ଭୁବନେଶ୍ବର: ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟର କୌଣସି ବାସହରା ବ୍ୟକ୍ତି, ଭିକାରି, ବେସାହରା ଲୋକ ଯେପରି ଭୋକରେ ନରହିବେ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୌରପ୍ରଶାସକ ସଂଗ୍ରାମଜିତ ନାୟକ। ଏପରିକି ସମସ୍ତଙ୍କୁ ଦୁଇ ଓଳି ଖାଦ୍ୟ ଦେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମସ୍ତ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ଯେ, କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ୍ ହୋଇଥିବାବେଳେ ସହରାଞ୍ଚଳରେ ବାସହରା, ଭିକାରି, ବେସାହରା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେମାନଙ୍କୁ ଦିନବେଳା ଓ ରାତିରେ ଖାଦ୍ୟ ଯୋଗାଇ ଦିଆଯିବ। ସେମାନଙ୍କୁ ଗରମ ରନ୍ଧା ଖାଦ୍ୟ/ଶୁଖିଲା ଖାଦ୍ୟ, ପ୍ୟାକିଂ ହୋଇଥିବା ଖାଦ୍ୟ ଯୋଗାଇ ଦିଆଯାଉ। ଏଥିପାଇଁ ଜିଲ୍ଲା ପ୍ରଶାସନ ପାଖରେ ଥିବା ରେଡକ୍ରସ୍ ପାଣ୍ଠିରୁ ଏବେ ଅର୍ଥ ଖର୍ଚ୍ଚ କରାଯାଉ। ଏହାସହ ସମସ୍ତ ମହାନଗର ନିଗମ ଓ ପୌରସଂସ୍ଥାର ନିର୍ବାହୀ ଅଧିକାରୀମାନଙ୍କୁ ମଧ୍ୟ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ପୌର ପ୍ରଶାସକଙ୍କ ନିର୍ଦ୍ଦେଶନାମା ପାଇବା ପରେ ବିଏମ୍‌ସି ପକ୍ଷରୁ ଆଜି ରାଜଧାନୀର କେତେକ ସ୍ଥାନରେ ଖାଦ୍ୟ ବଣ୍ଟା ଆରମ୍ଭ ହୋଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ରେଳ ଷ୍ଟେସନ, ବସଷ୍ଟାଣ୍ଡ, ବିଭିନ୍ନ ଓଭରବ୍ରିଜ୍ ତଳ ଓ ମନ୍ଦିର ନିକଟସ୍ଥ ଅଞ୍ଚଳରେ ଏହି ରନ୍ଧା ଖାଦ୍ୟ ବଣ୍ଟାଯିବ। ସମସ୍ତଙ୍କୁ ଦୁଇ ଓଳି ଖାଦ୍ୟ ଦେବାକୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି।