ଜଗତସିଂହପୁର ଟାଉନ୍: ଦୁଇ ଦୁଇ ଥର ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ରମାକାନ୍ତ ଭୋଇ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ତୃଣମୂଳସ୍ତରରୁ ଦଳକୁ ମଜବୁତ କରିଥିବାବେଳେ ଦଳ ତାଙ୍କୁ ଗୁରୁତର ଅବହେଳା କରିଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି। ତିର୍ତ୍ତୋଲ ଉପ ନିର୍ବାଚନ ହେବାକୁ ଯାଉଥିବାବେଳେ ରମାକାନ୍ତଙ୍କ ଇସ୍ତଫା ରାଜନୀତିକୁ ସରଗରମ କରିଛି। ରମାକାନ୍ତ କିନ୍ତୁ ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ସ୍ପଷ୍ଟ କରିନାହାନ୍ତି।

Advertisment

ରମାକାନ୍ତ ୨୦୧୪ ଓ ୨୦୧୯ ନିର୍ବାଚନରେ ତିର୍ତ୍ତୋଲରୁ ବିଜେପିର ପ୍ରାର୍ଥୀ ହୋଇଥିଲେ। ୨୦୦୯ ମସିହାରେ ବିଜେପିର ଲତାମଣୀ ଦାସ ୪୫୧୪ ଖଣ୍ତ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। କିନ୍ତୁ ୨୦୧୪ ନିର୍ବାଚନରେ ରମାକାନ୍ତ ଭୋଇ ବିଜେପିରୁ ଲଢି ଭୋଟ୍ ୧୪,୫୧୬ ଖଣ୍ତ ଭୋଟ୍ ପାଇଥିଲେ। ୨୦୧୯ ନିର୍ବାଚନରେ ରମାକାନ୍ତ କଂଗ୍ରେସକୁ ପଛରେ ପକାଇ ୫୩,୫୮୧ ଖଣ୍ତ ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଜିଲ୍ଲାର ଏକମାତ୍ର ପ୍ରାର୍ଥୀ ଭାବେ ରମାକାନ୍ତ ବିଜେଡି ସହ ଲଢେ଼ଇ କରି ଦ୍ବିତୀୟ ସ୍ଥାନରେ ରହିଥିଲେ। ରମାକାନ୍ତ କହିଛନ୍ତି ଯେ, ବିଜେପିର ୪ ହଜାରୁ ୫୪ ହଜାର ଭୋଟ୍ ସେ କରିଛନ୍ତି। ଲୋକଙ୍କ ସୁଖଦୁଃଖରେ ଛିଡ଼ା ହୋଇଛନ୍ତି। ବିଷ୍ଣୁ ବାବୁଙ୍କ ଯିବା ପରେ ସାଧାରଣ ଲୋକଙ୍କର ତାଙ୍କ ଉପରେ ଆସ୍ଥା ବଢିଛି। ଏପରି ସମୟରେ ଦଳ ତାଙ୍କୁ ଟିକେଟ୍ ଦେଇ ସହଯୋଗ କରିବା କଥା। କିନ୍ତୁ ତାଙ୍କୁ ଅଣଦେଖା କରିବା ତାଙ୍କର ସମର୍ଥକ ମାନେ ଗ୍ରହଣ କରି ପାରିନାହାନ୍ତି। ତାଙ୍କ ପ୍ରତି ଦଳ ଅନ୍ୟାୟ କରିଛି ବୋଲି ରମାକାନ୍ତ କହିଛନ୍ତି। ଅନ୍ୟପଟେ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର କହିଛନ୍ତି ଯେ, ‘ ପୂର୍ବରୁ ଅନେକଥର ଏନେଇ ତାଙ୍କ ସହ ରମାକାନ୍ତ ଆଲୋଚନା କରିଛନ୍ତି। ଜିଲ୍ଲା ସଭାପତି ଭାବରେ ମୁଁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛି। କେହି ଯେ ଚାଲିଗଲେ ଦଳ ଦୁର୍ବଳ ହୋଇଯିବ ତା ନୁହେଁ। ବିଜେପିର ପଲା ଭାରି ଅଛି।’ ନୂଆ ରଣନୀତି ଗ୍ରହଣ କରି ଦଳ ତିର୍ତ୍ତୋଲ ନିର୍ବାଚନରେ ବିଜୟୀ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଦୁଇ ସପ୍ତାହ ତଳେ ଯେତେବେଳେ କଂଗ୍ରେସରୁ ଦୁଇ ଦୁଇ ଥର ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେତେବେଳେ ଦଳରେ ରମାକାନ୍ତଙ୍କ ସ୍ଥିତି ଦୁର୍ବଳ ଥିବା ସ୍ପଷ୍ଟ ହୋଇ ଯାଇଥିଲା। କିନ୍ତୁ ରମାକାନ୍ତଙ୍କ ସମର୍ଥକ ପ୍ରତି ପଂଚାୟତରେ ବିଦ୍ରୋହର ସ୍ବର ଉଠାଇଥିଲେ।