ଧଳା ବାଘୁଣୀ ବିଜୟାର ୨ ଶାବକ ଜନ୍ମ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୨ ନମ୍ବର ‘ଗ’ ଖୁଆଡ଼ରେ ଧଳା ବାଘୁଣୀ ବିଜୟା (୮) ଆଜି ଦୁଇଟି ଶାବକଙ୍କୁ ଜନ୍ମ ଦେଇଛି। ସକାଳ ପ୍ରାୟ ୭ଟା ୫ ମିନିଟ୍‌ରେ ପ୍ରଥମ ଶାବକ ଓ ସକାଳ ୮ଟା ବେଳେ ସେ ଦ୍ୱିତୀୟ ଶାବକ ପ୍ରସବ କରିଥିଲା। ଶାବକଦ୍ୱୟ ମଧ୍ୟରେ ଗୋଟିଏ ଧଳା ଓ ଗୋଟିଏ ସାଧାରଣ ରଙ୍ଗର ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ସୂଚନା ଦେଇଛନ୍ତି। ମା’ ବାଘୁଣୀ ଓ ନବଜାତକ ଦ୍ୱୟ ସୁସ୍ଥ ଅଛନ୍ତି। ବିଜୟା ଶାବକଦ୍ୱୟଙ୍କ ଠିକ୍‌ ଭାବେ ଯତ୍ନ ନେଉଛି। ପେଟ ତଳେ ରଖି କ୍ଷୀର ପାନ କରାଉଥିବା ଉପନିର୍ଦ୍ଦେଶକ ହରିଶଙ୍କର ଉପାଧ୍ୟାୟ ଜନ୍ତୁ ରକ୍ଷକଙ୍କୁ ପଚାରି ବୁଝିଛନ୍ତି। ଗତ ଜୁନ୍‌ ୯ ଓ ୧୦ତାରିଖ ଦୁଇ ଦିନ ଧରି ସାଧାରଣ ରଙ୍ଗର ମହାବଳ ବାଘ ରୋଶନ୍‌(୧୬) ସହ ମିଳନରୁ ବିଜୟା ଗର୍ଭଧାରଣ କରିଥିଲା।

ବିଜୟା ଏଥରକୁ ମିଶାଇ ଦୁଇଥର ଗର୍ଭ ଧାରଣ ପରେ ମୋଟ ୪ଟି ଶାବକ ପ୍ରସବ କରିଛି। ଉଭୟଙ୍କ ମିଳନରୁ ୨୦୧୬ ଅଗଷ୍ଟ ୯ ତାରିଖରେ ସାଧାରଣ ରଙ୍ଗର ବାଘୁଣୀ ଆଦିତି ଓ ଧଳା ରଙ୍ଗର ବାଘ ସାହିଲର ଜନ୍ମ ହୋଇଥିଲା। ଆଜି ଶାବକ ଦୁଇଟି ଜନ୍ମ ହେବା ଫଳରେ ନନ୍ଦନକାନନର ମୋଟ ବାଘ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ସାଧାରଣ ରଙ୍ଗର ୧୪ଟି (ମାଈ ୯ଟି ଓ ୫ଟି ପୁରୁଷ), ଧଳା ରଙ୍ଗର ୮ଟି (ମାଈ୪ ଓ ପୁରୁଷ ୪), ବିରଳ କଳା ରଙ୍ଗର ୨ଟି ଓ ଆଜି ଜନ୍ମିତ ଲିଙ୍ଗ ଚିହ୍ନଟ ହୋଇନଥିବା ୨ଟି ଶାବକ ଅଛନ୍ତି। ବାଘୁଣୀ ବିଜୟା ୨୦୧୦ ମାର୍ଚ୍ଚ ୧ ତାରିଖରେ ଧଳା ରଙ୍ଗର ବାଘୁଣୀ କୁସୁମ ଓ ସାଧାରଣ ରଙ୍ଗର ମହାବଳ ବାଘ ନିଶାନର ମିଳନରୁ ଜନ୍ମ ଲାଭ କରିଥିଲା। ତା’ ଜୀବନ ସାଥୀ ରୋଶନ୍‌ ଦୃଷ୍ଟିହୀନ। ଗତ ୨୦୦୨ ନଭେମ୍ବର ୫ରେ ନନ୍ଦନକାନନର ଧଳା ବାଘୁଣୀ ଶ୍ରେୟା ଓ ସାଧାରଣ ରଙ୍ଗର ମହାବଳ ରାମଙ୍କ ମିଳନରୁ ରୋଶନ୍‌ର ଜନ୍ମ ହୋଇଥିଲା।

ସମ୍ବନ୍ଧିତ ଖବର