ଭଦ୍ରକ: ଭଦ୍ରକ ଜିଲ୍ଲାର ଦୁଇ କନିଷ୍ଠ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ଦୁଇ କନିଷ୍ଠ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରିଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଠୋକରା ପ୍ରାଥମିକ ସ୍କୁଲର କନିଷ୍ଠ ଶିକ୍ଷକ ସୁକୁରମ ସିଂହ ଗତ ୨୦୨୦ ମସିହାରୁ ବିନା ନୋଟିସରେ ଚାକିରିରେ ଅନୁପସ୍ଥିତ ରହିଥିଲା ବେଳେ ତାଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ମାତ୍ର ତାଙ୍କ ଠାରୁ କୌଣସି ଉତ୍ତର ନମିଳିବା କାରଣରୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମିଶ୍ର କନିଷ୍ଠ ଶିକ୍ଷକ ଶ୍ରୀ ସିଂଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ସେହିପରି ଚାନ୍ଦବାଲି ବ୍ଲକ ଝାଡ଼କାଣ୍ଟ ପ୍ରାଥମିକ ସ୍କୁଲର କନିଷ୍ଠ ଶିକ୍ଷକ ଲକ୍ଷ୍ମୀ ନାରାୟଣ କିସ୍କୁ ମଧ୍ୟ ଗତ ୨୦୧୯ ମସିହାରୁ ଚାକିରିରେ ବିନା ନୋଟିସରେ ଅନୁପସ୍ଥିତ ରହିଛନ୍ତି। ତାଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ମାତ୍ର ସଂପୃକ୍ତ ଶିକ୍ଷକ କୌଣସି ଉତ୍ତର ନଦେବାରୁ ଦୀର୍ଘ ଦିନ ବିନା କାରଣରୁ ସୁଲରେ ଅନୁପସ୍ଥିତ ରହିବା କାରଣରୁ ଏହି ଦୁଇ ଶିକ୍ଷକଙ୍କୁ ଚାକିରିରୁ ବହଷ୍କୃତ କରାଯାଇଛି।