ରଥରେ ଲାଗେ ୨ଇଞ୍ଚରୁ ସାଢ଼େ ୪ ଫୁଟର କଣ୍ଟା

ପୁରୀ : ମହାପ୍ରଭୁଙ୍କ ଲୀଳା ଯେପରି ଅନନ୍ୟ, ତାଙ୍କ ପାଇଁ ପ୍ରସ୍ତୁତ ରଥର ନିର୍ମାଣ କୌଶଳ ବି ସେହିପରି ସ୍ବତନ୍ତ୍ର। ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ବ୍ୟବହୃତ ‌ହୁଏ ୨ ଇଞ୍ଚରୁ ଆରମ୍ଭ କରି ସାଢ଼େ ୪ ଫୁଟର କଣ୍ଟା। ଗୋଡ଼ିଛାଲ ପାଇଁ ୨ ଇଞ୍ଚର କଣ୍ଟା ଲାଗୁଥିବା ବ‌େଳେ ତେର ପରସ୍ତ ପୋଟଳକୁ ଯୋଖିବା ପାଇଁ ଲାଗେ ୨୫ ଏମ୍‌ଏମ୍‌ର ସାଢ଼େ ୪ ଫୁଟିଆ କଣ୍ଟା। ଦୋଳବେଦି‌ କୋଣରେ କମାର ସେବକମାନେ ପ୍ରତ୍ୟେକ ରଥ ପାଇଁ ୪ଟି ଲେଖାଏଁ ସାଢ଼େ ୪ ଫୁଟିଆ କଣ୍ଟା ପ୍ରସ୍ତୁତ କରନ୍ତି।

ତାଳଧ୍ବଜ ରଥର ମୁଖ୍ୟ କମାର ସେବକ ଅର୍ଜୁନ ମହାରଣାଙ୍କ କହିବା ମୁତାବକ, ତିନି ରଥ ପାଇଁ ମୋଟ୍ ୧୭ ଜଣ କମାର ସେବକ ନିୟୋଜିତ ହୋଇଛନ୍ତି। ‌ନନ୍ଦିଘୋଷ ପାଇଁ ୬, ତାଳଧ୍ବଜ ପାଇଁ ୬ ଏବଂ ଦେବଦଳନ ପାଇଁ ୫ ଜଣ କମାର ସେବକ କଣ୍ଟା ପ୍ରସ୍ତୁତି କରିଛନ୍ତି। କେବଳ ତାଳଧ୍ବଜ ରଥର ଚକା ପାଇଁ ୩୨ଟି କଣ୍ଟା ସହ ୪ଟା ପନ୍ଦାରି ଚାବି, ୨ଟି ପନ୍ଦାରି, ୨ଟି ବଳା ଲାଗେ। ସେହିପରି ଯୋଖା, ଦଣ୍ଡାବାଡ଼ିଆ, ଅର କଣ୍ଟା ଭଳି ଆବଶ୍ୟକ ମୁତାବକ କଣ୍ଟା ପ୍ରସ୍ତୁତ କରାଯାଏ। ଅର୍ଜୁନ ୪ର୍ଥ ଶ୍ରେଣୀରେ ପଢ଼ିବା ବେଳୁ ବାପାଙ୍କ ସାଙ୍ଗରେ ଆସି କାମ କରି ଆସୁଛନ୍ତି। ଏବେ ତାଙ୍କ ବଡ଼ଭାଇ ଜଗନ୍ନାଥ ମହାରଣାଙ୍କ ସମେତ ଅନ୍ୟ କମାରମାନଙ୍କ ସହାୟତାରେ ସେ ଏସବୁକୁ ଭେଟି ଦେଉଥିବା କହିଛନ୍ତି। ଅର୍ଜୁନ କୁହନ୍ତି, ରଥ ପାଇଁ ବର୍ଷଯାକ ବିଭିନ୍ନ ସମୟରେ କମାର ସେବକମାନେ ସେବା ଦିଅନ୍ତି। କମାର ସେବକ ଭାବେ ସେମାନଙ୍କୁ ୫ଶହ ଟଙ୍କା ଲେଖାଏଁ ପାଉଣା ଦିଆଯାଉଥିଲେ ହେଁ ରଥ ପାଇଁ ସେବା ଦେବାର ଆନନ୍ଦ ଅବର୍ଣ୍ଣନୀୟ ବୋଲି କହିଛନ୍ତି।

ସେ ନିକଟ ଦିନର ଏକ ଅଭିଜ୍ଞତାକୁ ପାଥେୟ କରି କୁହନ୍ତି, ଯେଉଁଦିନ କଣ୍ଟା ବାଡ଼ିଆ ହେବାର ଥାଏ ତା ପୂର୍ବରୁ ତାଙ୍କୁ ଜୋର୍‌ ଥଣ୍ଡା ହୋଇଥିଲା। ଅନ୍ୟମାନଙ୍କ ପରାମର୍ଶରେ ସେ କୋଭିଡ୍‌ ପରୀକ୍ଷା କରାଇବା ‌ପରେ ରିପୋର୍ଟ ସିନା ନେଗେଟିଭ୍‌ ଆସିଲା କିନ୍ତୁ ଅସହ୍ୟ ଥଣ୍ଡା ଯୋଗୁ ତାଙ୍କ ଶରୀର କାମ ପାଇଁ ଅନୁମତି ଦେଉନଥାଏ। ପୂର୍ବଦିନ ରାତିରେ ଏକଥା ଭାବି ବହୁତ କଷ୍ଟ ଲାଗିଲା। ମହାପ୍ରଭୁଙ୍କୁ ସ୍ମରଣ କରି କହୁଥାଏ, ପ୍ରଭୁ କାଲି କଣ୍ଟା ବାଡ଼ିଆ ଅଛି, ମୁଁ ଯଦି ସୁସ୍ଥ ନହୁଏ କାମ କେମିତି କରିବି? ପରଦିନ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି କାମ କରିବାକୁ ଆସିଲି। କାମ କରୁଥାଏ, ଜଣେ ବ୍ୟକ୍ତି ଆସି ମୋତେ ଡାକି ଆଳତି ତୁଳସୀ ଟିକେ ଦେଇଦେଲେ। ତାକୁ ସେବନ ପରେ ଥଣ୍ଡା ଯେମିତି କୁଆଡ଼େ ଉଭାନ ହୋଇଗଲା। ଶରୀରରେ ଚାରିଗୁଣା ବଳ ଆସିଗଲା ପରି ଲାଗିଲା। ସେ ଅନୁଭବ ଅବର୍ଣ୍ଣନୀୟ। ଥଣ୍ଡା ଭଲ ହୋଇଯିବା ପରେ ସନ୍ଧ୍ୟା ସୁଦ୍ଧା କଣ୍ଟା ବାଡ଼ିଆ ସରିଗଲା। ମନେ ପଡ଼ିଯିବାରୁ ମୋତେ ଆଳତି ତୁଳସୀ ଦେଇଥିବା ବ୍ୟକ୍ତିଙ୍କୁ ଖୋଜିଲି। କିନ୍ତୁ ପାଇଲି ନାହିଁ। ଯେମିତି ମହାପ୍ରଭୁ କାହା ହାତରେ ମୋ ପାଇଁ ମହୌଷଧୀ ପଠେଇ ଦେଇଥିଲେ। ତେଣୁ ପ୍ରଭୁଙ୍କ କୃପାରୁ ଅସମ୍ଭବ ଲାଗୁଥିବା କାମ ଉଠି ଯାଉଛି।

ସମ୍ବନ୍ଧିତ ଖବର