ଭୁବନେଶ୍ବର/ନୂଆଦିଲ୍ଲୀ : ପବିତ୍ର ଗୁରୁ ଦିବସ ଅବସରରେ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାର ଦୁଇଜଣ ଶିକ୍ଷକଙ୍କ ସମେତ ଦେଶର ୪୪ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୧ରେ ସମ୍ମାନିତ କରିଛନ୍ତି। ଜାତୀୟ ଶିକ୍ଷକ ପୁରସ୍କାର-୨୦୨୧ରେ ସମ୍ମାନିତ ହୋଇଥିବା ଓଡ଼ିଶାର ଦୁଇ ଶିକ୍ଷକ ହେଲେ ଭଦ୍ରକ ଜିଲ୍ଲା ସରକାରୀ ବିଦ୍ୟାଳୟର ଅଶୋକ କୁମାର ଶତପଥୀ ଓ ଗଞ୍ଜାମ ଜିଲ୍ଲା ସରକାରୀ ୟୁପି ସ୍କୁଲ, କଣମଣା ଛତ୍ରପୁରର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଅଜିତ କୁମାର ସେଠୀ।
ଭର୍ଚୁଆଲ ମୋଡରେ ଶିକ୍ଷକମାନଙ୍କୁ ସମ୍ମାନିତ କରି ରାଷ୍ଟ୍ରପତି କହିଲେ ଛାତ୍ରଛାତ୍ରୀଙ୍କ ବହୁମୁଖୀ ପ୍ରତିଭାକୁ ଚିହ୍ନିବାରେ ଶିକ୍ଷକମାନଙ୍କର ବଡ଼ ଭୂମିକା ରହିଛି। ନୂଆ ଜାତୀୟ ଶିକ୍ଷାନୀତିରେ ଭାରତକୁ ବିଶ୍ୱ ଜ୍ଞାନର ମହାଶକ୍ତି ଭାବେ ପ୍ରତିଷ୍ଠା କରିବା ପାଇଁ ମହତ୍ୱକାଂକ୍ଷୀ ଉଦ୍ଦେଶ୍ୟ ନିଶ୍ଚିନ୍ତ କରାଯାଇଛି। ବିଦ୍ୟାର୍ଥୀଙ୍କୁ ଏଭଳି ଶିକ୍ଷା ପ୍ରଦାନ କରିବା ଯାହା ଜ୍ଞାନ ଉପରେ ଆଧାରିତ ଏବଂ ନ୍ୟାୟପୂର୍ଣ୍ଣ ସମାଜ ନିର୍ମାଣରେ ସହାୟକ ହେବ। ଆମର ଶିକ୍ଷା ବ୍ୟବସ୍ଥା ଏଭଳି ହେବା ଆବଶ୍ୟକ, ଯାହାଦ୍ୱାରା ବିଦ୍ୟାର୍ଥୀଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧ ତଥା ନାଗରିକଙ୍କ ପାଇଁ ମୂଳ କର୍ତବ୍ୟ ପ୍ରତି ନିଷ୍ଠା ଜାଗ୍ରତ ହେବ। ଏଥିସହ ଦେଶ ପ୍ରତି ଭଲ ପାଇବାର ଭାବନା ମଜବୁତ ହେବ। ପରିବର୍ତିତ ବୈଶ୍ୱିକ ଦୃଶ୍ୟପଟ୍ଟରେ ସେମାନେ ନିଜର ଭୂମିକାକୁ ନେଇ ଚିନ୍ତା କରିବେ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ କୋଭିଡ୍-୧୯ ସମୟରେ ଶିକ୍ଷାର ନିରନ୍ତରକୁ ସୁନିଶ୍ଚିତ କରିବାରେ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଗଢ଼ିବାରେ ଶିକ୍ଷକଙ୍କ ଭୂମିକା ମହତ୍ତ୍ବପୂର୍ଣ୍ଣ। ଏକବିଂଶ ଶତାବ୍ଦୀର ଭାରତର ଭାଗ୍ୟକୁ ପରିବର୍ତନ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବା ସମସ୍ତ ଶିକ୍ଷକଙ୍କୁ କୃତଜ୍ଞତା ଜଣାଉଛି। ଏହି ଶତାବ୍ଦୀରେ ଭାରତକୁ ରାଷ୍ଟ୍ରୀୟ ଶିକ୍ଷାନୀତି ନୂଆ ଶିଖରକୁ ନେବା ପାଇଁ ଆମେ ସଂକଳ୍ପବଦ୍ଧ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ବିଶିଷ୍ଟ ସମାଜସେବୀ ତଥା ଶିକ୍ଷା କ୍ଷେତ୍ର ପାଇଁ ଅବଦାନ ଥିବା ପଦ୍ମଶ୍ରୀ ସ୍ୱର୍ଗତ ଡି. ପ୍ରକାଶ ରାଓଙ୍କ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ପ୍ରତି ଶିକ୍ଷକଙ୍କ ଉପଲବ୍ଧି ସମ୍ପର୍କରେ କ୍ଷୁଦ୍ର ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା। କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନପୂର୍ଣ୍ଣା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ।