ଚାଷ ଜମିର ଦୁଇ ତୃତୀୟାଂଶ ମୃତ୍ତିକା ଅମ୍ଲୀୟ

ଭୁବନେଶ୍ବର : ରାଜ୍ୟରେ ଚାଉଳ ଉତ୍ପାଦନ କମୁଛି। ୨୦୨୧-୨୨ ବର୍ଷରେ ରାଜ୍ୟରେ ୯୨୯୧.୧ ମେଟ୍ରିକ ଟନ୍ ଚାଉଳ ଉତ୍ପାଦିତ ହୋଇଥିଲା। ଯାହାକି ୨୦୧୯-୨୦ବର୍ଷରେ ଉତ୍ପାଦିତ ୯୭୫୫ ମେଟ୍ରିକ୍‌ ଟନ୍ ତୁଳନାରେ କମ୍। ୨୦୨୦-୨୧ରେ ଉତ୍ପାଦନ ୧୦୯୯୯.୧୩ ମେଟ୍ରିକ୍ ଟନ୍‌ ରହିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ସବୁଜ ବିପ୍ଲବ ପରେ ଉନ୍ନତ, ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ସଘନ କୃଷି ଅବଲମ୍ବନ ହେତୁ ଚାଷ ଜମିରୁ ମୃତ୍ତିକାର ଉଦ୍ଭିଦ ଖାଦ୍ୟସାର ଅପଚୟ ହେଲାଣି। ରାଜ୍ୟରେ ମୋଟ ଚାଷ ଜମିର ଅତିକମ୍‌ରେ ଦୁଇ ତୃତୀୟାଂଶ କ୍ଷେତ୍ରରେ ମୃତ୍ତିକା ଅମ୍ଲୀୟ ଅଟେ। ଜଗତୀକରଣ ପରେ ଚାଷୀମାନେ କେବଳ ଭରଣ ପୋଷଣ ପାଇଁ ନୁହେଁ ବ୍ୟବସାୟିକ ଭିତ୍ତିରେ ଚାଷ କରୁଛନ୍ତି। ଏଥିପାଇଁ ଫସଲ ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ପାଇଁ ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଜରୁରୀ ହୋଇପଡ଼ିଛି। ମୃତ୍ତିକା ପରୀକ୍ଷା କରାଇ ତାହାର ଫଳାଫଳ ଅନୁଯାୟୀ ସାର ପ୍ରୟୋଗ ପାଇଁ ଆବଶ୍ୟକ ମତେ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି। ପରୀକ୍ଷା ଫଳାଫଳ ଅନୁଯାୟୀ ସାର ପ୍ରୟୋଗ ପାଇଁ ୩୦ଟି ସ୍ଥାୟୀ ଓ ୩୦ଟି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ପ୍ରତିଷ୍ଠିତ କରାଯାଇଛି। ଏଗୁଡ଼ିକରେ ବାର୍ଷିକ ଅନ୍ୟୁନ ୪.୫ଲକ୍ଷ ମୃତ୍ତିକା ନମୁନା ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଛି। ମୃତ୍ତିକା ପରୀକ୍ଷା କରାଯାଇ ଚାଷୀମାନେ ଚୟନ କରିଥିବା ଫସଲ ଚାଷ ପାଇଁ ଆବଶ୍ୟକ ପରାମର୍ଶ ସହ ସେମାନଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଯୋଗାଇ ଦିଆଯାଉଛି। ଲୁଣା ପ୍ରଭାବିତ ଅଞ୍ଚଳରେ ଲୁଣି ସାହାଣୀ ଥିବା ଧାନ କିସମ, ସୂର୍ଯ୍ୟମୁଖୀ, ରାଶି, କନ୍ଦମୂଳ ଆଦି ଫସଲ ଚାଷ କରିବାକୁ ପରାମର୍ଶ ଦିଆଯାଉଛି।

ସମ୍ବନ୍ଧିତ ଖବର