ରାସ୍ତା ତଳକୁ ଖସିଲା କାର୍‌ : ୨ ପର୍ଯ୍ୟଟକ ଗୁରୁତର

କୋଣାର୍କ ; ଆଜି ରାତିରେ ପୁରୀ-କୋଣାର୍କ ବେଳାମାର୍ଗର ଚନ୍ଦ୍ରଭାଗା ମେରାଇନ୍‌ ଥାନା ନିକଟରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ସଦର ହସ୍‌ପିଟାଲରେ ଭର୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ୮ଟା ବେଳେ କିଛି ପର୍ଯ୍ୟଟକଙ୍କୁ ନେଇ ଏକ କାର୍‌ (ଏପି-୩୧ ଟିଭି ୬୯୪୨) ପୁରୀରୁ କୋଣାର୍କ ଆଡ଼କୁ ଆସୁଥିଲା। ଏହି ସମୟରେ ଚାଳକ ନିୟନ୍ତ୍ରଣ ହରାଇବାରୁ କାର୍‌ଟି ଏକ କଲ୍‌ଭର୍ଟରେ ଧକ୍କା ହୋଇ ରାସ୍ତାର ପ୍ରାୟ ୩୦ ଫୁଟ୍‌ ତଳକୁ ଖସିପଡ଼ିଥିଲା। କାର୍‌ରେ ୫ ଜଣ ଥିବାବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଯୁବତୀ ଥିଲେ। ତେବେ ରାମଚନ୍ଦ୍ର ମନୋଜ ନାୟକ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ସେଠାରେ ଦୁର୍ଘଟଣା ଘଟିବା ଦେଖିବା ପରେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ମେରାଇନ୍‌ ପୁଲିସ୍‌ ଏବଂ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରେ ଚାପି ହୋଇ ଥିବା ଯୁବକ ଯୁବତୀଙ୍କୁ ଉଦ୍ଧାର କରି ପୁରୀ ସଦର ହସପିଟାଲକୁ ପଠାଇଥିଲେ। ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ତେବେ ପର୍ଯ୍ୟଟକମାନଙ୍କର ପରିଚୟ ମିଳି ପାରି ନାହିଁ।

ସମ୍ବନ୍ଧିତ ଖବର