ଗୁଡ଼ୁମ ବ୍ୟାଙ୍କ ଅଫ ବରୋଦା ଶାଖା ଡକାୟତି ମାମଲା, ୨ ଗିରଫ

ଖୋର୍ଦ୍ଧା: ଗତ ୩ ମାସ ମଧ୍ୟରେ ଖୋର୍ଦ୍ଧା ସଦର ଥାନା ଅଧୀନ ଅଂଚଳରେ ୩ଟି ବ୍ୟାଙ୍କ ଡକାୟତି ଓ ଏଟିଏମ୍ ଲୁଟ ଘଟଣା ଘଟିଛି। ବଣିଆ ଟାଙ୍ଗୀ ଠାରେ ଥିବା ଏସ୍ବିଆଇ ଓ ୟୁନିଅନ୍ ବ୍ୟାଙ୍କ ଏଟିଏମ୍ ଲୁଟ ମାମଲାର ଅଭିଯୁକ୍ତଙ୍କ ନିକଟରେ ଏଯାଏଁ ପୁଲିସ ପହଂଚିବାରେ ସକ୍ଷମ ହୋଇପାରିନଥିବା ବେଳେ ଏପ୍ରିଲ୍ ୧୧ ତାରିଖ ରାତିରେ ଗୁଡ଼ୁମ ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଡକାୟତ ମାମଲାରେ ପୁଲିସ ଦୁଇଜଣ ପେଷାଦାର ଅପରାଧୀଙ୍କୁ ଗିରଫ କରିଛି। ସେମାନେ ହେଲେ ମଶାଣିଆ ଗାଁର ରାକେଶ ମହାରଣା (୨୬) ଓ ମଶାଣିଆ ନିକଟ ଗୋଡ଼ି ଗାଁର ଟୁକେଇ ନାୟକ (୨୯) ।

ଏପ୍ରିଲ୍ ୧୧ ତାରିଖ ରାତିରେ ଗୁଡ଼ୁମ ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଦୁର୍ବୃତ୍ତମାନେ ପଶି ବ୍ୟାଙ୍କ ଲକର ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । କିନ୍ତୁ ବ୍ୟାଙ୍କ ମଧ୍ୟରେ ଥିବା ଟାବଲେଟ୍, ଲ୍ୟାପ୍ଟପ ଓ କଂପ୍ୟୁଟର ସାମଗ୍ରୀ ଚୋରି କରି ନେଇଯାଇଥିଲେ । ଏହି ଘଟଣାରେ ବ୍ୟାଙ୍କ କର୍ତୃପକ୍ଷଙ୍କ ଅଭିଯୋଗ ଅନୁସାରେ ସଦର ଥାନା ପୁଲିସ ୧୨୩/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ବିଦିତା ନାୟକ କହିଛନ୍ତି ଯେ ରାକେଶ ମହାରଣା ଜଣେ ପେଷାଦାର ଅପରାଧୀ । ପୂର୍ବରୁ ମଧ୍ୟ ଏକାଧିକ ମାମଲାରେ ସମ୍ପୃକ୍ତ ରହିଥିଲା । ମାର୍ଚ୍ଚ ୩୧ ତାରିଖରେ ଜଣେ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ମାଡ଼ ମାରି ଲୁଟିବା ମାମଲାରେ ସେ ସମ୍ପୃକ୍ତ ଥିଲା । ଏହି ମାମଲାରେ ଗିରଫ ହୋଇ ପଚରାଉଚୁରାରେ ତା’ର ଅନ୍ୟତମ ସହଯୋଗ ରାଜା ରଣାକୁ ମଧ୍ୟ ଗିରଫ କରାଯାଇଛି । ଅନ୍ୟ ଜଣେ ଅଭିଯୁକ୍ତ ଏଯାଏଁ ଫେରାର୍ ରହିଛି । ଖୁବ୍ଶୀଘ୍ର ତାକୁ ମଧ୍ୟ ଗିରଫ କରାଯିବ ବୋଲି ଶ୍ରୀମତୀ ନାୟକ କହିଛନ୍ତି ।

ସମ୍ବନ୍ଧିତ ଖବର