ଗୋଟାକୁ ୩ଲକ୍ଷ ଟଙ୍କାରେ ହୋଇଥିଲା ଡିଲ୍
ଫେରାର ବେପାରୀଙ୍କୁ ଖୋଜୁଛି ଏସଟିଏଫ୍
ସନ୍ଦେହଘେରରେ ବନାଞ୍ଚଳ କର୍ତ୍ତୃପକ୍ଷଙ୍କ ଭୂମିକା
ଦୁଇ ମାସ ତଳେ ବାଘ ହତ୍ୟାକୁ ଅସ୍ବୀକାର କରିଥିଲେ
ଭୁବନେଶ୍ବର/ନୟାଗଡ଼/ରଣପୁର : ବାଘଛାଲ କାରବାର ଅଭିଯୋଗରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତର ସମିତି ସଭ୍ୟ ତଥା ଜାମୁଗଣ୍ଡ ଗ୍ରାମ ବାସିନ୍ଦା ଲକ୍ଷ୍ମୀଧର ନାୟକ (୩୬)ଙ୍କୁ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଗିରଫ କରିଛି। ନାୟକ ଦୀର୍ଘ ଦିନ ହେବ ଏଭଳି ବେଆଇନ ବନ୍ୟଜନ୍ତୁ ଛାଲ, ହାଡ଼ ଆଦି କାରବାର କରୁଥିବା ସନ୍ଦେହ କରାଯାଉଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇଲା ପରେ ଏସ୍ଟିଏଫ୍ ରଣପୁର ଅଞ୍ଚଳରେ ଜାଲ ବିଛାଇଥିଲା। ଗତକାଲି ସଂଧ୍ୟାରେ ବାଘ ଛାଲ ଚାଲାଣ ନେଇ ଆନ୍ତଃରାଜ୍ୟ ବେପାରୀଙ୍କ ସହ ଡିଲ୍ ସମୟରେ ଏସ୍ଟିଏଫ୍ ତାଙ୍କୁ ସାନମଣିନାଗ ଜଙ୍ଗଲ ଅଞ୍ଚଳରୁ ଉଠାଇ ନେଇଥିଲା। ଲକ୍ଷ୍ମୀଧରଠାରୁ ଦୁଇଟି କଲରାପତରିଆ ବାଘର ଛାଲ ଓ କିଛି ହାଡ଼ ଜବତ କରାଯାଇଛି। ମାତ୍ର ସପ୍ତାହକ ଭିତରେ ନୟାଗଡ଼ ଜିଲ୍ଲାରେ ଏହା ହେଉଛି ଦ୍ବିତୀୟ ଘଟଣା। ବିଭିନ୍ନ ଜଙ୍ଗଲରେ ଯେ ଏବେ ବି ଶିକାରୀ ସକ୍ରିୟ ଅଛନ୍ତି, ତାହା ଏଥିରୁ ସ୍ପଷ୍ଟ ହୋଇଛି।
ଏସ୍ଟିଏଫ୍ ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନରେ ଥିବା ସାନମଣିନାଗ ଜଙ୍ଗଲରେ କଲରାପତରିଆ ବାଘକୁ ହତ୍ୟା କରାଯାଇଛି ଏବଂ ତାହା ଗତ କିଛି ମାସ ମଧ୍ୟରେ ଶିକାର କରାଯାଇଥିବା ଅନୁମାନ କରାଯାଉଛି। ଗୋଟିଏ ଛାଲକୁ ୨ରୁ ୩ଲକ୍ଷ ଟଙ୍କା ଭିତରେ ବିକ୍ରି କରିବା ପାଇଁ ଡିଲ୍ ହୋଇଥିଲା। ସମିତି ସଭ୍ୟ ଲକ୍ଷ୍ମୀଧର ଦୁଇଜଣ ଆନ୍ତଃ ରାଜ୍ୟ ବେପାରୀଙ୍କ ସହ ଏ ନେଇ ଯୋଗାଯୋଗରେ ରହିଥିଲେ। ଉଭୟଙ୍କ ମଧ୍ୟରେ ନିୟମିତ ମୋବାଇଲ ଫୋନରେ କଥାବାର୍ତ୍ତା ଚାଲିଥିଲା। ଏ ସମ୍ପର୍କରେ ଏସ୍ଟିଏଫ ସୂଚନା ପାଇବା ପରେ ଲକ୍ଷ୍ମୀଧରକୁ ଧରିବା ଲାଗି ଜାଲ ବିଛାଇଥିଲା ଓ ଗତକାଲି ସନ୍ଧ୍ୟାରେ ଲକ୍ଷ୍ମୀଧରକୁ ଉଠାଇ ନେଇଥିଲା। ଲକ୍ଷ୍ମୀଧରକୁ ଜେରା କରାଯିବା ପରେ ଏସଟିଏଫ୍ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି। ଶିକାରୀଙ୍କଠାରୁ ସେ ଏହି କଲରାପତରିଆ ଛାଲ କିଣିଥିବା ଜଣାପଡ଼ିଛି। ଶିକାରୀ ଫେରାର୍ ହୋଇଯାଇଥିବାରୁ ସେମାନଙ୍କୁ ଧରିବା ଲାଗି ଏସଟିଏଫ୍ ଟିମ୍ ଚଢ଼ଉ ଜାରି ରଖିଛି। ଏ ସଂକ୍ରାନ୍ତରେ ମାମଲା ରୁଜୁ ପରେ ଲକ୍ଷ୍ମୀଧରକୁ କୋର୍ଟ ଚାଲାଣ କରାଯାଇଛି। ତେବେ କଲରାପତରିଆକୁ କେବେ ଶିକାର କରାଯାଇଥିଲା, ତାହାର ବୟସ କେତେ ଏ ସବୁ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ଲାଗି ଜବତ ଛାଲ ଓ ହାଡ଼ ପରୀକ୍ଷା ଲାଗି ଡେରାଡୁନସ୍ଥିତ ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନକୁ ପଠାଯିବ ବୋଲି ଏସ୍ଟିଏଫ୍ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ରଣପୁର ବନାଞ୍ଚଳ ଅଧୀନ ଅସୁରକୁମାରୀ ଜଙ୍ଗଲ ଅଞ୍ଚଳରୁ ପ୍ରାୟ ଦୁଇ ମାସ ତଳେ ଏକ ବାଘର ମୃତ ଶରୀର ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ରଣପୁର ବନାଞ୍ଚଳ କର୍ତ୍ତୃପକ୍ଷ ମୁଣ୍ଡ ଖେଳାଇବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ଅସୁରକୁମାରୀ ଅଞ୍ଚଳରେ ବାଘ ନଥିବା ବନାଞ୍ଚଳ କର୍ତ୍ତୃପକ୍ଷ ସଫେଇ ରଖିଥିଲେ। ସେପଟେ ଏହି ଜଙ୍ଗଲରେ ବାଘ ବୁଲାବୁଲି କରୁଥିବା, ଅନେକ ସମୟରେ ଛେଳି ଆଦି ଖାଇ ଦେଉଥିବା ଅଞ୍ଚଳର ବୟସ୍କ ଲୋକମାନେ କହିଥିଲେ। ଘଟଣାର ଦୁଇ ମାସ ପରେ ଉକ୍ତ ବନାଞ୍ଚଳ ଅଧୀନରୁ ଏସ୍ଟିଏଫ୍ ଆସି ବାଘ ଛାଲ ବେପାରୀଙ୍କୁ ଗିରଫ କରିଥିଲା। ଏହି ଅଞ୍ଚଳରେ ବାଘ ଶିକାର ଓ ବାଘ ଛାଲ କାରବାର ହେଉଥିବା ସ୍ପଷ୍ଟ ହୋଇଛି। ଯାହା ରଣପୁର ବନାଞ୍ଚଳ କର୍ତ୍ତୃପକ୍ଷଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣିନେଇଛି। ଏପରିକି ଜଙ୍ଗଲରୁ ଉଦ୍ଧାର ବାଘର ମୃତଦେହ ସହ ଆଜି ଗିରଫ ହୋଇଥିବା ବାଘ ଛାଲ ବେପାରୀ ସହ କ’ଣ ଲିଙ୍କ୍ ରହିଛି ବୋଲି ପଚାରିବାରୁ, ରଣପୁର ବନାଞ୍ଚଳ ଅଧିକାରୀ ଶରତ ଶତପଥୀ ଚିହିଁକି ଉଠିଥିଲେ। ମୁଁ କିଛି ଜାଣି ନାହିଁ ବୋଲି କହି ଘଟଣାକୁ ସିଧା ଏଡ଼ାଇ ଯାଇଥିଲେ।
ଗତ ୮ ତାରିଖରେ ଦଶପଲ୍ଲା ବନାଞ୍ଚଳ ଅଧୀନ ଗିରିପୂଜା ଜଙ୍ଗଲରୁ ସାକେଣୀ ଗ୍ରାମର ପ୍ରତାପ କୁମାର ନାୟକ ଓ ଦେଢ଼ସର ଗ୍ରାମର କିଶୋର ଚନ୍ଦ୍ର ଦେହୁରୀଙ୍କୁ ଏସ୍ଟିଏଫ୍ ଗିରଫ କରିଥିଲା। ସେମାନଙ୍କ ନିକଟରୁ ବାଘ ଓ ହରିଣ ଛାଲ ଜବତ କରାଯାଇଥିଲା।