ଦୁର୍ଘଟଣା ନେଲା ୨ ଶିକ୍ଷକଙ୍କ ଜୀବନ

ବିଦାୟ ସମ୍ବର୍ଧନା ଦେବା ପୂର୍ବରୁ ନେଲେ ଚିରବିଦାୟ

ଖଣ୍ଡଗିରି : ବୁଧବାର ଅପରାହ୍‌ଣରେ ୧୬ନମ୍ବର ଜାତୀୟ ରାଜପଥ ଯାଁଳା ଫାଣ୍ଡି ଅନ୍ତର୍ଗତ ‌ରେତଙ୍ଗ କଟ୍‌ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ, ଜଟଣୀ ବ୍ଲକ କନ୍ତିଆ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିନୋଦିନୀ ନାୟକ(୪୯) ଓ ଜଟଣୀ ରେତଙ୍ଗ କଲୋନି ଏନ୍‌ଡିଆର୍‌ସି ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋକୁଳାନନ୍ଦ ମହାନ୍ତି(୭୨)। ବ୍ରହ୍ମକୁଣ୍ଡଳ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ପାଇଁ ଆୟୋଜିତ ଅବସରକାଳୀନ ସମ୍ବର୍ଧନା ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଏମାନେ ଏହି ସଡ଼କ ଦୁର୍ଘଟଣାର ଶିକାର ହୋଇ ଚିରବିଦାୟ ନେଇଛନ୍ତି। ଅଘଟଣଟି ସମଗ୍ର ଜଟଣୀ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।

ଜଟଣୀ ବ୍ଲକ ବ୍ରହ୍ମକୁଣ୍ଡଳ ଉଚ୍ଚ ବିଦ୍ୟାଳୟରୁ ଅବସର ନେଉଥିବା ଶିକ୍ଷୟିତ୍ରୀ ବିରାଜିନୀ ନିଶଙ୍କଙ୍କୁ ସମ୍ବର୍ଧନା ଦେବା ପାଇଁ ଆଜି ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଯୋଗଦେବା ପାଇଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତି ଓ ଶିକ୍ଷୟିତ୍ରୀ ଶ୍ରୀମତୀ ନାୟକ ଏକ ସ୍କୁଟି(ଓଡି୦୨ଏମ୍‌-୩୭୩୦)‌ରେ ଜଟଣୀରୁ ବ୍ରହ୍ମକୁଣ୍ଡଳ ଯାଉଥିଲେ। ଯାଁଳା ପେଟ୍ରୋଲ ପମ୍ପ ନିକଟରେ ସେମାନେ ରେତଙ୍ଗ କଟ୍‌ ପାର୍ ହେଉଥିବା ବେଳେ ଖୋର୍ଧାରୁ ଭୁବନେଶ୍ବର ଯାଉଥିବା ଏକ ଦ୍ରୁତଗାମୀ କାର୍(ଓଡି୦୩-ଜି-୬୬୩୯) ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଶ୍ରୀମତୀ ନାୟକ ପ୍ରାୟ ୧୨ଫୁଟ୍‌ ଦୂରକୁ ଛିଟିକି ପଡ଼ିଥିଲେ ଓ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପ୍ରଚୁର ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଶିକ୍ଷକ ଶ୍ରୀ ମହାନ୍ତି ମଧ୍ୟ ଆହତ ହୋଇଥିଲେ। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରୁ ଶ୍ରୀମତୀ ମହାନ୍ତିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା ଓ ଗୁରୁତର ଆହତ ଶ୍ରୀ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରିଥିଲା। ମାତ୍ର ସନ୍ଧ୍ୟା ପ୍ରାୟ ୬ଟା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ହୃଦ୍‌ଘାତ କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଖି ଆଗ‌‌ରେ ଶ୍ରୀମତୀ ନାୟକଙ୍କ ମୃତ୍ୟୁକୁ ଦେଖିଥିବାରୁ ଘୋର ମାନସିକ ଅବସାଦ ପାଇଁ ତାଙ୍କୁ ଏଭଳି ହୃଦ୍‌ଘାତ ହାଇଥିବା ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ଏହି ଦୁଇ ଜଣାଶୁଣା ଶିକ୍ଷକ ଖୋର୍ଧା ଜିଲ୍ଲା ଶିକ୍ଷକ ସଂଘ (ଓଷ୍ଟା)ର ସକ୍ରିୟ ସଭ୍ୟ ଥିବା ବେଳେ ଜଟଣୀର ବିଭିନ୍ନ ସାମାଜିକ ସଂଗଠନ ସହ ଜଡ଼ିତ ଥିଲେ। ଓଡ଼ିଆ ସାହିତ୍ୟରେ ରୁଚି ରଖିଥିବାରୁ ଜଟଣୀ ପୁସ୍ତକ ମେଳା କମିଟି ଓ ‘ସମ୍ବାଦ’ ‘ସାହିତ୍ୟଘର’ର ସକ୍ରିୟ ସଭ୍ୟ ମଧ୍ୟ ଥିଲେ। ଏମାନଙ୍କ ମୃତ୍ୟୁରେ ଆଜି ଜଟଣୀରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର