜଣେ ପୂର୍ବତନ ମହିଳା ହୋମଗାର୍ଡ ବ୍ରିଜ୍ ଉପରୁ ନଦୀକୁ ଡେଇଁପଡ଼ିଥିଲେ। ସୌଭାଗ୍ୟବଶତଃ ଛାତ୍ରଙ୍କୁ ଖୋଜୁଥିବା ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ପଠାଇଥିଲେ।