ବନ୍ୟାଞ୍ଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବ ବିଜେପିର ଦୁଇଟି ଟିମ୍

କଂଗ୍ରେସ ପକ୍ଷରୁ ରାଜ୍ୟସ୍ତରୀୟ ବନ୍ୟା ରିଲିଫ୍ କମିଟି ଗଠିତ

ଭୁବନେଶ୍ୱର : ବନ୍ୟା ଅଞ୍ଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟର ତଦାରଖ କରିବା ପାଇଁ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦୁଇଟି କମିଟି ଗଠନ କରିଛନ୍ତି। ଏହି ଟିମ୍ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବ।

ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପ୍ରଭାତୀ ପରିଡା, ଲେଖାଶ୍ରୀ ସାମନ୍ତସିଂହାର, ବିଭୁପ୍ରସାଦ ତରାଇ, ନୟନ କିଶୋର ମହାନ୍ତି, ଭୁବ‌ନମୋହନ ଜେନା ସାମିଲ୍‌ ଅଛନ୍ତି। ସେହିଭଳି ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଗଠିତ କମିଟିରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ପଦ୍ମଲୋଚନ ପଣ୍ଡା, ଅମର ନାୟକ, ଅଭିମନ୍ୟୁ ସେଠୀ, ମହେଶ୍ୱର ସାହୁ, ଠାକୁର ରଣଜିତ୍ ଦାଶ ପ୍ରମୁଖ ସାମିଲ ଅଛନ୍ତି। ଏହି ଦୁଇଟି ଟିମ୍ ବନ୍ୟା ପ୍ରଭାବିତ କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର, ନୟାଗଡ ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ରାଜ୍ୟ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବେ।

କଂଗ୍ରେସ ପକ୍ଷରୁ ରାଜ୍ୟସ୍ତରୀୟ ବନ୍ୟା ରିଲିଫ୍ କମିଟି ଗଠିତ

ଭୁବନେଶ୍ବର : ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ବହୁ ସ୍ଥାନରେ ନଦୀମାନଙ୍କରେ ଘାଇ ସୃଷ୍ଟି ହେବା ଫଳରେ ହଜାର ହଜାର ଲୋକ, ଗୃହପାଳିତ ପଶୁ ବିପନ୍ନ ଅବସ୍ଥାରେ ରହିଛନ୍ତି। ହଜାର ହଜାର ଏକର ଚାଷ ଜମି, ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ବନ୍ୟାରେ ପୀଡ଼ିତ ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏକ ରାଜ୍ୟସ୍ତରୀୟ ବନ୍ୟା ରିଲିଫ କମିଟି ଗଠନ କରାଯାଇଛି। ବରିଷ୍ଠ କଂ‌ଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ ଏହାର ଅଧ୍ୟକ୍ଷ ଅଛନ୍ତି। ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ କଂଗ୍ରେସ ନେତା ବିଭୁତି ମିଶ୍ର, ସନତ ଦାସ, ଅମୀୟ କୁମାର ପଟ୍ଟନାୟକ, ସନ୍ତୋଷ ନନ୍ଦ ଓ ମନୋଜ ସାହୁ ସଦସ୍ୟ ରହିଛନ୍ତି। ଏହି କମିଟି ଜିଲ୍ଲା କଂଗ୍ରେସ ସଭାପତିମାନଙ୍କ ସହିତ ଯୋଗାଯୋଗ କରି ବନ୍ୟା ପରିସ୍ଥିତି ସମୟରେ ରାଜ୍ୟ କଂଗ୍ରେସ ପକ୍ଷରୁ ଯେଉଁ ସବୁ ସହାୟତା ଯୋଗାଇ ଦିଆଯିବ, ତାହାର ସମନ୍ୱୟ ରକ୍ଷା କରି ରିଲିଫ ସାମଗ୍ରୀର ବଣ୍ଟନ କାର୍ଯ୍ୟର ତଦାରଖ କରିବେ ବୋଲି ପିସିସି ପକ୍ଷରୁ କୁହାଯାଇଛି। ସେହିପରି ବନ୍ୟା ପ୍ରଭାବିତମାନଙ୍କୁ ଉଦ୍ଧାର ଓ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର